ଟିଟୋ ଫାଙ୍କିଛି ଲକ୍ଷାଧିକ ଟଙ୍କା ଟିକସ : ପେଟ୍ରୋଲ ପମ୍ପ ପାଇଁ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ ଅନୁମତି ଦେଇ ନଥିଲା

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ : ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲ୍ଲୀ ଲକ୍ଷାଧିକ ଟଙ୍କାର ଟିକସ ଫାଙ୍କିଛି। ଟିଟୋର ପତ୍ନୀ ବେନଜିର ବିବିଙ୍କ ନାମରେ ଥିବା ପେଟ୍ରୋଲ ପମ୍ପକୁ ଜମି ଲିଜ୍‌ ତ ଦିଆଯାଇଥିଲା, କିନ୍ତୁ ସେଥିରୁ ଟିକସ ବାବଦରେ ରାଜକୋଷକୁ ଗୋଟିଏ ବି ଟଙ୍କା ଆସୁ ନଥିଲା । ତା’ ପ୍ରତି ସରକାରୀ ଅନୁକମ୍ପାର ଏହା ହେଉଛି ଆଉ ଏକ ନମୁନା। ଏଣେ ଟିଟୋ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ଟିଟୋର ପେଟ୍ରୋଲ ପମ୍ପ ପାଇଁ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ କୌଣସି ଅନୁମତି ଦେଇନଥିବା ଜଣାପଡ଼ିଛି।

ଟିଟୋ ପତ୍ନୀଙ୍କ ପେଟ୍ରୋଲ ପମ୍ପ ପାଇଁ ୫ ଡିସିମିଲ ଜମି ଟେକି ଦିଆଯାଇଥିବା ବେଳେ ଏହି ପମ୍ପ୍‌କୁ ରାସ୍ତା ପାଇଁ ଜମି ଦିଆଯିବା ବେଳେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଆଖି ବୁଜି ଦିଆଯାଇଥିଲା। ମୁଖ୍ୟ ସଡ଼କକୁ ଅଣଓସାରିଆ କରି ଜମି ଦିଆଯାଇଥିଲା। ୨୦୧୫ରେ ଜମି ଲିଜ୍‌ ଦେବା ବେଳେ ଜିଲ୍ଲାପାଳ, ଏସ୍‌ପି, ଅଗ୍ନିଶମ ବିଭାଗ ସମସ୍ତେ ଆଖି ବୁଜି ନୋ ଅବଜେକସନ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ସବୁଠୁ ବିଚିତ୍ର କଥା ହେଉଛି ସହରର ପ୍ରମୁଖ ସ୍ଥାନରେ ଏହି ପେଟ୍ରୋଲ ପମ୍ପ୍‌ ରହିଥିଲେ ବି ଏଥିରୁ ଟଙ୍କାଟିଏ ହୋଲଡିଂ ଟକିସ ଆଦାୟ ହୋଇ ନାହିଁ। କେନ୍ଦ୍ରାପଡ଼ା ତତ୍କାଳୀନ ନିର୍ବାହୀ ଅଧିକାରୀ ଆର୍‌ ଆଣ୍ଡ୍‌ ବି ନିର୍ବାହୀ ଯନ୍ତ୍ରୀଙ୍କ ସହାୟତାରେ ୨୦୧୫, ଅକ୍ଟୋବର ୧ ତାରିଖରୁ ହୋଲଡିଂ ଓ ଲାଇଟ୍‌ ଟିକସ ବାବଦରେ ୧ ଲକ୍ଷ ୨ ହଜାର ୮୦୬ ଟଙ୍କା ଧାର୍ଯ୍ୟ କରିଥିଲେ। କିନ୍ତୁ ୩ ବର୍ଷ ଭିତରେ ଏହା ଆଦାୟ ହୋଇନାହିଁ। ଫଳରେ ବିଗତ ବର୍ଷକ ମାନଙ୍କରେ ଆଦାୟ ହେବାକୁ ଥିବା ଲକ୍ଷାଧିକ ଟଙ୍କାର ହୋଲଡିଂ ଟିକସ ଆଦାୟ ନହୋଇ କାହା ପକେଟ୍‌କୁ ଯାଉଥିଲା ଓ କେଉଁ ଅଫିସର ଏଥି ପାଇଁ ଅନୁଗ୍ରହ ଦେଖାଇଥିଲେ ସେ ବିଷୟରେ ଭିଜିଲାନ୍ସ ଟିମ୍‌ ଖୋଳତାଡ଼ କରିଛି। ସେହିଭଳି ନିୟମ ଅନୁଯାୟୀ ପେଟ୍ରୋଲ ପମ୍ପ ପାଇଁ କେନ୍ଦ୍ରାପଡା ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟକୁ ଆବେଦନ କରାଯାଇ ନାହିଁ କି ଟ୍ରଷ୍ଟରୁ ଏଥିପାଇଁ କୌଣସି ସ୍ୱୀକୃତି ବି ମିଳି ନାହିଁ।

ସମ୍ବନ୍ଧିତ ଖବର