ସବୁ ଜିଲ୍ଲାରେ ସ୍ଥାପନ ହେବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

୭ କୋଟି ୬ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ, ବିଶ୍ୱବିଦ୍ୟାଳୟରେ ସ୍ଥାପନ ହେବ ଗାନ୍ଧୀ ବିଚାର ଅଧ୍ୟୟନ କେନ୍ଦ୍ର

ଭୁବନେଶ୍ବର : ପ୍ରତି ଜିଲ୍ଲାରେ ସ୍ଥାପନ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ଏଥିସହ ପ୍ରତି ବ୍ଲକ୍‌ରେ କସ୍ତୁରବା ଆଦର୍ଶ ପଞ୍ଚାୟତ ଚିହ୍ନଟ, ଗାନ୍ଧୀ ବିଚାର ଅଧ୍ୟୟନ କେନ୍ଦ୍ର ସ୍ଥାପନ ନିମନ୍ତେ ବିଶ୍ୱବିଦ୍ୟାଳୟ ଚିହ୍ନଟ, ମହାତ୍ମା ଗାନ୍ଧୀ ଓ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ସଂପର୍କିତ ଦସ୍ତାବିଜ୍‌, ଚିଠିପତ୍ର, ଗୀତ, କବିତା, ଗବେଷଣା ପ୍ରବନ୍ଧ, ଅଭିଭାଷଣ ଆଦିର ଦୃଶ୍ୟ-ଶ୍ରାବ୍ୟ ସଂରକ୍ଷଣ, ଭୁବନେଶ୍ୱରରେ ଗାନ୍ଧୀ ସ୍ମାରକୀ ସ୍ତମ୍ଭ ନିର୍ମାଣ କରାଯିବ। ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନ ଅବସରରେ ମାର୍ଚ୍ଚ ୨୩ରେ କଟକରେ ସ୍ମାରକୀ ଉତ୍ସବ ପାଳନ କରାଯିବ। ଏଥିପାଇଁ ୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ ପାଇଁ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ପାଳନର ରାଜ୍ୟସ୍ତରୀୟ ପ୍ରଶାସନିକ କମିଟି ବୈଠକ ନିଷ୍ପତ୍ତି ନିଆଯାଇଛି।

ସାରା ରାଜ୍ୟରେ ଦୁଇ ବର୍ଷ ବ୍ୟାପୀ ପାଳନ କରିବା ପାଇଁ ସରକାର ନେଇଥିବା ନିଷ୍ପତ୍ତିର ଅଗ୍ରଗତି ସମୀକ୍ଷା ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତ୍ତିଗୁଡ଼ିକ କିଭଳି ଠିକ୍‌ ଭାବେ ପାଳନ କରିବା, ଜିଲ୍ଲାସ୍ତରୀୟ କମିଟିଗୁଡ଼ିକୁ ଅଧିକ କର୍ମଚଞ୍ଚଳ କରିବା, ପ୍ରତ୍ୟେକ କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରିବା ପାଇଁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ଦୁଇ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭ କୋଟି ୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି। ଏଥିସହ ରାଜଧାନୀରେ ଏକ ବଡ଼ ଆକାରର ଗାନ୍ଧୀ ପାର୍କ ନିର୍ମାଣ ପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପରାମର୍ଶ ଦେଇଥିଲେ।

ବିଭିନ୍ନ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ, ଆର୍ଥିକ ଏବଂ ବୈଷୟିକ ଦିଗ ବିଷୟରେ ଆଲୋଚନା ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ପୀଠଗୁଡ଼ିକରେ ସ୍ୱତନ୍ତ୍ର ଉତ୍ସବ ପାଳନ ପାଇଁ ୨୦ ଲକ୍ଷ ଟଙ୍କା, ମହାତ୍ମାଙ୍କ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିବସ ପାଳନ ନିମନ୍ତେ ୧୦ ଲକ୍ଷ ଟଙ୍କା, ମହାତ୍ମା ଗାନ୍ଧୀଙ୍କ ସଂପର୍କିତ କବିତା ପାଠ, ଚିତ୍ର ପ୍ରଦର୍ଶନୀ, ସଂଗୀତ ପରିବେଷଣ ପାଇଁ ୮ ଲକ୍ଷ, ପ୍ରତି ଜିଲ୍ଲା ସଦର ମହକୁମା ପାଇଁ ୪.୮୦ ଲକ୍ଷ, ଗାନ୍ଧୀ ସାହିତ୍ୟ ଓ ଗବେଷଣାରେ କୃତିତ୍ୱ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଲାଗି ୫ ଲକ୍ଷ, ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଜୀବନାଦର୍ଶ ଉପରେ ନାଟକ ପରିବେଷଣ ପାଇଁ ୩୦ ଲକ୍ଷ, ମହାତ୍ମା ଗାନ୍ଧୀଙ୍କ ବିଚାରଧାରାରେ ଅନୁପ୍ରେରଣା ଓ କାର୍ଯ୍ୟାନ୍ୱୟନ ପାଇଁ ବିଭିନ୍ନ ଅନୁଷ୍ଠାନକୁ ସହାୟତା ନିମନ୍ତେ ୫୦ ଲକ୍ଷ, ଗାନ୍ଧୀ ଚେତନାର ପ୍ରସାର, ଆଲୋଚନାଚକ୍ର ଆୟୋଜନ ପାଇଁ ୫ ଲକ୍ଷ, ଗାନ୍ଧୀଜୀ ଓ ସ୍ୱାଧୀନତା ସଂଗ୍ରାମର କବିତା, ଗଳ୍ପ ଓ ପ୍ରବନ୍ଧ ଆଦିର ସଂକଳନ ନିମନ୍ତେ ୬ ଲକ୍ଷ, ମୌଖିକ ଇତିହାସ ଭାବେ ସ୍ୱାଧୀନତା ସଂଗ୍ରାମୀଙ୍କର ଦୃଶ୍ୟ-ଶ୍ରାବ୍ୟ ରେକର୍ଡ ପ୍ରସ୍ତୁତି ପାଇଁ ୫ ଲକ୍ଷ, ଚିତ୍ରକଳା ମାଧ୍ୟମରେ ଗାନ୍ଧୀ ଆଦର୍ଶର ପ୍ରସାର ନିମନ୍ତେ ୫ ଲକ୍ଷ ଟଙ୍କାକୁ ନୀତିଗତ ଅନୁମୋଦନ କରାଯାଇଛି। ଆଗାମୀ ୨୦୨୦ ସହିଦ ଦିବସ, ମାର୍ଚ୍ଚ ୨୩ରେ ଗାନ୍ଧୀଜୀଙ୍କର ପ୍ରଥମ ଓଡ଼ିଶା ଆଗମନର ସ୍ମାରକୀ ପାଳନ ନିମନ୍ତେ ମଧ୍ୟ ୮୦ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ହୋଇଛି।

ସଚିବାଳୟଠାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର