ଡିସେମ୍ବର ସୁଦ୍ଧା ବଣ୍ଟାଯିବ ମାଗଣା ଲାପଟପ୍‌ : ମେଧାବୀଙ୍କ ସମ୍ପର୍କୀୟ ଗ୍ରହଣ କରିପାରିବେ ଲାପଟପ୍‌, ଜୁଲାଇରେ ପ୍ରକାଶ ପାଇବ ୧୫ ହଜାର ପିଲାଙ୍କ ତାଲିକା

ଭୁବନେଶ୍ୱର : ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଧାମୂଳକ ଶିକ୍ଷା ସମେତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଧୀନ ପରୀକ୍ଷା ଦେଉଥିବା ଉପଶାସ୍ତ୍ରୀର ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ ବି ଲାପଟପ୍‌ ବଣ୍ଟନ କରାଯିବ। ଏଥିପାଇଁ ପୂର୍ବରୁ ଥିବା ଗାଇଡ୍‌ଲାଇନ୍‌ରେ ପରିବର୍ତନ କରାଯାଇଛି। ଛାତ୍ରଛାତ୍ରୀଙ୍କ ବଦଳରେ ସେମାନଙ୍କ ସମ୍ପର୍କୀୟ ମଧ୍ୟ ଲାପଟପ୍‌ ଗ୍ରହଣ କରିପାରିବେ। ଏଥିସହ ନିର୍ଧାରିତ ସମୟରେ ପିଲାଙ୍କୁ ଲାପଟପ୍‌ ମିଳିପାରିବ ସେଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷରେ ଏକ କମିଟି ମଧ୍ୟ ଗଠନ କରାଯିବ। ଲାପଟପ୍‌ର ସୁରକ୍ଷା ଓ ବଣ୍ଟନ ପରିଚାଳନା ଉପରେ ବି ଗୁରୁତ୍ୱାରୋପ କରାଯାଇଛି।

ଗାଇଡ୍‌ଲାଇନ୍‌ ଅନୁଯାୟୀ ଯଦି କୌଣସି ଛାତ୍ରଛାତ୍ରୀ ନିଜେ ଉପସ୍ଥିତ ରହି ଲାପଟପ୍‌ ଗ୍ରହଣ କରି ନ ପାରନ୍ତି ତେବେ ସେଭଳି ସ୍ଥିତିରେ ତାଙ୍କ ସମ୍ପର୍କୀୟକୁ ଦିଆଯାଇପାରିବ। କେଉଁ କାରଣ ପାଇଁ ଅନୁପସ୍ଥିତ ରହୁଛନ୍ତି ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ତାହାକୁ ବିଧିବଦ୍ଧ ଚିଠି ମାଧ୍ୟମରେ ଜଣାଇବେ। ପିଲା ଯେଉଁଠୁ ପାସ୍‌ କରିଥିବେ ସେଠାକର ଅଧ୍ୟକ୍ଷଙ୍କ ଦସ୍ତଖତ ଏଥିରେ ରହିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ପାଇଁ ଯିଏ ଲାପଟପ୍‌ ଗ୍ରହଣ କରିବେ ସେ ନିଜର ଯେକୌଣସି ପରିଚୟପତ୍ର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।

ଚଳିତବର୍ଷ ଲାପଟପ୍‌ ବଣ୍ଟନ ପାଇଁ ୩୦ଟି ନୋଡାଲ୍‌ ସେଣ୍ଟର କରାଯାଇଛି। ଆଇଟି ବିଭାଗ ପକ୍ଷରୁ ସମ୍ପୃକ୍ତ ନୋଡାଲ ସେଣ୍ଟରର କଲେଜ ଅଧ୍ୟକ୍ଷଙ୍କ ନିକଟକୁ ଲାପଟପ୍‌ଗୁଡ଼ିକ ପଠାଯିବ। ଜୁଲାଇ ମାସ ମଧ୍ୟରେ ୧୫ ହଜାର ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଏହି ତାଲିକାକୁ ନେଇ ଯଦି କୌଣସି ଛାତ୍ରଛାତ୍ରୀଙ୍କର କିଛି ବି ଅଭିଯୋଗ ରହିଥିବ ସେମାନେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ। ଯଦି ଅଭିଯୋଗର ସତ୍ୟତା ରହିଥିବ ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ନାମକୁ ସପ୍ଲିମେଣ୍ଟାରି ତାଲିକାରେ ଭର୍ତ୍ତି କରାଯିବ।

୨୦୧୮ ଡିସେମ୍ବର ୩୧ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ କରାଯିବ। ୨୦୧୮ ଡିସେମ୍ବର ପରେ ଏକ ସପ୍ଲିମେଣ୍ଟାରି ତାଲିକା ପ୍ରକାଶ ପାଇବ। ଯେଉଁମାନେ ଲାପଟପ୍‌ ଗ୍ର୍ରହଣ କରି ନ ଥିବେ ଏବଂ ଅଭିଯୋଗ କରିଥିବା ଛାତ୍ରଛାତ୍ରୀ ଏହି ତାଲିକାରେ ରହିବେ। ସପ୍ଲିମେଣ୍ଟାରି ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ୨୦୧୯ ଜାନୁଆରୁ ୩୧ ସୁଦ୍ଧା ଲାପଟପ୍‌ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୮୨୨ ଡିଗ୍ରି ଓ ୨୯ଟି ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।

ନୋଡାଲ ସେଣ୍ଟରର ଅଧ୍ୟକ୍ଷ କଲେଜର ଜଣେ ଦକ୍ଷ ଓ ବିଶ୍ୱସ୍ତ ଶିକ୍ଷକଙ୍କୁ ଲାପଟପ୍‌ଗୁଡ଼ିକର ସୁବଣ୍ଟନ ପାଇଁ ନିଯୁକ୍ତ କରିବେ। ସମ୍ପୂର୍ଣ୍ଣ ବଣ୍ଟନ ପ୍ରକ୍ରିୟାର ତଦାରଖ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ନୋଡାଲ ସେଣ୍ଟର ଅଧ୍ୟକ୍ଷ ଏହାର ଆବାହକ, ନୋଡାଲ କଲେଜର ଲାପଟପ୍‌ ବଣ୍ଟନ ଦାୟିତ୍ୱରେ ଥିବା ଶିକ୍ଷକ ସଦସ୍ୟ ରହିବେ। ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ଦେବା ପୂର୍ବରୁ ନୋଡାଲ ସେଣ୍ଟରର ଅଧ୍ୟକ୍ଷ ଭଲଭାବେ ସାର୍ଟିଫିକେଟ୍‌ ଯାଞ୍ଚ କରିବେ। ସମ୍ପୃକ୍ତ ଛାତ୍ରଛାତ୍ରୀ ଯେଉଁ କଲେଜରୁ ପାସ୍‌ କରିଛନ୍ତି ସେଠାକାର ଅଧ୍ୟକ୍ଷ ସାର୍ଟିଫିକେଟ୍‌କୁ ଅନୁମତି ଦେବା ସହ କଲେଜ ପରିଚୟପତ୍ର/ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଆଡମିଟ୍‌ କାର୍ଡକୁ ଯାଞ୍ଚ କରିବା ଆବଶ୍ୟକତା ରହିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର