ସ୍ୱାଧୀନତା ସଂଗ୍ରାମୀ ସରସ୍ୱତୀ ଦେବୀଙ୍କ ପରଲୋକ

ଚଣ୍ଡିଖୋଲ : ବଡ଼ଚଣା ବ୍ଳକ୍‌ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବୃନ୍ଦାବନ ତ୍ରିପାଠୀଙ୍କ ଧର୍ମପତ୍ନୀ ସଂଗ୍ରାମୀ ତଥା ସମାଜସେବୀ ସରସ୍ୱତୀ ଦେବୀ (୮୯)ଙ୍କ ଗତ ୨୯ ତାରିଖ ରାତିରେ ତାଙ୍କ ବାଲିପଡ଼ିଆସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।

ମହାତ୍ମାଗାନ୍ଧିଙ୍କ ଡାକରାରେ ସ୍ୱାମୀ ସ୍ୱର୍ଗତ ବୃନ୍ଦାବନ ତ୍ରିପାଠୀଙ୍କ ସହ ମିଶି ସରସ୍ୱତୀ ଦେବୀ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଗାନ୍ଧିଜୀଙ୍କ ୧୯୩୪ ମସିହା ଡେଲାଙ୍ଗ ଗସ୍ତ ସମୟରେ ସ୍ୱାମୀଙ୍କ ସହ ସରସ୍ୱତୀ ଦେବୀ ସେଠାରେ ଗାନ୍ଧିଜୀଙ୍କ ପ୍ରଥମ ସାକ୍ଷାତ ପାଇଥିଲେ। ୧୯୫୨ରେ କୋରାପୁଟ୍‌ର ଭୁଦାନ ଆନ୍ଦୋଳନରେ ସେ ସାମିଲ ହୋଇ କାମ କରିଥିଲେ। ନିଜ ଗ୍ରାମ ବାଲିପଡ଼ିଆ ଠାରେ ପ୍ରତିଷ୍ଠା କରାଯାଇଥିବା ସ୍ୱାଧୀନତାସଂଗ୍ରାମର ସ୍ମାରକୀ ପୀଠ ଠକ୍କର ବାପା ଆଶ୍ରମର ମଧ୍ୟ ସେ ଦାୟିତ୍ଵ ତୁଲାଉଥିଲେ। କାଇକଡ଼ା ଗୁଳିକାଣ୍ଡ ଘଟଣାରେ ସେ ବ୍ୟଥିତ ହୋଇ ବ୍ରିଟିଶ୍‌ ସରକାରଙ୍କ ବିରୁଦ୍ଧରେ ସେ ସଂଗ୍ରାମୀଙ୍କ ସହ ମିଶି ସଚେତନତା ସୃଷ୍ଟି କରିଥିଲେ। ରମାଦେବୀ,ଗୋପବଂଧୁ ଚୌଧୁରୀ, ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀଙ୍କ ଭଳି ବିଶିଷ୍ଟ ସଂଗ୍ରାମୀଙ୍କ ସହ ମିଶି ସେ କାର୍ଯ୍ୟ କରିବାର ବିରଳ ସଂଯୋଗ ମଧ୍ୟ ପାଇଥିଲେ।

ତାଙ୍କ ମୃତ୍ୟୁ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଜଗନ୍ନାଥ ମାନ୍ଧାତା ସ୍ମୃତି କମିଟି ପକ୍ଷରୁ ଶ୍ରୀକାନ୍ତ ସାମଲ ଓ ସୁମନ୍ତ କୁମାର ଭୂୟାଁ ପ୍ରମୁଖ ସ୍ୱର୍ଗତା ସରସ୍ୱତୀ ଦେବୀଙ୍କ ମରଶରୀରରେ ଜାତୀୟପତାକା ଆଚ୍ଛାଦିତ କରିଥିଲେ। ପରେ ପରେ ତାଙ୍କ ମରଶରୀରକୁ ନାମ ସଂକୀର୍ତନ ସହ ଏକ ଶୋଭାଯାତ୍ରାରେ ଠକ୍‌କର ବାପା ଆଶ୍ରମ ସହିତ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା। ସାନପୁଅ ନିରଞ୍ଜନ ତ୍ରିପାଠୀ ମୁଖାଗ୍ନି ଦେଇଥିବା ବେଳେ ଏଥିରେ ତାଙ୍କର ବଡ଼ପୁଅ ବିଜୟ କୁମାର ତ୍ରିପାଠୀ ଓ ନାତି ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀ ସହଯୋଗ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପ୍ରାକ୍ତନ ସାଂସଦ ମୋହନ ଜେନା, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ଜନ୍ମେଜୟ ଲେଙ୍କା, ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି, ବ୍ଲକ୍‌ ବିଜେଡି ସଭାପତି ଅରବିନ୍ଦ ସାମଲ, ଶାରଦା ପ୍ରସନ୍ନ ମହାନ୍ତି, ସୁବାସ ତ୍ରିପାଠୀ(ଜିତୁ), ସଂଜୟ ପାତ୍ର, ଶୁଭେନ୍ଦୁ ଭୂୟାଁ, ଗଣେଶ୍ୱର ବରାଳ, ଶରତ କୁମାର ସାମଲ, ମିହିର ପ୍ରତାପ ଦାସ, ସାମ୍ବାଦିକ ପ୍ରକାଶ ଚନ୍ଦ୍ର ସାମଲଓ ଏକାଦଶୀ ସେଠୀଙ୍କ ସମେତ ବହୁ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର