ଏଆଇଟିସିଇ ନିୟମ ଉଲ୍ଲଂଘନ ତାଲିକାରେ ଗଜପତି ପଲିଟେକ୍‌ନିକ

ସିଭିଲ ପାଠ୍ୟକ୍ରମରେ ନାମଲେଖା ବନ୍ଦ୍‌ ନିର୍ଦ୍ଦେଶ

କଟକ : ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇଟିସିଇ)ର ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କାରଣରୁ ରାଜ୍ୟର ଦୁଇଟି ସରକାରୀ ପଲିଟେକନିକ୍‌ରେ ତାଲା ଝୁଲିବା ପରିସ୍ଥିତି ସୃଷ୍ଟି ହୋଇଛି। ଗଜପତି ଜିଲ୍ଲାର ଏକମାତ୍ର ସରକାରୀ ପଲିଟେକନିକ ଏବେ ଅଡୁଆରେ ପଡିଛି । ଗାଇଡ୍‌ଲାଇନ ଉଲ୍ଲଂଘନ କାରଣରୁ ଆସନ୍ତା ଶିକ୍ଷାବର୍ଷ (୨୦୧୮-୧୯)ରେ ଏହି ଶିକ୍ଷାନୁଷ୍ଠାନର ସିଭିଲ୍‌ ବ୍ରାଞ୍ଚ୍‌ରେ ନାମଲେଖା ହୋଇପାରିବ ନାହିଁ ବୋଲି ଏଆଇଟିସିଇ ନିର୍ଦ୍ଦେଶ ଦେଇଛି । ଏଥିସହିତ ଅନ୍ୟ ବ୍ରାଞ୍ଚର ଶତକଡା ୫୦ ପ୍ରତିଶତ ସିଟ୍‌ରେ ନାମ ନ ଲେଖାଇବାକୁ ଏଆଇଟିସିଇ କଡା ଆଦେଶ ଦେଇଛନ୍ତି । ସିଭିଲ ବିଭାଗରେ ଆବଶ୍ୟକ ଅଧ୍ୟାପକ ନଥିବା ତଥା ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ସଙ୍କଟ ଏବଂ ନିୟମ ଅନୁଯାୟୀ ଦରମା ମିଳୁ ନଥିବା କାରଣରୁ ଏଆଇଟିସିଇ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି ।

ପ୍ରକାଶ ଯେ ଗଜପତି ଜିଲ୍ଲା ବେଟାଗୁଡାରେ ଥିବା ସରକାରୀ ପଲିଟେକନିକକୁ ୨୦୧୩-୧୪ରେ ଏଆଇଟିସିଇ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ସ୍ୱୀକୃତିକୁ ୨୦୧୭-୧୮ ଯାଏ ବୃଦ୍ଧି କରାଯାଇଥିଲା । ଗତ ଅକ୍ଟୋବର ୧୩ ତାରିଖରେ ଏଆଇଟିସିଇର ନିପୁଣ ପରିଦର୍ଶନ କମିଟି (ଇଭିସି) ପଲିଟେକନିକ ପରିଦର୍ଶନରେ ଆସିଥିବା ବେଳେ ଏଠାରେ ବିଭିନ୍ନ ନିୟମ ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ଏଆଇଟିସିଇ ଗତ ନଭେମ୍ବର ୨ ତାରିଖରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ସବିଶେଷ ତଥ୍ୟ ମାଗିଥିଲେ ମଧ୍ୟ କର୍ତ୍ତୃପକ୍ଷ ସେଥିରେ ଫେଲ୍‌ ମାରିଥିଲେ । ଫଳରେ ଶିକ୍ଷାବର୍ଷ୨୦୧୮-୧୯ରେ ସିଭିଲ ପାଠ୍ୟକ୍ରମରେ ସଂପୂର୍ଣ୍ଣ ନାମଲେଖା ବନ୍ଦ୍‌ ସହିତ ଅନ୍ୟ ବ୍ରାଞ୍ଚଗୁଡିକରେ ୫୦ ପ୍ରତିଶତ ସିଟ୍‌ କାଟିବା ପାଇଁ ଏଆଇଟିସିଇ ନିଷ୍ପତ୍ତି ନେଇଛନ୍ତି ।

ଏ ସମ୍ପର୍କରେ ଏଆଇଟିସିଇ ପକ୍ଷରୁ ସଂପୃକ୍ତ ପଲିଟେକ୍‌ନିକ୍‌ର ପ୍ରିନ୍‌ସପାଲ, ବିପିୟୁଟି ରେଜିଷ୍ଟ୍ରାର, ଡିଟିଇଟି ନିର୍ଦ୍ଦେଶକ, ଗଜପତି ସରକାରୀ ପଲିଟେକନିକ୍‌ର ସମ୍ପାଦକ,ଏଆଇସିଟିିଇର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ଚିଠି ଦ୍ୱାରା ଅବଗତ କରାଇଛନ୍ତି । ପୂର୍ବରୁ ଗାଇଡ୍‌ଲାଇନ ଉଲ୍ଲଂଘନ କାରଣରୁ ଆସନ୍ତା ଶିକ୍ଷା ବର୍ଷରେ ସମ୍ବଲପୁର ଜିଲ୍ଲା ରେଙ୍ଗାଳି ପଲିଟେକ୍‌ନିକ ଓ ବ୍ରହ୍ମପୁର ପଲିଟେକ୍‌ନିକରେ ନାମଲେଖା ବନ୍ଦ ରଖିବା ପାଇଁ ଏଆଇଟିସିଇ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର