କଟକ/କଣ୍ଟାପଡା : ହାତରେ ତିଆରି ହେଉଥିଲା କୃତ୍ରିିମ ଅଙ୍ଗପ୍ରତ୍ୟଙ୍ଗ ଓ ଯନ୍ତ୍ରାଂଶ। ତା’ ପାଇଁ ଲାଗୁଥିଲା ପ୍ରାୟ ତିନି ସପ୍ତାହରୁ ଅଧିକ ସମୟ। ସମୟ ସମୟରେ ମାସ ମାସ ଧରି ଅପେକ୍ଷା କରୁଥିଲେ ରୋଗୀ। ଅନେକ ସମୟରେ ତାହା ବି ରୋଗୀକୁ ଠିକ୍ ଭାବରେ ଖାପ ଖାଉନଥିଲା। କିନ୍ତୁ ଏବେ ମେସିନ୍ ତିଆରି କରିବ କୃତ୍ରିିମ ଅଙ୍ଗପ୍ରତ୍ୟଙ୍ଗ। ଯାହା ପୂର୍ବରୁ ତିନି ସପ୍ତାହ ଲାଗୁଥିଲା ଏବେ ମାତ୍ର ୩/୪ ଦିନରେ ଅତ୍ୟାଧୁନିକ ଢଙ୍ଗରେ ନିର୍ମାଣ ହୋଇ ରୋଗୀଙ୍କ ଦେହରେ ଲାଗିପାରିବ। କଟକ ଜିଲ୍ଲା ଓଲଟପୁର ସ୍ଥିତ ଏସ୍.ଭି.ନିରତାରକୁ ଫ୍ରାନ୍ସରୁ ଆସିଥିବା ପ୍ୟାଡ୍ କ୍ୟାମ୍ ରୋବେଟିକ୍ ମେସିନ୍ ଦ୍ୱାରା ଏହା ସମ୍ଭବ ହେବ। ଏହା ଭାରତରେ ପ୍ରଥମ ଏବଂ ଆସନ୍ତା ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ନିରତାରର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାଶ।
କୃତ୍ରିିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟାରୋପଣ ଏବଂ ଫିଜିଓଥେରାପି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଏସ୍ଭି ନିରତାରର ରହିଛି ସ୍ୱତନ୍ତ୍ର ପରିଚୟ। ଅନୁଷ୍ଠାନରେ ଡାକ୍ତର ଅଭାବ ସମସ୍ୟା ସାଙ୍ଗକୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ରହିଥିଲେ ବି ଅନେକ ବିକାଶମୂଳକ କାମ ହାତକୁ ନେଇ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି। ନାଲକୋ ସହାୟତାରେ ସିଏସ୍ଆର ପାଣ୍ଠିରୁ ୨ କୋଟି ୭୨ଲକ୍ଷ ଟଙ୍କା ବ୍ୟୟରେ ଫ୍ରାନ୍ସରୁ ଅଣାଯାଉଛି ପ୍ୟାଡ୍ କ୍ୟାମ୍ ରୋବେଟିକ୍ ମେସିନ୍। ଏହି ମେସିନ୍ ନିର୍ତାରରେ ପହଞ୍ଚି ସାରିିଛି। ଏହି ମେସିନ୍ କାର୍ଯ୍ୟକ୍ଷମ ହେଲେ ଅଙ୍ଗ ହରାଉଥିବା ଲୋକଙ୍କୁ ଆଉ ମାସ ମାସ ଧରି କୃତ୍ରିିମ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ। ପ୍ୟାଡ୍ କ୍ୟାମ୍ ରୋବୋଟିକ୍ ମେସିନ୍ ଆସିବା ପରେ କୃତ୍ରିିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟାରୋପଣ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ ବୋଲି କହିଛନ୍ତି ନିର୍ଦ୍ଦେଶକ ଡାକ୍ତର ଦାଶ।
ଏସ୍ଭି ନିରତାରରେ ଭିତ୍ତିଭୂମିର ବିକାଶ ପାଇଁ ପୂର୍ବରୁ ଶହେ ବେଡ୍ ବିଶିଷ୍ଟ ଗୃହ ବା ଓ୍ଵାର୍ଡ ନିର୍ମାଣ କରାଯାଇଥିବାବେଳେ ଏବେ ପୁଣି ଅଧିକ ଆବଶ୍ୟକ ଥିବାରୁ ୧୮କୋଟି ଟଙ୍କା ବ୍ୟୟରେ ଶହେ ଶଯ୍ୟା ବିଶିଷ୍ଟ ଗୃହର ନିର୍ମାଣ ଆରମ୍ଭ ହୋଇଛି। ତା’ସହିତ ୧୬ କୋଟି ଟଙ୍କା ବ୍ୟୟରେ ଧନ୍ଦା ମୂଳକ ଶିକ୍ଷା ପ୍ରଦାନ ନିମନ୍ତେ ଗୃହ ନିର୍ମାଣ ଖୁବ ଶୀଘ୍ର କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ନିରତାର ଆଉଟ୍ଡୋରରେ ପ୍ରତ୍ୟେକ ଦିନ ୨୫୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବାବେଳେ ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପତିତପାବନ ମହାନ୍ତି, ପ୍ରଶାସନିକ ଅଧିକାରୀ ରଶ୍ମୀରଞ୍ଜନ ସେଠୀ ପ୍ରମୁଖ ଅନୁଷ୍ଠାନ ବିକାଶ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ରୋବୋଟିକ୍ ହାତ, ବ୍ୟାଟେରୀ ଚେୟାର ଆଦି ଉଦ୍ଭାବନ କ୍ଷେତ୍ରରେ ନିର୍ତାର ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।