ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠରେ ଅଦାଲତ ଅବମାନନା ମାମଲା : ରାଜ୍ୟର ସମସ୍ତ ବାର ଆସୋସିଏସନକୁ ନୋଟିସ ଜାରି, ୨୧ରେ ପରବର୍ତ୍ତୀ ଶୁଣାଣି

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ୧୪ ଜଣ  ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏକ ଅଦାଲତ  ଅବମାନନା ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ  ହାଇକୋର୍ଟ ବାର ଆସୋସିଏସନ ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନକୁ ନୋଟିସ ଜାରି କରିଛନ୍ତି ମାନ୍ୟବର ହାଇକୋର୍ଟ। ନୋଟିସର ଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ ତାରିଖରେ ହେବ ବୋଲି ଖଣ୍ଡପୀଠ ନିଷ୍ପତ୍ତି କରିଛନ୍ତି। ଏହି ମାମଲାରେ ରାଜ୍ୟର ମୁଖ୍ୟ ସଚିବ, ଆଇନ ସଚିବ ଓ ଗୃହ ସଚିବଙ୍କୁ ବି ନୋଟିସ ଜାରି ହୋଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ଅଦାଲତ ଅବମାନନା ମାମଲା ଓକିଲ ସଂଘଗୁଡ଼ିକର ଆନ୍ଦୋଳନ ଯୋଗୁଁ ଅଦାଲତରେ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବା ପ୍ରସଙ୍ଗ ଉପରେ ପଯ୍ୟର୍ବସିତ । ଏଥିରେ ରାଜ୍ୟ ସରକାର ବି ପକ୍ଷଭୁକ୍ତ ଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିକଟ ଅତୀତରେ କେବେ ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ କୌଣସି ମାମଲାର ଶୁଣାଣି କରି ନ ଥିଲେ ।

ଅନ୍ୟପକ୍ଷରେ  ବିଚାରପତି ନିଯୁକ୍ତି ପ୍ରସଙ୍ଗ ନେଇ ହାଇକୋର୍ଟର ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବୁଧବାର ଯାଏଁ କୋର୍ଟ ବର୍ଜନ ଜାରି ରହିବ ବୋଲି ହାଇକୋର୍ଟ ବାର ଆସୋସିଏସନ କହିଛି । ୧୬ ତାରିଖରେ ଏ ନେଇ ଆଇନଜୀବୀମାନେ ପରବର୍ତୀ ନିଷ୍ପତ୍ତି ନେବେ । ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟ କଲେଜିୟମ ଓ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ  ଆଇନଜୀବୀମାନେ ବିରୋଧ କରୁଛନ୍ତି । ଏଭଳି ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସେମାନେ ଦାବି କରିଛନ୍ତି । ଏହାସହିତ ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ  କମିସନ (ଏନଜେଏସି) ମାଧ୍ୟମରେ ବିଚାରପତି ନିଯୁକ୍ତି ପାଇଁ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର