ହାତୀ ଘଉଡ଼ାଇବା ପାଇଁ ଆସିବ ‘ଗଜ ଗାଡ଼ି’

ଘରୋଇ ଜମିରେ ଖୋଳାଯିବ ଟ୍ରେଞ୍ଚ୍‌ ଓ ସୋଲାର ଫେନ୍ସିଂ

ଭୁବନେଶ୍ବର: ୨୦୧୮ ବର୍ଷତମାମ ସହର ଓ ଗାଁମୁହାଁ ‌ହୋଇଥିଲେ ହାତୀପଲ। ଭୁବନେଶ୍ବର ଭିତରକୁ ପଶିଥି‌ଲେ, କଟକରେ ବି ଉତ୍ପାତ କରିଥିଲେ ଜଙ୍ଗଲୀ ହାତୀ। ସେହିପରି ହାତୀପଲ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଓ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳକୁ ପ୍ରବେଶ କରି ଧନଜୀବନ କ୍ଷତି କରି ଚାଲିଛନ୍ତି। ହାତୀ ଓ ମଣିଷ ଲଢ଼େଇ ବର୍ଷକୁ ବର୍ଷ ବଢ଼ୁଥିବାରୁ ତାହାକୁ ରୋକିବା ପାଇଁ ନୂଆବର୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ। ସରକାରୀ ଜମି ସହ ଘରୋଇ ଜମିରେ ସୋଲାର ଫେନ୍ସିଂ ଓ ଟ୍ରେଞ୍ଚ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ହାତୀ ଘଉଡ଼ାଇବାକୁ ପଶ୍ଚିମବଙ୍ଗରୁ ସ୍ବତନ୍ତ୍ର ‘ଗଜ ଗାଡ଼ି’ ଅଣିବାକୁ ଯୋଜନା କରାଯାଇଛି।

ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ କ୍ଷତିପୂରଣ ଦେବାକୁ ପ୍ରସ୍ତାବ

ଖାଦ୍ୟ ଅନ୍ବେଷଣରେ ପ୍ରତିବର୍ଷ ‌ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହାତୀପଲ ଗାଁ ଓ ସହରମୁହାଁ ହୋଇଥାନ୍ତି। ଏହାକୁ ନେଇ ଲୋକେ ଆତଙ୍କିତ‌ ହେବା ସହ ବହୁ ଧନଜୀବନ ନଷ୍ଟ ହେଉଛି। ଲୋକଙ୍କ ପ୍ରାଣ ଯାଉଛି। ଜଙ୍ଗଲୀ ହାତୀ ଯେପରି ସହର ଓ ଜନବସତି ଆଡ଼କୁ ମାଡ଼ି ନ ଆସନ୍ତି ସେଥିପାଇଁ ସୋଲାର ଫେନ୍ସିଂ କରାଯାଇଛି। ହେଲେ ସେଗୁଡ଼ିକ ଏବେ ଠିକ୍‌ ଭାବେ କାମ କରୁ ନଥିବା ଦେଖିବାକୁ ମିଳୁଛି। ସୋଲାର ଫେନ୍ସିଂକୁ ହାତୀ ମାନୁନାହାନ୍ତି। ବହୁ ସ୍ଥାନରେ ଭାଙ୍ଗିଯାଇଛି। କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ନୟାଗଡ଼, ଗଞ୍ଜାମ, ‌ଢ଼େଙ୍କାନାଳ, ଅନୁଗୁଳ ଆଜି ଜିଲ୍ଲାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି। ଏପରି ହୋଇଛି ଯେ ୨୦୧୧-୧୨ରୁ ୨୦୧୮-୧୯ ମଧ୍ୟରେ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୬୮୦ ଜଣଙ୍କ ପ୍ରାଣ ଯାଇଛି। ୫୪୮ ହାତୀଙ୍କର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀଙ୍କ ବାଟ ଓଗାଳିବାକୁ ଏଥର ସରକାରୀ ଜମି ପରିବର୍ତ୍ତେ ଘରୋଇ ଜମିରେ ଟ୍ରେଞ୍ଚ୍ ଖୋଳାଯିବ। ସେଠାରେ ସୋଲାର ଫେନ୍ସିଂ ବି କରାଯିବ। ସମ୍ପୃକ୍ତ ଜମି ମାଲିକଙ୍କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ। ଏହି ସମସ୍ତ କାର୍ଯ୍ୟ ପିପିପି ମୋଡରେ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ହାତୀଙ୍କୁ ଘଉଡ଼ାଇବା ଲାଗି ମାସକ ମଧ୍ୟରେ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ‘ଗଜ ଗାଡ଼ି’ ଅଣାଯିବ। ଏଥିରେ ସାଇରନ୍‌, ଟ୍ରାଙ୍କୁଲାଇଜର, କ୍ରେନ୍‌ ଭଳି ବିଭିନ୍ନ ସରଞ୍ଜାମ ରହିଛି। ଗାଡ଼ି ଉପରେ ବସି ହାତୀଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ା‌ ଯାଇପାରିବ। ସେହିପରି ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର