ଭୁବନେଶ୍ବର ହେଲା ୱାଇଫାଇ : ଦିନକୁ ୨୫୦ ଏମ୍‌ବି ମାଗଣା ଡାଟା

ପୁରୀ ଓ ୫ ମହାନଗରରେ ବି ମାଗଣା

ଭୁବନେଶ୍ବର : ଆଜିଠାରୁ ରାଜଧାନୀ ଭୁବନେଶ୍ବର ୱାଇଫାଇ ସହର ହୋଇଯାଇଛି। ଏବେ ଯେ କେହିବି କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲ୍‌କୋ ଛକରୁ ଆଚାର୍ଯ୍ୟବିହାର ଅଞ୍ଚଳ ମଧ୍ୟରେ ମାଗଣାରେ ୱାଇଫାଇରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଦୈନିକ ମାଗଣାରେ ୨୫୦ଏମ୍‌ବି ଇଣ୍ଟରନେଟ୍ ଡାଟା ପାଇବେ। ଏହାପରେ ପୂରା ଭୁବନେଶ୍ବର (ବିଏମ୍‌ସି) ଅଞ୍ଚଳରେ ୱାଇଫାଇ ସେବା ଉପଲବ୍ଧ ହେବ।

ଭୁବନେଶ୍ବରକୁ ୱାଇଫାଇ ସହର କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ହୋଇଥିବା ‘ଭୁବନେଶ୍ବର ମି ୱାଇଫାଇ’ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖୁବ୍‌ଶୀଘ୍ର ରାଜ୍ୟର ଆଉ ୪ ମହାନଗର ନିଗମ କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ସମେତ ଜଗନ୍ନାଥ ଧାମ ପୁରୀ ସହରରେ ମାଗଣାରେ ୱାଇଫାଇ ସେବା ଉପଲବ୍ଧ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଦିନ ଭୁବନେଶ୍ବର ପାଇଁ ଏକ ଐତିହାସିକ ଦିନ। ମନ୍ଦିରମାଳିନୀ ସହର ଏବେ ବିଶ୍ବର ଶ୍ରେଷ୍ଠ ଆଧୁନିକ ସହରଗୁଡ଼ିକ ଭଳି ସୂଚନାପ୍ରଯୁକ୍ତିର ସହର ପାଲଟିବ। ଏହି ପ୍ରକଳ୍ପ ଯୁବପିଢିଙ୍କ ଜ୍ଞାନ ଆହରଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ପୂରା ଭୁବନେଶ୍ବରରେ ୫୦୦ ହଟ୍‌ସ୍ପଟ୍ ମାଧ୍ୟମରେ ୱାଇଫାଇ ସେବା ଯୋଗାଇ ଭୁବନେଶ୍ବର ଗ୍ଲୋବାଲ ସ୍ମାର୍ଟ ସିଟି ପାଲଟିବ। ଏବେ ମାଗଣାରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଯୁବପିଢ଼ି ଏହି ବିଶ୍ବଶ୍ରେଣୀୟ ସୁବିଧାର ସଦୁପଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏବେ ଭୁବନେଶ୍ବରରେ ୧୦୦ଟି ହଟ୍‌ସ୍ପଟ୍ କାର୍ଯ୍ୟକ୍ଷମ ଥିବାବେଳେ ଏଥିରେ ୨୭୫ଟି ଆସେସ୍‌ ପଏଣ୍ଟ ରହିଛି। ଖୁବ୍ ଶୀଘ୍ର ରାଜଧାନୀରେ ୫୧୮ଟି ହଟ୍‌ସ୍ପଟ୍ ସହ ୧୮୦୦ଟି ଆସେସ୍‌ ପଏଣ୍ଟ୍‌ ରହିବ। ଇଣ୍ଟରନେଟ୍ ସ୍ପିଡ୍ ୨ଏମ୍‌ବିପିଏସ୍‌ରେ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ୨୫୦ଏମ୍‌ବି ମାଗଣା ଇଣ୍ଟରନେଟ୍‌ ଡାଟା ପାଇବେ।

ଆଜିର ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିସନର ଏବଂ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଅଧ୍ୟକ୍ଷ ଆର୍‌.ବାଲକ୍ରିଷ୍ଣନ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର