ମଧୁ ମନ୍ଦିରର ମଧୁର ସ୍ମୃତି; ୯୮ ବର୍ଷ ତଳେ ଏଇଠି ବିଶ୍ରାମ ନେଇଥିଲେ ଗାନ୍ଧୀ

ଜ୍ଞାନେନ୍ଦ୍ର ନାରାୟଣ ରଥ

ବ୍ରହ୍ମପୁର: ଶହେ ବର୍ଷର ପ୍ରାସାଦ ସାଉଁଟି ଧରିଛି ଅନେକ ମଧୁର ସ୍ମୃତି। ସେ ପୁଣି ଆଉ କାହାର ନୁହେଁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କର। ୧୯୧୮ମସିହାରେ ର୍ନିମିତ ହୋଇଥିବା ଏହି ପ୍ରାସାଦରେ ବିଶ୍ରାମ ନେଇଥିଲେ ମହାତ୍ମା ଗାନ୍ଧୀ। ଦୁଇ ଦିନ ଧରି ରହିବା ସହ ଦାଣ୍ଡ ପଟ ଉଚ୍ଚ ବାରଣ୍ଡାରେ ଛିଡ଼ା ହୋଇ ସମ୍ମୁଖ ଗାଲିଚାରେ ଥିବା ଅନୁଗାମୀମାନଙ୍କ ମାର୍ଗଦର୍ଶନ କରୁଥିଲେ। ବ୍ରହ୍ମପୁର ସେଣ୍ଟ ଷ୍ଟିଫେନ୍‌ସ ଚର୍ଚ୍ଚ ପଡ଼ିଆ ସମ୍ମୁଖରେ ଏବେ ବି ସଗର୍ବେ ଦଣ୍ଡାୟମାନ ଏହି ପ୍ରାସାଦ, ଯାହାକି ମଧୁ ମନ୍ଦିର ଭାବେ ଖ୍ୟାତ।

ସୂଚନା ଅନୁଯାୟୀ, ୧୯୨୧ମସିହାରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ବେଳେ କଟକ, ଭଦ୍ରକ ଓ ପୁରୀ ଗସ୍ତ ଶେଷ କରି ମାର୍ଚ୍ଚ ୨୭ରେ ପହଞ୍ଚିଥିଲେ ରେଶମ ସହର ବ୍ରହ୍ମପୁରରେ। ରେଳରେ ଆସି ପ୍ଲାଟଫର୍ମରେ ପହଞ୍ଚିବା ପରେ ତାଙ୍କୁ ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା। ପରେ ସ୍ବର୍ଗତ ମଧୁସୂଦନ ପାଣିଗ୍ରାହୀଙ୍କ ମଧୁ ମନ୍ଦିରକୁ ଆସି ବିଶ୍ରାମ ନେଇଥିଲେ। ପରେ ନିକଟରେ ଥିବା ବାରାକ୍ସ ପଡ଼ିଆରେ ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ। ଏଠାରେ ୨ଦିନ ରହିବ ପରେ ୨୯ ତାରିଖରେ ଫେରିଯାଇଥିଲେ। ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ଥିଲା ସେବା ଦଳକୁ ମଜ୍‌ବୁତ୍‌ କରିବା, ଜନସାଧାରଣଙ୍କ ମନରେ ଦେଶପ୍ରେମ ଜାଗ୍ରତ କରି ସ୍ବାଧୀନତା ସଂଗ୍ରାମ ପାଇଁ ପ୍ରୋତ୍ସାହିତ କରିବା ଏବଂ ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଓଡ଼ିଶାର ଦାବିକୁ ଅନୁଧ୍ୟାନ କରିବା।

ତେବେ ଗାନ୍ଧୀଙ୍କ ସ୍ମୃତିକୁ ଧରି ରଖିଥିବା ମଧୁମନ୍ଦିର କାଳକ୍ରମେ ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ତେଣୁ ସ୍ବର୍ଗତ ମଧୁସୂଦନ ପାଣିଗ୍ରାହୀଙ୍କ ଦାୟାଦ ରବି ପାଣିଗ୍ରାହୀ ଏହି ପ୍ରାସାଦର ରକ୍ଷଣାବେକ୍ଷଣ ପାଇଁ ଏହାର ପୂର୍ବ ସ୍ବରୂପକୁ ଅପରିବର୍ତ୍ତିତ ରଖି ଆବଶ୍ୟକ ମରାମତି କରାଇଛନ୍ତି। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଗାନ୍ଧୀଙ୍କ ସ୍ମୃତି ଧାରଣ କରିଥିବା ବିଭିନ୍ନ ଆସବାବପତ୍ର କାଳକ୍ରମେ ନଷ୍ଟ ହୋଇଯାଇଛି। କେବଳ ସେ ବିଶ୍ରାମ ନେବା ପାଇଁ ବ୍ୟବହାର କରିଥିବା ଖଟଟି ଏ ପର୍ଯ୍ୟନ୍ତ ଯଥାବତ୍‌ ରହିଛି। ଏହି ଖଟଟିର ଅନ୍ୟ ଏକ ସ୍ବତନ୍ତ୍ରତା ମଧ୍ୟ ରହିଛି। ଆସ୍କା ଚିନିକଳ ପ୍ରତିଷ୍ଠା କରିଥିବା ବ୍ରିଟିଶ୍ ଅଧିକାରୀ ମିନ୍‌ଚିନ୍ ସାହେବ ଯେ‌ତେବେଳେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ତାଙ୍କର ଆସବାବପତ୍ର ସବୁ ବିକ୍ରି କରି ଦେଇଥିଲେ। ସେଥିରେ ସାମିଲ୍ ଥିଲା ଶିଶୁ କାଠରେ ନିର୍ମିତ ଏକ ଲମ୍ବା ଖଟ। ମିନ୍‌ଚିନ୍ ସାହେବଙ୍କ ଉଚ୍ଚତା ଅଧିକ (ପ୍ରାୟ ୭ଫୁଟ୍‌) ଥିବାରୁ ସେଭଳି ଏକ ଲମ୍ବା ଖଟ ନିର୍ମାଣ କରାଇଥିଲେ। ଏହି ଖଟଟିକୁ ସ୍ବର୍ଗତ ମଧୁ ପାଣିଗ୍ରାହୀ କିଣି ଆଣି ମଧୁ ମନ୍ଦିରରେ ରଖିଥିଲେ। ମହାତ୍ମା ଗାନ୍ଧୀଙ୍କ ଗସ୍ତ ବେଳେ ଏହି ଖଟକୁ ତାଙ୍କ ବିଶ୍ରାମ ପାଇଁ ଉପଯୋଗ କରାଯାଇଥିଲା। ଯାହାକି ଏଯାବତ୍ ମଧୁ ମନ୍ଦିରରେ ରହିଛି।

ସମ୍ବନ୍ଧିତ ଖବର