ଗହୀରମଥାରୁ ୨ ଟ୍ରଲର ଜବତ ୧୯ ମତ୍ସ୍ୟଜୀବୀ ଗିରଫ

ରାଜନଗର: ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ଧରୁଥିବା ଦୁଇଟି ଟ୍ରଲର୍‌କୁ ଆଜି ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଜବତ କରିଛି। ଟ୍ରଲ୍‌ରରୁ ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ବନବିଭାଗ ପାଟ୍ରୋଲିଂ ଟିମ୍‌ ସାତଭାୟା କୂଳରୁ ପ୍ରାୟ ୫ କିମି ଦୂରରେ ମା’ ମହାଲକ୍ଷ୍ମୀ-୧ ନାମକ ଟ୍ରଲର୍‌ ମାଛ ମାରୁଥିବା ଦେଖିଥିଲେ। ପାଟ୍ରୋଲିଂ ଟିମ୍‌ ଟ୍ରଲର୍‌ଟିକୁ ଜବତ କରିବା ସହ ସେଥିରୁ ୩ଟି ଭିଏଚ୍‌ଏଫ୍‌, ଗୋଟିଏ ଜିପିଏସ, ଗୋଟିଏ ଫିସ୍‌ ଫାଇଣ୍ଡର୍‌, ୧୨ଟି ଟ୍ରଲିଂ ନେଟ୍‌ ଓ ଏକ କ୍ୱିଣ୍ଟାଲ ମାଛ ଜବତ କରିଛନ୍ତି। ଏହା ସହିତ ଟ୍ରଲରରେ ଥିବା ଗୌରାଙ୍ଗ ପ୍ରଧାନ, ବଳରାମ ପାଲ, ହିମାଂଶୁ ବାରିକ, ଶ୍ରୀଧର ସାହୁ, ମଣିଭଦ୍ର ମାଝି, ମୁର୍ସେତ ଅଲ୍ଲୀ ସାହା, ଅରୁଣ କୁମାର ଜାନା, ଉପେନ୍ଦ୍ର ମଲ୍ଲିକ, ନନ୍ଦ ଦୁଲାଲ ସାହୁ ପ୍ରମୁଖ ୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସେହିପରି ହୁକିଟେଲା କୂଳରୁ ପ୍ରାୟ ୮କିମି ଦୂରରେ ମାଛ ଧରୁଥିବା ମା’ ସୋନା ତାରିଣୀ-୧ ଟ୍ରଲର୍‌କୁ ବନବିଭାଗ ପାଟ୍ରୋଲିଂ ଟିମ୍‌ ଜବତ କରିବା ସହ ୧୦ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଟ୍ରଲରରୁ ୨ଟି ଭିଏଚ୍‌ଏଫ୍‌, ଗୋଟିଏ ଜିପିଏସ, ଗୋଟିଏ ଫିସ୍‌ ଫାଇଣ୍ଡର୍‌, ୧୫ଟି ଟ୍ରଲିଂ ନେଟ୍‌ ଓ ୨ କ୍ୱିଣ୍ଟାଲ ମାଛ ଜବତ କରାଯାଇଛି। ଗିରଫ ମତ୍ସ୍ୟଜୀବୀ ରବୀନ୍ଦ୍ର କୁମାର ମଣ୍ଡଳ, ପ୍ରକାଶ କୁମାର ମୁଦି, ଯଦୁ ମଣ୍ଡଳ, ରଘୁନାଥ କାମିଳିଆ, ଶ୍ରୀକୃଷ୍ଣ ବେହେରା, ଦୁଃଖିରାମ ମଣ୍ଡଳ, ମନୋରଞ୍ଜନ ପାଲ୍‌, ହେମନ୍ତ ମଣ୍ଡଳ, ରବିଶଙ୍କର ପ୍ରଧାନ ଓ ବୀରେନ୍ଦ୍ର ମଣ୍ଡଳଙ୍କୁ କୋର୍ଟଚାଲାଣ କରାଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ ଯେ , ଗତ ୬ ତାରିଖ ଦିନ ବେଆଇନ ଭାବେ ମାଛ ମାରୁଥିବା ୪ଟି ଟ୍ରଲର୍‌କୁ ବନ ବିଭାଗ ଜବତ କରିବା ସହ ୩୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର