ବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ : ଗାନ୍ଧିଜୀଙ୍କ ମୁଣ୍ଡ ନେଇଗଲେ, ବାପୁଜୀ କକ୍ଷରେ ମଦ ପିଇଲେ, କଦଳୀ ବଗିଚା ଉଜାଡ଼ିଲେ

ବାଲେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଘୋର ଅସମ୍ମାନ କରାଯାଇଛି। କିଛି ଦୁବୃର୍ତ୍ତ ଏକ ବିଦ୍ୟାଳୟ ପରିସରରେ ଥିବା ଗାନ୍ଧିଜୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଭାଙ୍ଗି‌ଦେବା ସହ ଏହାର ମୁଣ୍ଡକୁ ନେଇ ଯାଇଛନ୍ତି। ଏହାସହ ବିଦ୍ୟାଳୟ ଏକ କକ୍ଷର ତାଲାଭାଙ୍ଗି ଭିତରେ ମଦ ଓ ସିଗାରେଟ୍‌ ପିଇବା ସହ ଜିନିଷପତ୍ର ଭଙ୍ଗାରୁଜା କରିଛନ୍ତି। ସେହିପରି ବିଦ୍ୟାଳୟ ପରିସରରେ ଥିବା ବଗିଚାର କଦଳୀଗଛ କାଟି ପକାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ପୌରାଂଚଳ ଅନ୍ତର୍ଗତ ଶୋଭାରାମପୁରରେ।

ଗତ ୧୪ ତାରିଖ ବିଳମ୍ବିତ ରାତିରେ ଶୋ‌ଭାରାମପୁର ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ କିଛି ଯୁବକ ପଶିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ବିଦ୍ୟାଳୟର ଥିବା ‘ବାପୁଜୀ କକ୍ଷ’ର ତାଲା ଭାଙ୍ଗି ତା’ଭିତରେ ମଦ ଓ ସିଗାରେଟ୍‌ ପିଇଥିଲେ। କୋଠରୀରେ ଥିବା ବହି, ଖାତା, ଆସବାବପତ୍ର ଆଦି ଫିଙ୍ଗାଫିଙ୍ଗି କରିଥିଲେ। ପାଣି ପାଇପ୍‌ କାଟିଦେବା ସହ ଝରକା କବାଟ ମଧ୍ୟ ଭାଙ୍ଗିଥିଲେ। ପରେ ସେମାନେ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ସ୍ଥାପନ ହୋଇଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଭାଙ୍ଗି ଏହାର ମୁଣ୍ଡକୁ ନେଇଯାଇଥିଲେ। ସେହିପରି ବିଦ୍ୟାଳୟ ପରିସରରେ ଥିବା କଦଳୀ ବଗିଚାର ୧୫ରୁ ଅଧିକ କଦଳୀଗଛକୁ ମଧ୍ୟ ‌େସମାନେ କାଟି ନଷ୍ଟ କରି ଦେଇଥିଲେ। ଉଲ୍ଲେଖଯୋଗ୍ୟ; ସଂପୃକ୍ତ ଯୁବକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ରହି ପୁଲିସ ଦ୍ବାରା ଏକାଧିକ ଥର ଗିରଫ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ବର୍ତମାନ ସ୍କୁଲ୍‌ ଛୁଟି ରହିଥିବା ବେଳେ ଗତକାଲି ଅପରାହ୍ନରେ ଘଟଣା ବିଷୟରେ ଜାଣି କିଛି ଲୋକ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୂର୍ବତନ ୱାର୍ଡ କାଉନସିଲ୍‌ରଙ୍କୁ ଜଣାଇଥିଲେ। ଫଳରେ ସହଦେବଖୁଣ୍ଟା ଥାନାରେ ଏନେଇ ଅଭିଯୋଗ କରାଯାଇଥିଲା। ‌ପୁଲିସ ୧୬୧/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି। ସମ୍ପୃକ୍ତ ଯୁବକମାନଙ୍କୁ ତୁରନ୍ତ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସିଂ, ପ୍ରଧାନଶିକ୍ଷୟିତ୍ରୀ ଶୈଳବାଳା ବେହେରା, ସ୍ଥାନୀୟ ପୂର୍ବତନ କାଉନସିଲର କୈଳାସ ବିହାରୀ ଦାସ ପ୍ରମୁଖ ଦାବି କରିଛନ୍ତି।

ସୂଚନାଯୋଗ୍ୟ; ବିଦ୍ୟାଳୟ ନିକଟସ୍ଥ କିଛି ବ୍ୟକ୍ତି ସଂପୃକ୍ତ ଘଟଣାର ପ୍ରତ୍ୟକ୍ଷଦର୍ଶୀ ହୋଇଥିଲେ ବି ଭୟରେ ମୁହଁ ଖୋଲୁନାହାନ୍ତି। ବାଲେଶ୍ବର ସହରର ଶୋଭାରାମପୁର ଅଞ୍ଚଳ ଏବେ ସବୁଠୁ ଅଧିକ ଅଶାନ୍ତ ଏବଂ ଏଠାରେ ଅସାମାଜିକ ତଥା ଅପରାଧୀଙ୍କ ଆଡ଼ା ଜମୁଛି। ଦିନ ଦ୍ବି-ପ୍ରହରରେ ସେମାନେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ସମୟରେ ଏନେଇ ସ୍ଥାନୀୟ ବାସିନ୍ଦା ସହଦେବଖୁଣ୍ଟା ଥାନା, କ୍ରାଇମ୍‌ ଡିଏସ୍‌ପି ଓ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ସମ୍ବନ୍ଧିତ ଖବର