ଗଜେନ୍ଦ୍ର ସାହୁ ଓଡ଼ିଶା ଲଳିତ କଳା ଏକାଡେମି ସଚିବ

ଭୁବନେଶ୍ୱର : ଢେର୍‌ ଦିନ ଧରି ପ୍ରାଶାସନିକ ଅଧିକାରୀଙ୍କ ଦାୟିତ୍ବରେ ରହିବା ପରେ ଶେଷରେ ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କୁ ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ପଦରେ ଆସୀନ କରାଯାଇଛି। ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ (ବିକେ ଆର୍ଟ କଲେଜ୍)ର ବରିଷ୍ଠ ଅଧ୍ୟାପକ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ସାହୁ ଖୁସି ବ୍ୟକ୍ତ କରିବା ସହ ଏକାଡେମିର କାର୍ଯ୍ୟଧାରାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଆସନ୍ତାକାଲି ଏକାଡେମିକୁ ଯାଇ ସେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି।

ଅଧ୍ୟାପକ ଶ୍ରୀ ସାହୁ ୧୯୮୬ ମସିହା ଡିସେମ୍ବର ୧୨ରେ ମହାବିଦ୍ୟାଳୟରେ ମୁଦ୍ରଣ କଳା ବିଭାଗରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟରେ ଅଧ୍ୟାପନା ସହ ଚିତ୍ରଶିଳ୍ପୀ ଭାବେ ପ୍ରଶଂସା ଭାଜିତ ହୋଇଥିଲେ। ମୁଖ୍ୟତଃ ଜାତୀୟ କ୍ରୀଡ଼ା ପୁରସ୍କାର ଟ୍ରଫି ସହ ଡାକ ଟିକେଟ୍‌ରେ ପ୍ରଚଳିତ ନବକଳେବର ଲୋଗୋ, ପାଇକ ବିଦ୍ରୋହ ମୁଦ୍ରା, ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ନୂଆଦିଲ୍ଲୀର ହାବିଟାଟ୍‌ ସେଣ୍ଟରରେ ସେ ୫ଥର ଚିତ୍ର ପ୍ରଦର୍ଶନ କରି ଓଡ଼ିଶାର କଳା ସଂସ୍କୃତିକୁ ବାହାରେ ପରିଚିତ କରାଇଛନ୍ତି।

୨୦୨୦ ମସିହା ଏପ୍ରିଲ୍‌ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ପ୍ରଦର୍ଶନୀ ପାଇଁ ଏକ ୨୦ ଫୁଟ ଲମ୍ବ ଓ ୮ ଫୁଟ ଉଚ୍ଚର ବୃହତ୍‌ ଛବି ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ କଲମ କାଳିକୁ ବ୍ୟବହାର କରି ଏତେ ବଡ଼ ଛବି କେହି ପ୍ରସ୍ତୁତ କରିନଥିବା ବେଳେ ପ୍ରଥମଥର ପାଇଁ ସେ ଏହିପରି ଚିତ୍ର ପ୍ରସ୍ତୁତ କରିଥିବା କହିଛନ୍ତି। ବାଲେଶ୍ବର ଜିଲ୍ଲାର ପାଇକାସ୍ତା, ଗୋପାଳପୁରରେ ପିତା ବାଞ୍ଛାନିଧି ସାହୁ ଓ ମା’ଅମ୍ବିକା ସାହୁଙ୍କଠାରୁ ଜନ୍ମିତ ଗଜେନ୍ଦ୍ର ଦକ୍ଷ ଚିତ୍ରଶିଳ୍ପୀ ସହ ଜଣେ କଣ୍ଠଶିଳ୍ପୀ ମଧ୍ୟ। ‘ସ୍ବରବର୍ଣ୍ଣ’ ଶୀର୍ଷକ ଏକ ସଂଗୀତ ସିଡିରେ ସେ ଜଗନ୍ନାଥଙ୍କ ଜଣାଣରେ ଜଣେ ଚିତ୍ରଶିଳ୍ପୀର ଅଭିବ୍ୟକ୍ତିକୁ ବ୍ୟକ୍ତ କରି ସଂଗୀତପ୍ରେମୀଙ୍କ ନିକଟତର ହୋଇପାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ପତ୍ନୀ ସଚିତ୍ରା ଓ ଦୁଇ ପୁଅଙ୍କୁ ଶ୍ରେୟ ଦେଇଥିବା ବେଳେ ନିଜ ବ୍ୟକ୍ତିଗତ ସଫଳତା ପରି ଏକାଡେମିର ସର୍ବାଙ୍ଗୀନ କାର୍ଯ୍ୟଧାରାକୁ ସକ୍ରିୟ କରିବାରେ ସାରଥୀ ସାଜିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର