ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ମିଳୁନି କେନ୍ଦ୍ରୀୟ ଭତ୍ତା

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ନନ୍ଦ କିଶୋର ବାରିକ କେନ୍ଦ୍ର ସରକାରଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇଁ ଦୌଡ଼ି ଦୌଡ଼ି ଆଖି ବୁଜିଲେ । ଭତ୍ତା ମିଳିଲାନି। ହେଲେ, ରାଜ୍ୟ ସରକାରଙ୍କଠାରୁ ମାସିକ ମାତ୍ର ୩ଶହ ଟଙ୍କା ଭତ୍ତା ପାଉଥିଲେ । ଏବେ ପତ୍ନୀ ନୀଳ ବାରିକ(୮୫) ଉତ୍ତରାଧିକାର ଭାବେ ଭତ୍ତା ପାଇଁ ଅଫିସ୍‌ରୁ ଅଫିସ୍‌ ଦୌଡ଼ି ନିରାଶ ହେଉଛନ୍ତି। ରାଜ୍ୟ ସରକାର ଅନୁକମ୍ପା ଦେଖାଇ ତାଙ୍କୁ ମାସିକ ୧୦ ହଜାର ଟଙ୍କାର ଭତ୍ତା ପ୍ରଦାନ କରୁଛନ୍ତି । କିନ୍ତୁ ସମସ୍ତ ପ୍ରମାଣପତ୍ର ପ୍ରଦାନ କରିବା ସତ୍ତ୍ୱେ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ନନ୍ଦ କିଶୋର କିମ୍ବା ତାଙ୍କ ଅନ୍ତେ ନୀଳଙ୍କୁ କେନ୍ଦ୍ର ସରକାରଙ୍କ ଭତ୍ତା ମିଳି ପାରିନାହିଁ ।

ନୀଳଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଆରିପଦାର ସ୍ୱାଧୀନତା ସଂଗ୍ରାମୀ ବଂଶୀଧର ପରିଡ଼ା, କାକଟର ଧୀରାମଣି ଦେବୀ ସମସାମୟିକ ହୋଇଥିଲେ ହେଁ ସେମାନଙ୍କୁ କେନ୍ଦ୍ରୀୟ ସ୍ୱାଧୀନତା ଭତ୍ତା ମିଳୁଥିଲା। କିନ୍ତୁ ଭାରତ ସରକାରଙ୍କ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ଯୋଜନା ଅନୁସାରେ ମାର୍ଚ ୧୯୮୨ ସୁଦ୍ଧା ଓ ଏପ୍ରିଲ ୧୯୮୭ ସୁଦ୍ଧା ରାଜ୍ୟ ସ୍ୱାଧୀନତା ସଗ୍ରାମୀ ଭତ୍ତା ପାଇଁ ଆବେଦନ କରିଥିବା ସଂଗ୍ରାମୀଙ୍କୁ ହିଁ ଭତ୍ତା ମିଳିବ ବୋଲି ସରକାର ବିଜ୍ଞପ୍ତି ଜାରି କରିଥିଲେ। ଜେଲ ଦଣ୍ଡ, ଆତ୍ମଗୋପନ, ରାଜ୍ୟରୁ ବହିଷ୍କାର, ଗୃହବନ୍ଦୀ, ବେତ ଓ ଚାବୁକ ମାଡ଼, ସଂପତ୍ତି ବାଜ୍ୟାପ୍ତି, ଗୁଳିମାଡ଼, ଚାକିରିରୁ ବରଖାସ୍ତ ଭଳି ଦଣ୍ଡାଦେଶର ପ୍ରମାଣପତ୍ର ଦାଖଲ କଲେ ସଂପୃକ୍ତ ସଂଗ୍ରାମୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ମିଳିବା କଥା ।

କିନ୍ତୁ ଆତ୍ମଗୋପନ ବିଭାଗରେ ଚିହ୍ନଟ ନନ୍ଦ କିଶୋରଙ୍କୁ ସ୍ୱାଧୀନତା ସଂଗ୍ରାମ ଭତ୍ତା ମିଳି ପାରିନାହିଁ । ଏ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ନିକଟକୁ ସମସ୍ତ ଆବଶ୍ୟକ ପ୍ରମାଣପତ୍ର ପଠାଇ ଦରଖାସ୍ତ ଅନୁମୋଦନ କରିଥିଲେ ହେଁ କେନ୍ଦ୍ର ସରକାର ଅଦ୍ୟାବଧି ତାହା ବିଚାରକୁ ନେଇ ନ ଥିଲେ । ଏ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୧୯୯୪ ଅକ୍ଟୋବର ୫ ତାରିଖରେ ୬ ମାସ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପ୍ରଦାନ ନିମନ୍ତେ ନନ୍ଦ କିଶୋରଙ୍କ ସପକ୍ଷରେ ନିର୍ଦ୍ଦେଶନାମା ଜାରି କରିଥିଲେ । ୩୧.୩.୨୦୦୫ ତାରିଖରେ ନନ୍ଦ କିଶୋରଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଅଦ୍ୟାବଧି କେନ୍ଦ୍ର ସରକାର ହାଇକୋର୍ଟଙ୍କ ଆଦେଶ ପାଳନ କରି ନାହାନ୍ତି। ୬ ମାସ ଧରି ସ୍ୱାଧୀନତା ସଂଗ୍ରାମ ବେଳେ ଆତ୍ମଗୋପନ କରିଥିବା ସ୍ୱୀଧୀନତା ସଂଗ୍ରାମୀ ଓ ତାଙ୍କ ପରିବାର ପ୍ରତି କେନ୍ଦ୍ର ସରକାରଙ୍କ ଦରଦ ନାହିଁ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁମୋଦନକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଗ୍ରହଣ କରି ନ ଥିବା ଦୁର୍ଭାଗ୍ୟଜନକ ଓ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର