ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବରେ ଗାନ୍ଧୀ ! ଓଡ଼ିଶା ସହ ମହାତ୍ମାଙ୍କ ସଂପର୍କର ସ୍ମୃତିଚାରଣ କଲେ ଗାନ୍ଧୀ ସାହିତ୍ୟର ଗବେଷକ
ଭୁବନେଶ୍ବର : ସମ୍ବାଦ ଗ୍ରୁପ୍ ସହଯୋଗରେ ଆରମ୍ଭ ହୋଇଥିବା ଟାଟା ଷ୍ଟିଲ୍ ଭୁବନେଶ୍ୱର ସାହିତ୍ୟ ଉତ୍ସବରେ ଶନିବାର ‘ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଆଲୋଚନା ସଂପନ୍ନ ହୋଇଛି । ଓଡ଼ିଶା ସହିତ ଗାନ୍ଧୀଜୀଙ୍କର ସଂପର୍କର ବ୍ୟାପକତା ଉପରେ ଆଲୋଚକମାନେ ମତବ୍ୟକ୍ତ କରିଥିଲେ। ମହାତ୍ମା ଗାନ୍ଧୀ ତାଙ୍କର ଓଡ଼ିଶା ଗସ୍ତ କାଳରେ କିଭଳି ଓଡ଼ିଶା ଓ ଓଡ଼ିଆଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ ତାହା ଉପରେ ଆଲୋକପାତ କରାଯାଇଥିଲା।ବିଶିଷ୍ଟ କଥାଶିଲ୍ପୀ ଡ.ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ଦାଶ ବେନହୁର, ଡ.ଯତୀନ୍ଦ୍ର ନାୟକ ଓ ଡ.ସଂଗ୍ରାମ ଜେନା ଅଂଶଗ୍ରହଣ କରିଥିଲେ। ଦେଶ ଓ ବିଶ୍ୱର ଅନେକ ସମସ୍ୟା ଗାନ୍ଧୀ ବିଚାରଧାରା ଦ୍ୱାରା ସମାଧାନ ହୋଇପାରିବ ବୋଲି ଆଲୋଚକମାନେ ମତ ଦେଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୨୧ ମସିହାରେ ଗାନ୍ଧୀଜୀ ପ୍ରଥମେ ଓଡ଼ିଶା ଆସିଥିଲେ ଏବଂ ୧୯୪୬ ମସିହାରେ ମହାତ୍ମାଙ୍କର ହୋଇଥିଲା ଓଡ଼ିଶାକୁ ଶେଷ ଗସ୍ତ । ସେ ୮ଥର ଓଡ଼ିଶା ଗସ୍ତ ଭିତରେ ଓଡ଼ିଶାରେ ପାଖାପାଖି ୭୦ ଦିନ କଟାଇଥିଲେ। ଏଥିସହ ଉତ୍କଳମଣି ଗୋପବନ୍ଧୁ ଓ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସହ ଗାନ୍ଧୀଜୀଙ୍କର ସଂପର୍କ ବିଷୟରେ ନୂଆ ନୂଆ କଥା ସହ ଅନେକ ଅଜଣା ଆଖ୍ୟାନକୁ ତୋଳି ଧରିଥିଲେ ଆଲୋଚକ। ଯେପରି ଗାନ୍ଧୀଜୀ ପ୍ରଥମଥର କାଠଯୋଡ଼ି ବାଲିରେ ସଭା କଲା ବେଳେ କିଛି ଲୋକ ତାଙ୍କ ଉପରକୁ ‘କୁଲା’ ଫୋପାଡ଼ିଥିଲେ । ଯାହାକୁ ସଭା ପରେ ବିକ୍ରି କରାଯାଇ ଅର୍ଥ ସଂଗ୍ରହ କରାଯାଇଥିଲା।
ସେହିଭଳି ସାହିତ୍ୟ ମହାକୁମ୍ଭ କୁହାଯାଉଥିବା ଟାଟା ଷ୍ଟିଲ୍ ସାହିତ୍ୟ ଉତ୍ସବର ଅନ୍ୟ ଏକ ଅଧିବେଶନରେ ‘ବଣ୍ଡିଂ ଚିଲ୍ଡ୍ରେନ୍ ୱିଥ୍ ବୁକ୍ସ’ ଶୀର୍ଷକ ଚର୍ଚ୍ଚାରେ ଆଲେଚନା ରଖିଥିଲେ ବିଶିଷ୍ଟ ଶିଶୁ ସାହିତ୍ୟିକ ପଦ୍ମଭୂଷଣ ରସ୍କିନ୍ ବଣ୍ଡ୍ । କିଭଳି ପୁସ୍ତକ ତାଙ୍କୁ ପ୍ରଭାବିତ କରିଛି ଓ କାହିଁକି ପଠନ ଜରୁରୀ ତାହା ସେ ତୋଳି ଧରିଥିଲେ। ଗତକାଲି ‘ସମ୍ବାଦ’ ସହଯୋଗରେ ଆୟୋଜିତ ଏଇ ମହୋତ୍ସବକୁ ଉଦଘାଟନ କରିଥିଲେ କରିଛନ୍ତି ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଏବଂ ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିଥଲେ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ।