ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତି, ଆଜିଠାରୁ ପଟିଦିଅଁ ଦର୍ଶନ

ପୁରୀ : ଶ୍ରୀମନ୍ଦିର ସ୍ନାନ ବେଦୀରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ବେଦୀରୁ ସ୍ନାନ ବେଦୀକୁ ଆସି ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତି। ସୁନା କୂଅରୁ ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀ ବେଶରେ ଦର୍ଶନ କରିବା ସହ କୋଟି ପୂଣ୍ୟ ଲାଭ କରିଛନ୍ତି।

ଏଥି ପାଇଁ ଆଜି ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହୋଇ ଉଠିଥିଲା ବଡ଼ଦାଣ୍ଡ। ଭକ୍ତ ଓ ଭଗବାନ ଏକାକାର ହୋଇ ଯାଇଥିଲେ। ସେପଟେ ଆଜି ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେ ମହାପ୍ରଭୁ ଅଣସର ଘରକୁ ବିଜେ ହୋଇଛନ୍ତି। ଆରମ୍ଭରୁ ନୀତିରେ ଘଣ୍ଟାଏ ବିଳମ୍ବ ହୋଇଥିଲେ ମଧ୍ୟ ସ୍ନାନ ପରେ ସଅଳ ନୀତି ଶେଷ ହୋଇଛି। ଅପରାହ୍ନ ସାଢ଼େ ୩ଟାରେ ଛେରା ପହଁରା ନୀତି ରହିଥିବା ବେଳେ ନିର୍ଧାରିତ ସମୟର ୪୫ ମିନିଟ୍ ପୂର୍ବରୁ ଏହି ନୀତି ଆରମ୍ଭ ହୋଇଥିଲା। ହେଲେ ବ୍ୟବସ୍ଥାବଳୀରେ ଆଜି ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ପ୍ରବଳ ଖରା ସତ୍ତ୍ବେ ଆଜି ଭକ୍ତଙ୍କ ଭିଡ଼ କମିନଥିଲା। ତେବେ ବାତ୍ୟା ଯୋଗୁ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା କମିଛି।

ଆଜି ଭୋର ୪ଟା ପରିବର୍ତ୍ତେ ସକାଳ ୫ଟା ୧୦ ମିନିଟରେ ମଙ୍ଗଳାର୍ପଣ ନୀତି ଆରମ୍ଭ ହୋଇଥିଲା। ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ସାଢ଼େ ୪ଟାରୁ ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଥିଲେ ବି ୫୦ ମିନିଟ୍ ବିଳମ୍ବରେ ଏହି ନୀତି ଆରମ୍ଭ ହୋଇଥିଲା। ତିନି ଠାକୁରଙ୍କ ପହଣ୍ଡି ସକାଳ ୫ଟା ୨୦ରେ ଆରମ୍ଭ ହୋଇଥିଲା। ସାଢ଼େ ୬ଟା ପରିବର୍ତ୍ତେ ୭ଟା ୪୦ରେ ପହଣ୍ଡି ଶେଷ ହୋଇଥିଲା। ଦଇତାପତି ସେବକମାନେ ରତ୍ନ ବେଦୀରୁ ଧାଡ଼ି ପହଣ୍ଡିରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନ ବେଦୀକୁ ପାଛୋଟି ନେଇଥିଲେ। ସାତ ପାହାଚରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆ ବନ୍ଧା ନୀତି ସଂପନ୍ନ ପରେ ଚତୁର୍ଦ୍ଧା ମୂର୍ତି ଝୁଲି ଝୁଲି ଧାଡ଼ି ପହଣ୍ଡିରେ ସ୍ନାନ ବେଦୀକୁ ବିଜେ କରିଥିଲେ। ସକାଳ ନୀତି ବିଳମ୍ବ ଯୋଗୁ ଅନ୍ୟାନ୍ୟ ନୀତି ବି ବିଳମ୍ବ ହୋଇଥିଲା।

ସକାଳ ୮ଟା ୧୦ରୁ ୮ଟା ୨୨ ଭିତରେ ମଦନମୋହନ ବିଜେ କରିଥିଲେ। ୮ଟା ୪୫ରେ ମଙ୍ଗଳ ଆଳତି ଏବଂ ପୂର୍ବାହ୍ଣ ୧୦ଟାରେ ଅବକାଶ ନୀତି ଶେଷ ହୋଇଥିଲା। ୯ଟା ୪୦ରେ ରୋଷହୋମ, ୧୦ଟା ୪୫ରେ ସୂର୍ଯ୍ୟପୂଜା ଓ ୧୦ଟା ୫୫ରେ ବେଶ ଶେଷ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ଭିତରେ ଜଳ ବିଜେ ନୀତି ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟା ୪୦ରେ ଜଳପୂଜା ନୀତି ଆରମ୍ଭ ହୋଇଥିଲା। ଜଳପୂଜା ନୀତି ଅପରାହ୍ଣ ଗୋଟାଏ ୧୦ରେ ଶେଷ ହେବା ପରେ ଅପରାହ୍ଣ ଗୋଟାଏ ୧୫ରେ ମହାପ୍ରଭୁଙ୍କ ସ୍ନାନ ନୀତି ଆରମ୍ଭ ହୋଇଥିଲା। ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନ ମଣ୍ଡପକୁ ଶୋଧ କରିଥିଲେ। ଶୋଧ ପରେ ଜଳ ବିଜେ, ଜଳପୂଜା ଓ ଜଳଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଉତ୍ତରଦ୍ୱାର ମା’ ଶୀତଳାଙ୍କ ମନ୍ଦିର ନିକଟ ସୁନାକୂଅରୁ ଗରାବଡ଼ୁମାନେ ଆଣିଥିବା ୧୦୮ ଗରା ଜଳକୁ ଅଧିବାସ କରାଯାଇ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା। ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀଜିଉମାନେ ସ୍ନାନ କରିଥିଲେ। ସ୍ନାନ ଶେଷ ପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହୋଇଥିଲା। ନୂଆ ଲୁଗା ପିନ୍ଧି ବେଶ ହୋଇଥିଲେ ମହାପ୍ରଭୁ। ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଜନଅରରୁ ସ୍ୱତନ୍ତ୍ର ମେହେନାରେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଅପରାହ୍ଣ ୨ଟା ୪୫ରେ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ସୁନା ଝାଡ଼ୁରେ ଗଜପତି ମହାରାଜ ଛେରା ପହଁରା ନୀତି ସଂପନ୍ନ କରିଥିଲେ। ହାତୀବେଶ ପାଇଁ ପୂର୍ବରୁ ସୋଲରେ ପ୍ରସ୍ତୁତ ହୋଇ ରହିଥିବା ମୁକୁଟ ଶ୍ରୀଜିଉଙ୍କୁ ଲାଗି କରାଯାଇଥିଲା। ଅପରାହ୍ଣ ପ୍ରାୟ ୪ଟାରୁ ୫ଟା ଭିତରେ ବେଶ ଲାଗି ପାଇଁ ନୀତି ନିର୍ଘଣ୍ଟ ହୋଇଥିଲେ ବି ଅପରାହ୍ଣ ୩ଟା ୪୫ରେ ଏହି ନୀତି ଆରମ୍ଭ ହୋଇଥିଲା। ୪ଟା ୨୦ ସୁଦ୍ଧା ବେଶ ଶେଷ ପରେ ତିନି ଠାକୁର ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ମହନ୍ତ ଶାଢ଼ୀବନ୍ଧା, ଘଣ୍ଟଛତା ସକାଳ ଧୂପ ନୀତି ସଂପନ୍ନ ହୋଇଥିଲା। ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ, ରାତି ୧୦ଟାରେ ପୁଷ୍ପାଞ୍ଜଳି, ଡୋରଲାଗି ନୀତି ସଂପନ୍ନ ହୋଇଥିଲା। ବେଶ ଓଲାଗି ପରେ ରାତି ସାଢ଼େ ୧୦ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡିରେ ଚତୁର୍ଦ୍ଧା ମୂର୍ତି ଅଣସର ଘରକୁ ଯାଇଥିଲେ। ରାତି ସାଢ଼େ ଗୋଟାଏରେ ବାହୁଡ଼ା ପହଣ୍ଡି ଶେଷ ପରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ସଂପନ୍ନ ହୋଇଥିଲା। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବର ପୀଡ଼ିତ ମହାପ୍ରଭୁ ଅସୁସ୍ଥତା ଯୋଗୁ ୧୫ ଦିନ ଅଣସର ଘରେ ରହିବେ। ଅଣସର ପିଣ୍ଡିରେ ବିଜେ ସମୟରେ ଅଣସର ତାଟି ନିକଟରେ ପଟିଦିଅଁ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କୁ ଭକ୍ତମାନେ ଦର୍ଶନ କରିବେ। ପଟିଦିଅଁ ଭାବେ ଶ୍ରୀମନ୍ଦିରରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ ଓ ନୃସିଂହ ଭଗବାନ ବି ପୂଜା ପାଇବେ।

ଆଜି ସକାଳୁ ପ୍ରବଳ ଖରା ଯୋଗୁ ଭକ୍ତଙ୍କ ଭିଡ଼ ସେତେଟା ନଥିଲା। କିନ୍ତୁ ଅପରାହ୍ଣ ବେଳକୁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଯାଇଥିଲା। ଯେଉଁଠି ହାତଗଣତି ଭକ୍ତ ଥିଲେ, ସେଠି ଚାହୁଁ ଚାହୁଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭଜନ, ସଂକୀର୍ତନରେ ଭକ୍ତମାନେ ମହାପ୍ରଭୁଙ୍କୁ ସ୍ବାଗତ ଜଣାଇଥିଲେ। ସିଂହଦ୍ବାର ଦେଇ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସ୍ୱତନ୍ତ୍ର ଟିକେଟ୍‍ କରିଥିବା ଭକ୍ତମାନେ ଦକ୍ଷିଣଦ୍ବାର ଦେଇ ପ୍ରବେଶ ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସଂଧ୍ୟା ବେଳକୁ ପୂରା ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର