ଯନ୍ତ୍ରୀଙ୍କ ତାଲିକା ମାଗିଲା ଭିଜିଲାନ୍ସ

କେନ୍ଦ୍ରାପଡ଼ା : ଟିଟୋ ଲିଙ୍କ୍‌ରେ ଠିକାଦାରଙ୍କ ସଂପୃକ୍ତିକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ପ୍ରାଥମିକ ପର୍ଯ୍ୟାୟରେ ରାଜନଗରରେ ଠିକାଦାର ବୁଢ଼ା ଲେଙ୍କାଙ୍କୁ ଧମକ ଚମକ, ଠିକାଦାର ଶିବପ୍ରସାଦ ପରିଡ଼ାକୁ ଘରୁ ଉଠାଇନେଇ ନିସ୍ତୁକ ମାଡ଼ ଏବଂ ବଟି ଆଦାୟ ସମ୍ପର୍କିତ ମାମଲା ତଦନ୍ତ ଆରମ୍ଭ କରିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ସେଚ, ପୂର୍ତ୍ତ ତଥା ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ବିଭାଗ, ଆଳି ତଟବନ୍ଧ, ପଟ୍ଟାମୁଣ୍ଡାଇ କେନାଲ୍‌ ଡିଭିଜନ୍‌, ଜନସ୍ୱାସ୍ଥ୍ୟ ବିଭାଗ ସମେତ ଦୁଇ ପୌରାଞ୍ଚଳରେ ଠିକାକାମ ନେଇଥିବା ଠିକାଦାରଙ୍କ ତାଲିକା ଦେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଚିଠି ଲେଖିଛି। ଏଥିସହିତ, ଠିକାଦାରଙ୍କୁ କେଉଁ ଅଫିସର୍‌ ସହଯୋଗ କରିଥିଲେ କିମ୍ବା କରିନଥିଲେ, ତାହାର ଏକ ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର କେତେକ ପ୍ରମୁଖ କାମ ଉପରେ ଭିଜିଲାନ୍ସ ଟିମ୍‌ର ନଜର ରହିଛି। ସେହିସବୁ କାମ ଭିତରେ ରହିଛି, ରାଜନଗର ବ୍ଲକ୍‌ରେ ରାସ୍ତା ଓ କୋଠାବାଡ଼ି ବିଭାଗର କୋଟିଏ ୬୯ ଲକ୍ଷ ଟଙ୍କା ବ୍ୟୟରେ ରଙ୍ଗୁଣି ସର୍କିଟ୍‌ କୋଠିଘାଟ ରୋଡ୍‌, ଗ୍ରାମ୍ୟ ଉନ୍ନୟନ ବିଭାଗର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ମାଳିବସା- ବାବର ରାସ୍ତା, ଜଗର୍‌ଜରଠୁ ଭୋପାଳ ରାସ୍ତା (ଏକ କୋଟି ୮୪ ଲକ୍ଷ), ୩ କୋଟି ୩୮ ଲକ୍ଷର କେନ୍ଦ୍ରାପଡ଼ା ସେଚ ଡିଭିଜନ୍‌ର କେନାଲ ଉନ୍ନତିକରଣ କାର୍ଯ୍ୟ, ରାସ୍ତା ଓ କୋଠାବାଡ଼ି ବିଭାଗର ଓରତରୁ ବିଜୟନଗରକୁ ଯାଇଥିବା ୪ କୋଟି ୮୫ ଲକ୍ଷ ଟଙ୍କାର କାମ ଏବଂ କେନାଲ ଡିଭିଜନ୍‌ର ଡେଲଟା ଷ୍ଟେଟ୍‌ ୧ର ୩ କୋଟି ୯୫ ଲକ୍ଷ ଟଙ୍କାର କାମ।

ଗ୍ରାମ୍ୟ ଉନ୍ନୟନ ବିଭାଗର ପିଏମ୍‌ ଜଏସ୍‌ଓ୍ଵାଇ ରାସ୍ତା କାମରେ ମଧ୍ୟ ଅନୁରୂପ ଦୁର୍ନୀତିର ଗନ୍ଧ ବାରିଛି ଭିଜିଲାନ୍ସ । ସେଥିମଧ୍ୟରୁ ପଟ୍ଟାମୁଣ୍ଡାଇରୁ ଜାରିଆବାଡ଼, ଇନ୍ଦିପୁର ରାସ୍ତାର ୩ କୋଟି ୬୫ ଲକ୍ଷ ଟଙ୍କାର କାମ, କୋରୋ-କୁତରଙ୍ଗର ୨ କୋଟି ୯୦ ଲକ୍ଷ, ପୂର୍ତ ରାସ୍ତାଠାରୁ ନଳପାରୀକୁ ଯାଇଥିବା ରାସ୍ତା କାମରେ ୨ କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେଥିରୁ କେତେକ କାମ ବୁଝାମଣା ଏବଂ କମ୍‌ରେ ହୋଇଥିବା ବେଳେ କାମର ମାନ ଏବଂ ସଲାସୁତରାକୁ ନେଇ ସନ୍ଦେହ ରହିଛି। ସେହିପରି ଯାଜପୁର ସେଚ ଡିଭିଜନ୍‌ ପର୍ଯ୍ୟନ୍ତ ଏହି ଦୁର୍ନୀତିର ସୁରାକ୍‌ ପାଇଛି ଭିଜିଲାନ୍ସ। ସେଠାରେ ୨୦୧୬-୧୭ରେ ୩ କୋଟି ୧୩ ଲକ୍ଷ ଟଙ୍କାର ଏକ ରାସ୍ତା କାମ, କଟକ ଡ୍ରେନେଜନ୍‌ ଡିଭିଜନ୍‌ ଅଧୀନରେ କୋଟିଏ ୪୮ଲକ୍ଷ ଟଙ୍କାର କାମ ପାଇଁ ହୋଇଥିବା ସମଗ୍ର ଟେଣ୍ଡର ପ୍ରକ୍ରିୟା କାଗଜପତ୍ର ମଗା ଯାଇଛି । ଅବଶ୍ୟ ଜଣେ ନିର୍ବାହୀ ଯନ୍ତ୍ରୀ ଏଭଳି କୌଣସି ତାଲିକା ତାଙ୍କ ନିକଟରୁ ମଗା ଯାଇ ନଥିବା ପ୍ରକାଶ କରିଛନ୍ତି । କିନ୍ତୁ ଭିଜିଲାନ୍ସ ଏସବୁ ରାସ୍ତାଘାଟ ଓ କେନାଲ କାମ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏବେ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଠିକାଦାରଙ୍କ ତାଲିକା ମାଗିଛି । ସେହି ତାଲିକା ଅନୁସାରେ ଠିକାଦାରଙ୍କୁ ଜେରା ପରେ ଟିଟୋର ସଂପୃକ୍ତି, ଟେଣ୍ଡର ଫିକ୍ସିଂ ଆଦି ସମ୍ପର୍କରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସି ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର