କନିକା ରାଜାଙ୍କ ମନ୍ତବ୍ୟକୁ ନେଇ ବିବାଦ

ସହିଦ ପୀଠରୁ ଆଜି ପୁଣି ଉଠିବ ମାଟି, ଅନଶନରେ ବସିବେ ସ୍ୱାଧୀନତା ସଂଗ୍ରାମୀ

ରାଜକନିକା : କନିକା ବାସୁ-ବିସୁନୀଙ୍କ ସହିଦ୍‌ ପୀଠରୁ ମାଟି ନେବା ବିବାଦ ଥମିବାର ନାଁ ନେଉନାହିଁ। ଏହି ବିବାଦକୁ ବଳି ପଡ଼ିଛି କନିକା ରାଜା ଶିବେନ୍ଦ୍ର ଭଞ୍ଜଦେଓଙ୍କ ମନ୍ତବ୍ୟ। ବାସୁ ଓ ବିସୁନି ସ୍ୱାଧୀନତା ସଂଗ୍ରାମୀ ନୁୁହନ୍ତି କି ସହିଦ୍‌ ନୁହନ୍ତି ବୋଲି ରାଜା ଶିବେନ୍ଦ୍ର କହିବା ପରେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ୱାଧୀନତା ସଂଗ୍ରାମୀମାନେ ଏଭଳି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି ଓ ୮ ତାରିଖ ଦୁଇଦିନ ଧରି କନିକା ସହିଦ୍‌ ସ୍ମୃତି ସଂସଦ ତରଫରୁ ପୁଣି ସହିଦ୍‌ ପୀଠରୁ ମାଟି ଉଠାଣ ପାଇଁ ନିଷ୍ପତ୍ତି ହୋଇଛି। ଏହାକୁ ବିରୋଧ କରି ଆସନ୍ତାକାଲି ସ୍ୱାଧୀନତା ସଂଗ୍ରାମୀମାନେ କେନ୍ଦ୍ରାପଡ଼ାଠାରେ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି।

କାର୍ଯ୍ୟସୂଚୀ ଅନୁସାରେ ଆସନ୍ତାକାଲି ସକାଳ ୬ଟା ୩୦ରେ ସହିଦ୍‌ ପୀଠରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସହିଦ୍‌ ପରିବାରଙ୍କୁ ସମ୍ବର୍ଦ୍ଧନା ସହ ମାଟି ପୂଜନ କରାଯାଇ ସାରା କନିକା ପରିକ୍ରମା କରାଯିବ। ୮ତାରିଖ ସକାଳ ୭ଟାରୁ ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱରେ ପରିକ୍ରମା କରାଯାଇ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଭବନରେ ମାଟି କଳସ ଅର୍ପଣ କରାଯିବା ପାଇଁ ଯୋଜନା ରହିଛି। ଗତ ୧ ତାରିଖ ଦିନ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନେ ସହିଦ୍‌ ପୀଠରୁ କାହାକୁ କିଛି ନ ଜଣାଇ ମାଟି ନେଇଥିବା ଘଟଣାକୁ ନେଇ ରାଜକନିକାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ଘଟଣାକୁ ନେଇ ‘ସମ୍ଭାବନା’ର ସ୍ୱେଚ୍ଛାସେବୀ ଶ୍ରୀକାନ୍ତ ନାୟକ କେନ୍ଦ୍ରାପଡ଼ାରେ ଅନଶନରେ ବସିଥିଲେ। ରାଜକନିକାରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ନାମରେ ରାଜକନିକା ଥାନାରେ ଏତଲା ଦିଆଯାଇଥିଲା । ସହିଦ୍‌ ମାଟିକୁ ଅସମ୍ମାନ କରିବା ପ୍ରତିବାଦରେ ନାନା ବିବାଦ ଦେଖା ଦେଇଥିଲା। ପୁଣି ସସମ୍ମାନେ ମାଟି ନେବା ପାଇଁ ନିଷ୍ପତ୍ତି ହେବାରୁ ସ୍ମତି ସଂସଦ ତରଫରୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ପୁଣି ମାଟି ନେବା ଘଟଣାକୁ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପକ୍ଷରୁ ନାପସନ୍ଦ କରାଯିବା ସହିତ ଏହା ସହିଦ୍‌ମାନଙ୍କ ପ୍ରତି ଅବମାନନା ବୋଲି କହି ଅନଶନ କରିବାକୁ ଘୋଷଣା କରିଛନ୍ତି।

ଅନ୍ୟ ପକ୍ଷରେ କନିକା ରାଜା ଶ୍ରୀ ଭଂଜଦେଓଙ୍କ ମନ୍ତବ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବାସୁ-ବିସୁନୀ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବୋଲି ରାଜାଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ୱାଧୀନତା ସଂଗ୍ରାମୀମାନେ ଏହି ମନ୍ତବ୍ୟର ଘୋର ନିନ୍ଦା କରିଛନ୍ତି। କନିକା ସହିଦ୍‌ ସ୍ମୃତି ସଂସଦ ସଭାପତି ଲକ୍ଷ୍ମୀ ନାରାୟଣ ସାହୁ ରାଜାଙ୍କ ମନ୍ତବ୍ୟର ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ହିନ୍ଦ୍‌ ମଜଦୁର ସଭା ପକ୍ଷରୁ ମଧ୍ୟ ରାଜାଙ୍କ ମନ୍ତବ୍ୟର ନିନ୍ଦା କରାଯାଇଛି। କାର୍ଯ୍ୟକାରୀ ସଭାପତି ତଥା ରାଉରକେଲାସ୍ଥିତ କନିକା ବିକାଶ ମଞ୍ଚ ଉପଦେଷ୍ଟା ବିଦ୍ୟାଧର ବାରିକ ରାଜାଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, କନିକାପ୍ରଜା ଆନ୍ଦୋଳନକୁ ଦମନ କରିବାକୁ ରାଜାଙ୍କ ସମର୍ଥକମାନେ ଯେଉଁ ଅମାନୁଷିକ ଦମନଲୀଳା ଚଳାଇଥିଲେ, ତାହା ଉତ୍କଳମଣି ଗୋପବନ୍ଧୁଙ୍କ ବନ୍ଦୀର ଆତ୍ମକଥା, ଡ. ହରେକୃଷ୍ଟ ମହତାବଙ୍କ ସାଧନାରେ ପଥେ, ରାଜକନିକାର ବିପ୍ଳବୀ ଲେଖକ ପ୍ରଫୁଲ୍ଲ ଦାସଙ୍କ ସହିଦ ବାସୁ-ବିସୁନି ପୁସ୍ତକରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ଦୁଃଖିନୀ କନିକାର ଅତ୍ୟାଚାର କାହାଣୀ ଏପରି ନିଷ୍ଠୁର ଓ ମର୍ମନ୍ତୁଦ ହୋଇଥିଲା ଯେ, ମହାତ୍ମାଗାନ୍ଧୀଙ୍କ ଆଖି ଲୁହରେ ଭରି ଯାଇଥିଲା। ଦୀର୍ଘ ୯୬ବର୍ଷ ତଳର କନିକା ଅତ୍ୟାଚାର କାହାଣୀ ବର୍ଣ୍ଣନା କରିବାକୁ ବିପ୍ଳବୀ ଲେଖକ ପ୍ରଫୁଲ୍ଲ ଦାସ ଓ ଅନ୍ୟମାନେ ଏବେ ଆଉ ଇହଧାମରେ ନାହାନ୍ତି। ଏପରି ସ୍ଥଳେ ରାଜ୍ୟସ୍ତରୀୟ ସ୍ମୃତିସ୍ତମ୍ଭ ସହିତ କନିକାର ନାମ ଯୋଡ଼ି ହେବା ଅତ୍ୟନ୍ତ ଗୌରବର ବିଷୟ। ସମସ୍ତେ ଏହାକୁ ସ୍ୱାଗତ କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର