ଠକେଇ ଓ ଆତ୍ମସାତ ଅଭିଯୋଗରେ ଭାରତ ଫାଇନାସ କମ୍ପାନୀର କର୍ମଚାରୀ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଂଚଳରେ ଏକ ଲୁଟ ଘଟଣା ହୋଇଥିବା ଥାନାରେ ଅଭିଯୋଗ ହେବା ଓ ପରେ ଅଭିଯୋଗ କାରୀ ହିଁ ନାଟକ ରଚିଥିବା ଜଣାପଡି ଗିରଫ ହୋଇ କୋର୍ଟ ଚାଲାଣ ହେବା ଘଟଣା ଚର୍ଚ୍ଚା ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଅଜୟ କୁମାର ସାହୁ ୨୫ ବର୍ଷ ଓ ତା ନିଜ ଘର ଭଦ୍ରକ ଜିଲ୍ଲା ବନ୍ତ ଥାନା ଅପଣ୍ଡା ଗାଁରେ ବୋଲି ଜଣା ପଡ଼ିଛି । ସେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ଭାରତ ଫାଇନାସ ଲିମିଟେଡ଼ ରେ ଏଜେଣ୍ଟ ଭାବେ କାର୍ଯ୍ୟରତ ଥିଲା । ଗତ ୧୬ ତାରିଖରେ ସେ କମ୍ପାନୀ ର ଟଙ୍କା ଆଦାୟ ପାଇଁ ପାଟଣା ଥାନା ମାଛଗଡ ଅଂଚଳକୁ ଯାଇ ୧ ଲକ୍ଷ ୫୦ ହଜାର ୧୯୩ ଟଙ୍କା ଆଦାୟ କରି ଫେରିଥିଲା । ତେବେ ଏହି ଟଙ୍କା ରାଇଡିହା ନିକଟ ଜଙ୍ଗଲ ପାଖରେ ୪ ଜଣ ଦୁର୍ବୃତ୍ତ ଆସି ଖଣ୍ଡା ଦେଖାଇ ତା ଠାରୁ ଲୁଟି ନେଇଥିଲେ ବୋଲି ସେହିଦିନ ସେ କମ୍ପାନୀ ର ଶାଖା ପରିଚାଳକ ଙ୍କୁ ଜଣାଇଥିଲା । ଫଳରେ ସେହିଦିନ ହିଁ ସମ୍ପୃକ୍ତ କମ୍ପାନୀର ଶାଖା ପରିଚାଳକ ରଂଜନ କୁମାର ସାହୁଙ୍କ ପକ୍ଷରୁ ପାଟଣା ଥାନାରେ ଅଭିଯୋଗ ହୋଇଥିଲା ଏନେଇ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ପୁଲିସ ସମ୍ପୃକ୍ତ ଏଜେଣ୍ଟ ଅଜୟ ଉପରେ ସନ୍ଦେହ କରି ତାକୁ ଗତକାଲି ଥାନାକୁ ଆଣି ପଚରା ଉଚୁରା କରିଥିଲା । ଏହି ଟଙ୍କା ଆତ୍ମସାଥ କରିବାକୁ ସେ ନିଜେ ହିଁ ମିଥ୍ୟା ନାଟକ ରଚି ଥିଲା ବୋଲି ଅଭିଯୁକ୍ତ ଅଜୟ ପୁଲିସ ପାଖରେ ସ୍ୱୀକାର କରିଥିଲା। ସେ ଏହି ଟଙ୍କାକୁ ଆନନ୍ଦପୁର ଥାନା ମୁଗୁପୁର ଗାଁରେ ଭିଣୋଇ ସୁଦର୍ଶନ ସାହୁ ଙ୍କ ଘରେ ଲୁଚାଇ ରଖିଥିବା ପୁଲିସକୁ କହିଥିଲା । ଗତକାଲି ଘଟଗାଁ ପୁଲିସ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ , ପାଟଣା ଥାନା ଅଧିକାରୀ ସଂଧ୍ୟାରାଣୀ ଜେନା ସମ୍ପୃକ୍ତ ଗ୍ରାମକୁ ଯାଇ ୧ଲକ୍ଷ ୫୦ ହଜାର ୧୯୩ ଜବତ କରିବା ସହିତ ଅନ୍ୟ ଏକ ଠକେଇ ମାମଲା ରେ ରଖିଥିବା ଆଉ ୯ ହଜାର ଟଙ୍କା କୁ ମଧ୍ୟ ଜବତ କରିଥିଲେ ।ଏଥିସହିତ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ଠାରୁ ତାର ବାଇକ , ମୋବାଇଲ ଫୋନ କୁ ମଧ୍ୟ ପୁଲିସ ଜବତ କରିଛି । ଆଜି ତାକୁ ଗିରଫ କରିକୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର