ମାଗଣା ଡାଏଲିସିସ୍‌ ସେବା ‘ସହାୟ’ : ଏଯାଏ ୨୩ ଜିଲ୍ଲାରେ ଆରମ୍ଭ ହୋଇନି

ଏପ୍ରିଲରୁ ଜୁନ୍‌ ମଧ୍ୟରେ ୪୧୧ ରୋଗୀ ଉପକୃତ

ଭୁବନେଶ୍ୱର : ଚଳିତବର୍ଷ ଆରମ୍ଭରୁ ରାଜ୍ୟ ସରକାର କିଡ୍‌ନି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଆରମ୍ଭ କରିଛନ୍ତି ମାଗଣା ଡାଏଲିସିସ୍‌ ସେବା ‘ସହାୟ’। କ୍ୟାପିଟାଲ ହସ୍ପିଟାଲକୁ ମିଶାଇ ରାଜ୍ୟର ୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡ୍‌ରେ ଏହି ସେବା ଆରମ୍ଭ ହୋଇଛି। ତେବେ ୩ଟି ମେଡିକାଲ କଲେଜକୁ ବାଦ୍‌ ଦେଲେ ଅନ୍ୟ ୨୩ଟି ଜିଲ୍ଲାରେ ଏହି ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ସୂଚନା ମିଳିଛି।

ସୂଚନା ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୬ରେ ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ ଏହା କାର୍ଯ୍ୟକାରୀ ହୋଇଛି। ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଗରିବ ଲୋକମାନେ ଘରୋଇ ହସ୍ପିଟାଲରେ ଖର୍ଚାନ୍ତ ନ ହୋଇ ସରକାରୀ ଡାକ୍ତରଖାନାରେ ଏହି ସୁବିଧା ପାଇପାରିବେ। ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ୧୫୨.୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ରାଜ୍ୟ ସରକାର ୨କୋଟି ଟଙ୍କା ପାଇଛନ୍ତି। ସେହିପରି ୨୦୧୭-୧୮ରେ କେନ୍ଦ୍ର ସରକାର ୩.୫୮କୋଟି ଟଙ୍କା ଏହି ଯୋଜନାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।

ତେବେ ଗତବର୍ଷ ଶେଷ ଆଡ଼କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ମାଗଣା ଡାଏଲିସିସ୍‌ ସେବା ‘ସହାୟ’ ଯୋଜନା ଘୋଷଣା କରାଯାଇଥିଲା। ଗ୍ରାମାଞ୍ଚଳରେ ରହୁଥିବା ଗରିବ ଲୋକମାନେ ଯେପରି ଖର୍ଚାନ୍ତ ନ ହୋଇ ଡାଏଲିସିସ୍‌ ସୁବିଧା ପାଇପାରିବେ ସେଥିପାଇଁ ସରକାର ଏହି ଯୋଜନାରେ ଗୁରୁତ୍ୱ ଦେଇଛନ୍ତି। ଚଳିତବର୍ଷ ଏପ୍ରିଲ ପହିଲାରୁ ଏହା ଆରମ୍ଭ ହୋଇଛି। ରାଜ୍ୟ ସରକାର ଏହି ଯୋଜନା ପାଇଁ ୧.୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥକୁ ମିଶାଇଲେ ‘ସହାୟ’ ପାଇଁ ୬.୭୩କୋଟି ଟଙ୍କା ଖର୍ଚ ହେବ। ଏଥିରୁ ୫.୫୮କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି। ରାଜ୍ୟର ୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ସହାୟ’ କାର୍ଯ୍ୟକାରୀ ହୋଇଛି। ଗତ ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ୪୧୧ଜଣ ରୋଗୀଙ୍କୁ ଏହି ସେବା ମିଳିଥିବା ସୂଚନା ଆଇନରେ ସ୍ପଷ୍ଟ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ସର୍ବାଧିକ ୧୦୨ଜଣ ରୋଗୀ ଏହି ସେବା ପାଇଥିବା ବେଳେ ଅନୁଗୁଳରେ ୪୩, ବାଲେଶ୍ୱରରେ ୯୩, ବଲାଙ୍ଗୀରରେ ୫୩, ନୂଆପଡ଼ାରେ ୨୦, କେନ୍ଦୁଝରରେ ୫୫, ପୁରୀରେ ୪୫ ଜଣ ରୋଗୀ ଏହି ସେବା ପାଇଛନ୍ତି।

ସମ୍ବନ୍ଧିତ ଖବର