ଟିଟୋ ମାମଲା: ସାକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ

ହତ୍ୟା ମାମଲାରେ ଟିଟୋକୁ ଯୋଡ଼ିଥିଲା ପୁଲିସ, ଧକ୍କା ଦେଲା ଅଜଣା ଗାଡ଼ି

କଟକ : କେନ୍ଦ୍ରାପଡ଼ାର ବହୁଚର୍ଚ୍ଚିତ ଅଶ୍ୱଜିତ ସାହୁ ଓରଫ୍‌ ଲୁଲୁ ହତ୍ୟାକାଣ୍ଡର ଜଣେ ସାକ୍ଷୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ତାରାତାରେଣୀ ହୋଟେଲର ପୂର୍ବତନ ମାଲିକ ବିଚିତ୍ର ଓରଫ୍‌ ବିଚିଆ ନାୟକ। ବିଚିଆଙ୍କର ଗତକାଲି ୫ ନଂ(କ) ଜାତୀୟ ରାଜପଥର ଛଘରିଆ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ରାତି ପ୍ରାୟ ୯ଟା ବେଳେ ବିଚିଆଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୁଇ ଜଣ ଯୁବକ ଉଦ୍ଧାର କରି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ବିଚିଆଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର ପାଇଁ ଉଦ୍ୟମ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ବିଚିଆଙ୍କୁ କେଉଁ ଗାଡ଼ି ଧକ୍କା ଦେଇଥିଲା ତାହା ଜଣାପଡ଼ି ନାହିଁ। ଏହି ଘଟଣାରେ ନିକଟରେ ଗ୍ୟାଙ୍ଗଷ୍ଟର ଟିଟୋ ନାମ ଯୋଡ଼ା ହୋଇଥିବା ବେଳେ ବିଚିଆଙ୍କ ମୃତ୍ୟୁ ଘଟଣାକୁ ଜଟିଳ କରିଛି।

ତାରିଣୀଗଡ଼ା ନିକଟରେ ବିଚିଆଙ୍କର ତାରାତାରିଣୀ ଢାବା (ବିଚି ଢାବା) ଥିଲା। ୨୦୧୩ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ଅଶ୍ୱଜିତ ସାହୁ ଓରଫ୍‌ ଲୁଲୁଙ୍କୁ ପିଣ୍ଟୁ ଓରଫ୍‌ ରଶ୍ମିରଂଜନ ସେନାପତି, ଡଙ୍ଗା ଓରଫ୍‌ ବୀରେନ୍ଦ୍ର ସେନାପତି, ବେଳ ଓରଫ୍‌ ମନୋରଂଜନ ସେନାପତି , ଚଇତ ଓରଫ୍‌ ଲକ୍ଷ୍ମୀକାନ୍ତ ବେହେରା, ଚଗଲା ଓରଫ୍‌ ସତ୍ୟବ୍ରତ ସାମନ୍ତରାୟ, ରାଜା ଓରଫ୍‌ ରାଜେଶ ମୁଦୁଲି, ବାପି ଓରଫ୍‌ ସୁନୀଲ ପାଇକରାୟ, ବୁନା ଓରଫ୍‌ ମିହିର ସ୍ୱାଇଁ, ଲିଟୁଆ ଓରଫ୍‌ ଦେବୀ ପ୍ରସାଦ ଦାସ ମିଳିତ ଭାବେ ଆକ୍ରମଣ କରିଥିଲେ। ସେଠାରେ ଅଶ୍ୱଜିତ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଚାର୍ଜସିଟ୍‌ ହୋଇ ସାରିଛି। ଘଟଣାରେ ୮ଜଣ ଗିରଫ ବି ହୋଇଥିଲେ। ମାମଲା କୋର୍ଟରେ ବିଚାରାଧୀନ ରହିଛି।

କିନ୍ତୁ ଏହି ଘଟଣାକୁ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍‌ ପୁଣିଥରେ ଖୋଲି ତଦନ୍ତ ଚଳାଇଛି। ଗ୍ୟାଙ୍ଗଷ୍ଟର୍‌ ଟିଟୋକୁ ଏହି ମାମଲାରେ ଯୋଡି ରିମାଣ୍ଡରେ ଆଣି ଦୁଇ ଦିନ ଜେରା କରି ସାରିଛି। ପୁଲିସ ଜେରା ସମୟରେ ଟିଟୋ ଏହି ହତ୍ୟାକାଣ୍ଡ ତା ନିର୍ଦ୍ଦେଶରେ ହୋଇଥିବା ସ୍ୱୀକାର କରିଛି ବୋଲି କୁହାଯାଉଛି। କିନ୍ତୁ ହତ୍ୟାକାଣ୍ଡ ପରବର୍ତ୍ତୀ ସମୟରେ ବିଚି ଢାବା ପରିଚାଳନାରୁ ଓହରି ଯାଇଥିଲେ। ୩ ବର୍ଷ ପୂର୍ବେ ସେ ଅନ୍ୟ ଜଣଙ୍କୁ ଢାବା ଲିଜ୍‌ରେ ଦେଇ ନିଜେ ଗାଁ ଛାଡ଼ି ସପରିବାର କେନ୍ଦ୍ରାପଡ଼ାରେ ରହୁଥିଲେ। ଦୁଇ ଦିନ ତଳେ ବିଚି ସେହି ଢାବାରେ ବସି ଆସନ୍ତା ଶନିବାର କୋର୍ଟରେ ସାକ୍ଷୀ ଥିବା ବିଷୟରେ କୁଆଡ଼େ କହିଥିଲେ। ଏପରିକି କାଲି ସେ ଢାବାରୁ ବାହାରିବା ପୂର୍ବରୁ ଭଲ ଖାସି ମାଂସ ତରକାରୀ ପାଇଁ ବରାଦ ଦେଇଥିଲେ। କିନ୍ତୁ ନାଲି ଚା ପିଇ ସେଠାରୁ ସେ ରାତି ସାଢ଼େ ୮ଟାରେ ତରତର ହୋଇ ବାହାରିଥିଲେ। ଆସିଲା ବେଳେ ନିଜ ବୁଲେଟ୍‌ ନ ଆଣି ଆଉ ଜଣେ ସାଙ୍ଗଙ୍କର ବାଇକ୍‌ ଆଣି କେନ୍ଦ୍ରାପଡ଼ା ଆଡ଼କୁ ଆସିଥିଲେ। ଛଘରିଆ ଛକ ଠାରେ (ଏକ ରାଇସ୍‌ ମିଲ ନିକଟ) ବିଚିଙ୍କୁ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ତାଙ୍କ ମୁଣ୍ଡ ପଛ ପାଖ, ଆଖିପତା ଓ ଗୋଟିଏ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା।

ଯଦିଓ ଘଟଣା ଏଯାଏ ସ୍ପଷ୍ଟ ହେଉ ନାହିଁ, କିନ୍ତୁ ହତ୍ୟାକାଣ୍ଡରେ ଟିଟୋ ନାମ ଯୋଡ଼ା ହେବା ବେଳେ ଜଣେ ସାକ୍ଷୀକୁ ସୁଚିନ୍ତିତ ଭାବେ ବାଟରୁ ହଟାଇ ଦିଆଗଲା ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଟିଟୋ ଅନେକ ଘଟଣା ସ୍ୱୀକାର କରୁଥିବା ବେଳେ ଏଭଳି ସାକ୍ଷୀଙ୍କୁ ହଟାଇବାକୁ ବର୍ତ୍ତମାନ ସ୍ଥିତିରେ କାହିଁକି ରିସ୍କ ନେବ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ଟିଟୋକୁ ଜେରା ସମୟରେ ବିଚିତ୍ରଙ୍କ ଆଉ କେହି ଶତ୍ରୁ ଏଭଳି କାଣ୍ଡ ଘଟାଇ ଟିଟୋ ଆଡ଼କୁ ଦୋଷ ଠେଲିବାର ଉଦ୍ୟମକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ। ବିଚିଆଙ୍କ ପରିବାର ଲୋକେ ଏପର୍ଯ୍ୟନ୍ତ ଏନେଇ ମୁହଁ ଖୋଲି ନାହାନ୍ତି। ବିଚିଆ ଋଣ ଦେଇ ସୁଧ କାରବାର କରୁଥିଲେ। ତେଣୁ ଏ ଘଟଣାର ଉପଯୁକ୍ତ ତଦନ୍ତ କରି ବିଚିଆଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର