ତୃଣମୂଳ କଂଗ୍ରେସ ଛାଡ଼ିଲେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ନିରଂଜନ ବାବୁଙ୍କ ହାତମୁଠା ଟାଣ କରିବାକୁ କଂଗ୍ରେସରେ ଯୋଗଦେବି

ଭୁବନେଶ୍ୱର: ରାଜ୍ୟ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ଓ ପ୍ରାଥମିକ ସଭ୍ୟ ପଦରୁ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଇସ୍ତଫା ଦେଇଛନ୍ତି। ଦେଶର ଗାଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ରାଜ୍ୟରେ କଂଗ୍ରେସକୁ ମଜଭୁତ କରିବା ଏବଂ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ଉଦ୍ଦେଶ୍ୟରେ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଆଜି ମଧୁସୂଦନ ନଗରସ୍ଥିତ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ଇସ୍ତଫା ପତ୍ର ସେ ନିଖିଳ ଭାରତ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଡାକ ଯୋଗେ ପଠାଇ ଦେଇଛନ୍ତି। ଖୁବ୍‌ଶୀଘ୍ର କଂଗ୍ରେସର ନିଷ୍ପତ୍ତି ମୁତାବକ ସେ କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ରାଜ୍ୟରେ ନବୀନ ସରକାରଙ୍କ ୧୯ ବର୍ଷର ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାର, କୃଷକ ଆତ୍ମହତ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟରେ ଅଧୋଗତି, ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଆଦି ପ୍ରସଙ୍ଗ ଲୋକଲୋଚନକୁ ଆଣିବା ସହ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସୁଶାସନ ଦେଇପାରିବ ବୋଲି ସେ କହିଛନ୍ତି। ନବୀନ ସରକାର ମହାନଦୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ବିଜେପି ଯୁବ ସମାଜକୁ ଦିଶାହୀନ କରୁଛି। ଏ ସମ୍ପର୍କରେ ସେ ଓଡ଼ିଶାବାସୀଙ୍କୁ ସଚେତନ କରିବେ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ତୃଣମୂଳ କଂଗ୍ରେସ ତାଙ୍କ ଉପରେ ଆସ୍ଥା ରଖି ଏତେ ଦିନ ଧରି ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ସେ ମମତା ବାନାର୍ଜୀ ଏବଂ ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ସୁବ୍ରତ ବକ୍ସିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର