ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର କେନ୍ଦ୍ରାପଡ଼ାର ସୟଦ ଉସ୍‌ମାନ ଅଲୀ ଓରଫ୍‌ ଟିଟୋକୁ ଏନ୍‌କାଉଣ୍ଟର

ଚଣ୍ଡିଖୋଲ : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର କେନ୍ଦ୍ରାପଡ଼ାର ସୟଦ ଉସ୍‌ମାନ ଅଲୀ ଓରଫ୍‌ ଟିଟୋଙ୍କୁ ସ୍ୱତନ୍ତ୍ର ପୁଲିସ ଟିମ୍‌ ବଡ଼ଚଣା ଥାନା ଚଣ୍ଡିଖୋଲଠାରେ ଏନ୍‌କାଉଣ୍ଟର କରିଛି। ଟିଟୋଙ୍କ ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇପଡ଼ିଛନ୍ତି। ପୁଲିସ ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ପ୍ରାଥମିକ ଚିକିତ୍ସା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଟିଟୋକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୟଦ ଉନ୍‌ମାନ ଅଲୀ ଓରଫ୍‌ ଟିଟୋ ଏକ ସ୍ୱତନ୍ତ୍ର ଗାଡ଼ିରେ କୋଲକାତାରୁ ଫେରୁଥିବା ଖବର ପାଇ ସ୍ୱତନ୍ତ୍ର ଟାକ୍ସ ଫୋର୍ସର ଆଇଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଚଣ୍ଡିଖୋଲ ନିକଟରେ ଛକି ରହିଥିଲା। ଟିଟୋଙ୍କ ଗାଡ଼ି ଚଣ୍ଡିଖୋଲ ନିକଟରେ ପହଞ୍ଚିବା ପରେ ତାଙ୍କୁ ସ୍ୱତନ୍ତ୍ର ପୁଲିସ ଟିମ୍‌ ଅଟକାଇବା ସହ ଗିରଫ କରିଥିଲେ। ମାତ୍ର ଟିଟୋ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିିସ ତାଙ୍କୁ ଏନ୍‌କାଉଣ୍ଟର କରିଥିଲା। ପୁଲିସ ଗୁଳିରେ ଟିଟୋ ଗୁରୁତର ଆହତ ହୋଇଛି। ତାଙ୍କ ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିବାରୁ ସେ ତଳେ ପଡ଼ି ଯାଇଥିଲେ। ଆହତ ଟିଟୋଙ୍କୁ ପୁଲିସ ସେଠାରୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଭୟରେ ୧୦୮ ଅମ୍ବୁଲାନ୍ସ ଯୋଗେ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲା। ଏନ୍‌କାଉଣ୍ଟର ସଂପର୍କରେ ପୁଲିିିସ ଯଥା ସମ୍ଭବ ସ୍ଥାନୀୟ ଗଣମାଧ୍ରମକୁ ଦୂରରେ ରଖିବାକୁ ଚେଷ୍ଟା କରିଥିବା ବେଳେ ଘଟଣାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ବରୀ ରାସ୍ତାରେ ସ୍ୱତନ୍ତ୍ର ଟାକ୍ସଫୋର୍ସର ସଦସ୍ୟମାନେ ଟିଟୋଙ୍କୁ ଏନ୍‌କାଉଣ୍ଟର କରିଥିବା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର