ସମ୍ଭାଳି ହେଉନି ମାଗଣା ଏମ୍‌ଆର୍‌ଆଇ

ଆସୋସିଏଟ୍‌ ଓ ପ୍ରଫେସରଙ୍କ ଦସ୍ତଖତ ବାଧ୍ୟତାମୂଳକ

କଟକ : କଟକ ବଡ ମେଡିକାଲ୍‌ରେ ‘ନିଦାନ’ ଯୋଜନା ଅଧୀନରେ ଏମ୍‌ଆର୍‌ଆଇ ପରୀକ୍ଷାକୁ ମାଗଣା କରାଯାଇଛି। ହେଲେ ମାଗଣା ହେବାର ଦୁଇ ଦିନ ପରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏମ୍‌ଆର୍‌ଆଇ କେନ୍ଦ୍ରରେ ରୋଗୀ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏଥିଯୋଗୁଁ ଏମ୍‌ଆର୍‌ଆଇ ଟେକ୍ନିସିଆନ୍‌ମାନେ ବି ନିରନ୍ତର ଡ୍ୟୁଟି କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ମାଗଣା ଏମ୍‌ଆର୍‌ଆଇ ଉପରେ କିଛିଟା ଅଙ୍କୁଶ ଲଗାଯାଇଛି। କେବଳ ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ର‍୍ୟାଙ୍କର ଡାକ୍ତର ଏମ୍‌ଆର୍‌ଆଇ ପାଇଁ ଲେଖିପାରିବେ। ଏଥିସହିତ ସେମାନଙ୍କ ପୂର୍ଣ୍ଣ ଦସ୍ତଖତ ସହ ଷ୍ଟାମ୍ପ ରହିବା ବାଧ୍ୟତାମୂଳକ।

ଯଦି ପିଜି, ଏସ୍‌ଆର୍‌ ଏମ୍‌ଆର୍‌ପାଇଁ ଲେଖିବେ, ତାହେଲେ ତାହାକୁ ଅବୈଧ ବୋଲି ଧରାଯିବାକୁ ଅଧୀକ୍ଷକ ଏକ ବିଜ୍ଞପ୍ତି ଜରିଆରେ ଜଣାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏମ୍‌ଆର୍‌ଆଇ ମାଗଣା ହେବା ପରେ ପିଜିଠାରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ସମସ୍ତେ ନିହାତି ଆବଶ୍ୟକ ନଥିଲେ ବି ଏମ୍‌ଆର୍‌ଆଇ ପାଇଁ ଲେଖୁଛନ୍ତି। ଫଳରେ ଦୁଇ ଦିନ ହେଲା ଆର୍‌ଡିସି ପରିସରରେ ଥିବା ଏମ୍‌ଆର୍‌ଆଇ କେନ୍ଦ୍ରରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ରୋଗୀଙ୍କ ସଂଖ୍ୟା ଅନୁଯାୟୀ ପରୀକ୍ଷା ହୋଇପାରୁନଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ମଧ୍ୟ ଅସନ୍ତୁଷ୍ଟ ହେଉଥିଲେ। ଏହାକୁ ଦେଖି ମାଗଣା ଏମ୍‌ଆର୍‌ଆଇ ଲେଖାଯିବା ଉପରେ କିଛିଟା କଟକଣା ଜାରି କରାଯାଇଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର