ସ୍ୱାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ରାୟ ଅଗ୍ରଓା୍ଵଲଙ୍କ ପରଲୋକ

ଶେଷ ଇଚ୍ଛା ଅନୁଯାୟୀ ହେଲା ଚକ୍ଷୁଦାନ

କଟକ : ସ୍ୱାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ରାୟ ଅଗ୍ରୱାଲ (ପୁଚି ଭାଇନା)ଙ୍କର ଆଜି ୯୨ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ଆଜି ଦିନ ସାଢେ ଦଶଟାରେ ସେ ତାଙ୍କ ନୟାସଡ଼କସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶେଷ ଇଚ୍ଛା ଅନୁଯାୟୀ ତାଙ୍କର ଦୁଇଟି ଆଖିକୁ ଦାନ କରାଯାଇଥିବା ବେଳେ ‘ଦୃଷ୍ଟିଦାନ’ ପକ୍ଷରୁ ତାହାକୁ ସଂଗ୍ରହ କରାଯାଇଛି। ଶେଷଶଯ୍ୟା ନିକଟରେ ତାଙ୍କ ପୁତୁରା ବଜରଙ୍ଗୀ ଅଗ୍ରଓ୍ଵାଲ, ବୋହୂ ସଂଧ୍ୟା ଅଗ୍ରଓ୍ଵାଲ, ନାତି ହେମନ୍ତ ଅଗ୍ରଓ୍ଵାଲ, ପୂଜା ଅଗ୍ରଓ୍ଵାଲଙ୍କ ସମେତ ବଂଧୁ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ। ସ୍ୱର୍ଗତ ଅଗ୍ରଓ୍ଵାଲଙ୍କ ଶେଷକୃତ୍ୟ ଆସନ୍ତାକାଲି ସକାଳ ସାଢେ ନଅଟାରେ ଖାନନଗର ଶ୍ମଶାନରେ ଅନୁଷ୍ଠିତ ହେବ। ଝିଅ ମଂଜୁ ମୋଦି କଲିକତାରେ ରହୁଥିବା ବେଳେ ସେ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।

୧୯୨୬, ଜାନୁଆରି ୧ ତାରିଖରେ ଗଙ୍ଗାରାମ ଅଗ୍ରଓ୍ଵାଲ ଓ ପାନ୍ନା ଦେବୀଙ୍କ ଔରସରୁ ଜନ୍ମିତ ପ୍ରହଲ୍ଲାଦ ରାୟ ଅଗ୍ରଓ୍ଵାଲ ପିଏମ୍‌ ଏକାଡେମିରେ ସ୍କୁଲ୍‌ ଶିକ୍ଷା ପରେ ରେଭେନ୍ସା କଲେଜରେ ପାଠ ପଢିଥିଲେ। ସେହି ସମୟରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂସ୍ପର୍ଶରେ ଆସି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ବିଭୁଧେନ୍ଦ୍ର ମିଶ୍ର, ସୂରଜ ମଲ୍ଲ ଶାହା, ହରିହର ପୂଜାପଣ୍ଡା, ଉମାପଦ ତ୍ରିପାଠୀ, ଡକ୍ଟର ମୋତିଲାଲ ତ୍ରିପାଠୀଙ୍କ ସହ ମିଶି ସେ ଆଇଏନ୍‌ଏ ଫୌଜକୁ ସାହାଯ୍ୟ କରିବାର ରୂପରେଖ ପ୍ରସ୍ତୁତ କରିଥିଲେ। ୧୯୪୩, ଜୁନ୍‌ ୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ତାଙ୍କୁ କଟକ ଦରଘା ବଜାର ଜେଲ୍‌ ଏବଂ ପରେ ବ୍ରହ୍ମପୁର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଜେଲ୍‌ରେ ଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ନୀଳାମ୍ବର ଦାସ, ଭୈରବ ଚନ୍ଦ୍ର ମହାପାତ୍ର, ଜ୍ୱାଲା ପ୍ରସାଦ ସରାଓ୍ଵାଗୀ ପ୍ରମୁଖ ସହ ତାଙ୍କର ସଂପର୍କ ସ୍ଥାପନ ହୋଇଥିଲା। ୧୯୪୫, ଜାନୁଆରି ୬ ତାରିଖରେ ସେ ଜେଲ୍‌ରୁ ମୁକୁଳି ଥିଲେ ବି ପରବର୍ତ୍ତୀ ସମୟରେ ଡକ୍ଟର ହରେକୃଷ୍ଣ ମହତାବ, ବିଭୁଧେନ୍ଦ୍ର ମିଶ୍ରଙ୍କ ସହ ମିଶି ସ୍ୱାଧୀନତା ସଂଗ୍ରାମ ଜାରି ରଖିଥିଲେ। ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ ‘ତାମ୍ରପତ୍ର’ ପ୍ରଦାନ କରିଥିଲେ। ୨୦୦୭ରେ ରାଷ୍ଟ୍ରପତି ଭବନରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ତାଙ୍କୁ ସମ୍ମାନିତ କରିଥିଲେ।

ପ୍ରହଲ୍ଲାଦ ରାୟ ଅଗ୍ରଓ୍ଵାଲଙ୍କ ବିୟୋଗରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଶୋକ ବ୍ୟକ୍ତ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମୀନକେତନ ବେହେରା, କର୍ଣ୍ଣେଲ ଶରତ ଚନ୍ଦ୍ର ଦାସ ପ୍ରମୁଖ ସ୍ୱର୍ଗତ ରାୟଙ୍କ ନୟାସଡ଼କ ସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର