ପୁଣିଥରେ ଏସ୍‌ଟିଏଫ୍‌ ସକ୍ରିୟ : ଟିଟୋ ଲିଙ୍କ୍‌ରେ ଆଉ ୨ ଗିରଫ

କଟକ : ପୁଣିଥରେ ଟିଟୋ ଲିଙ୍କ୍‌ରେ ଧରପଗଡ଼ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ ସ୍ୱତନ୍ତ୍ର ଟାସ୍କଫୋର୍ସ(ଏସ୍‌ଟିଏଫ୍‌)। ଆଜି ଜଗତ୍‌ସିଂହପୁର ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି। ଜଗତସିଂହପୁରରେ ଥିବା ତାଙ୍କର ତିନୋଟି ହୋଟେଲ୍‌, ଭୁବନେଶ୍ୱରରେ ଥିବା ଫ୍ଲାଟ୍‌ ଉପରେ ଏସ୍‌ଟିଏଫ୍‌ ଚଢ଼ାଉ କରି ବନ୍ଧୁକ, ନଗଦ ଟଙ୍କା, ଦାମି ଗାଡ଼ି ସହ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ କରିଛି। ସେହିଭଳି, ଟାଙ୍ଗୀ ଅଞ୍ଚଳରୁ ଆଉ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଜଗତସିଂହପୁରରୁ ଗିରଫ ଯୁବକ ହେଲେ ଦିପ୍ତୀ ରଂଜନ ଦାସ। ଆଜି ସକାଳ ପ୍ରାୟ ୭ଟାରେ ଏସ୍‌ଟିଏଫ୍‌ର ଏକ ୮ ଜଣିଆ ଟିମ୍‌ ଜଗତସିଂହପୁର ଥାନା ସହଯୋଗରେ ପ୍ରଥମେ ଦିପ୍ତୀଙ୍କ ମୁକୁନ୍ଦପୁରରେ ଥିବା ଘରେ ଚଢ଼ାଉ କରିଥିଲେ। ଏଇସମୟରେ ଏସ୍‌ଟିଏଫ୍‌ ଟିମ୍‌କୁ ଦେଖି ଖସି ଯିବାକୁ ଉଦ୍ୟମ କରିଥିଲେ ବି ସେ ଖସି ପାରି ନଥିଲେ। ଏସ୍‌ଟିଏଫ୍‌ ଦିପ୍ତୀଙ୍କ ଘର ଛାନ୍‌ଭିନ୍‌ ସହିତ ଦୁଇଟି ବୃନ୍ଦାବନ ଗେଷ୍ଟ ହାଉସ୍‌, ହୋଟେଲ ନିର୍ମଳା ରେସିଡେନ୍‌ସି, ପ୍ଲାଇ ଦୋକାନ, ଜିମ୍‌ ସେଣ୍ଟର୍‌ରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଏଥିସହିତ, ଦିପ୍ତୀ ନିକଟରୁ ଗୋଟିଏ ବିଦେଶୀ ବନ୍ଧୁକ ୧୨ ରାଉଣ୍ଡ ଗୁଳି, ନଗଦ ୭୨ ହଜାର ଟଙ୍କା, ଏକ ନାଲି ରଙ୍ଗର ଅଡିକ୍ୟୁ-୩ କାର୍‌ (ଓଡ଼ି-୩୩-କେ-୦୦୨୧) ଓ ଏକ ଧଳା ରଙ୍ଗର ମାରୁତି ସୁଇଫ୍‌ଟ୍‌ କାର୍‌, ଇନ୍‌ସ୍ୟୁରାନ୍‌ସ ପଲିସି, ଏଲ୍‌ଆଇସି ପଲିସ, ଚେକ୍‌ ବୁକ୍‌, ଚାରୋଟି ମୋବାଇଲ୍‌, ଭୁବନେଶ୍ୱର ପଟିଆରେ ଏକ ଫ୍ଲାଟ୍‌ର କାଗଜପତ୍ର ସହ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍‌ ଏସ୍‌ଟିଏଫ୍‌ ହାତରେ ଲାଗିଛି। ସମସ୍ତ କାଗଜପତ୍ର ସହ ଏସ୍‌ଟିଏଫ୍‌ ଦିପ୍ତୀଙ୍କୁ ଜଗତସିଂହପୁରରୁ ଉଠାଇ ନେଇଛି।

ସେହିଭଳି, ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ସର୍ଦ୍ଧଳା ଗାଁର ଚିତ୍ତରଞ୍ଜନ ସାହୁ ଓରଫ ହାବୁଲିଙ୍କୁ ଉଠାଇ ନେଇଛି ଏସ୍‌ଟିଏଫ୍‌। ସେ ଘରେ ଶୋଇଥିବା ଅବସ୍ଥାରେ ଏସ୍‌ଟିଏଫ୍‌ ଟିମ୍‌ ଅତର୍କିତ ଚଢ଼ଉ କରି ଧରିଛନ୍ତି।

ଅନ୍ୟପକ୍ଷରେ, ଟିଟୋର ପ୍ରମୁଖ ସହଯୋଗୀ କୁହାଯାଉଥିବା ଟାଙ୍ଗୀର ତପୁ ମଲ୍ଲିକ ଏବେ ଫେରାର ଅଛନ୍ତି। ତପୁଙ୍କ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ହାବୁଲି ବୁଝାସୁଝା କରୁଥିଳେ। ହାବୁଲି ବର୍ଷେ ପୂର୍ବରୁ ବନ୍ଦାଳ ନିକଟର ଯୁବ କଂଗ୍ରେସ ନେତାଙ୍କୁ ଗୁଳିମାଡ଼ ଘଟଣାରେ ତିନି ମାସ ଜେଲ ଯାଇ ଜାମିନ୍‌ରେ ଆସିଥିଲେ। ୨୦୦୬ରେ ଟାଙ୍ଗୀ ମଦନମୋହନ ସାହିର ଦୁଇ ଜଣ ନେତାଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା ଘଟଣାରେ ତପୁ ସହିତ ହାବୁଲିଙ୍କର ବି ସମ୍ପୃକ୍ତି ଅଭିଯୋଗ ହୋଇଥିଲା। ସେହି ଲିଙ୍କ୍‌ରେ ତାଙ୍କୁ ଏସ୍‌ଟିଏଫ୍‌ ଉଠାଇ ନେଇଛି। ଗତକାଲି ଏସ୍‌ଟିଏଫ୍‌ର ଏଭଳି ଚଢ଼ଉ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଥିବା ଅନ୍ୟ ଅପରାଧୀମାନେ ଫେରାର ହୋଇଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର