ଟିଟୋ କେଳେଙ୍କାରୀ: ହଜିଗଲା ଏସ୍‌ଟିଏଫ୍‌ ତନାଘନା

ଭିଜିଲାନ୍ସ ତଦନ୍ତ ବି ଶିଥିଳ; ରହସ୍ୟ ହୋଇଯିବ ବାଲିଖାଦାନ, ତେଲ ଟାଙ୍କି

ଭୁବନେଶ୍ୱର : ଏମିତି କରିଦେବୁ, ସେମିତି କରିଦେବୁ। କାହାକୁ ଛାଡିବୁନି। ରାଜନୈତିକ ଲିଙ୍କ୍‌ର ପର୍ଦାଫାସ ହେବ। ଠିକାଦାର, ଅଫିସର କେହି ବି ପୁଲିସ ପଞ୍ଝାରୁ ଖସିପାରିବେନି।

ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସୟଦ୍‌ ଉସମାନ୍‌ ଅଲ୍ଲୀ ଓରଫ୍‌ ଟିଟୋ ମାମଲାରେ ଏମିତି ବାଣୀ ଶୁଣାଉଥିଲା ପୁଲିସ। କେତେବେଳେ କ୍ରାଇମବ୍ରାଞ୍ଚ ଅଧୀନରେ ଥିବା ଏସ୍‌ଟିଏଫ୍‌ ତନାଘନା କରୁଥିଲା ତ ଆଉ କେତେବେଳେ ଭିଜିଲାନ୍ସ। ଆଶା କରାଯାଉଥିଲା, ଉପକୂଳ ଜିଲ୍ଲାରୁ ଗ୍ୟାଙ୍ଗଷ୍ଟରଙ୍କୁ ମୂଳୋତ୍ପାଟନ କରିକି ହିଁ ଛାଡିବ ପୁଲିସ।

ହଠାତ୍‌, କଣ ହେଲା କେଜାଣି, ଟିଟୋ ତଦନ୍ତ ଠପ୍‌ ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଉ ଭିଜିଲାନ୍‌ସ ଚଢଉ ହେଉନି କି ଏସ୍‌ଟିଏଫ୍‌ ଗିରଫଦାରି ଖବର ଆସୁନାହିଁ।
ବିଭିନ୍ନ ମହଲରେ ସନ୍ଦେହ ହେଲାଣି, ଅଦୃଶ୍ୟ ଚାପରେ ପୁଲିସ ଚାପି ହୋଇଗଲା କି? ରାଜନୈତିକ୍‌ ଲିଙ୍କ୍‌ ଅଡୁଆ ଜାଲରେ ଟିଟୋ ଫାଇଲ ଛନ୍ଦି ହୋଇଯାଇନାହିଁ ତ? ପୁଲିସ କଣ ତଦନ୍ତକୁ ଆଗକୁ ନେବାକୁ ଖିଅ ପାଉନାହିଁ? ତୁହାକୁ ତୁହା ଟିଟୋକୁ ଜେରାରୁ କଣ ପୁଲିସକୁ କିଛି ମିଳିଲାନି? ଜେରା ବେଳେ ପୁଲିସକୁ ଟିଟୋ ଭୁଆଁ ବୁଲାଇଦେଲା କି?

ଟିଟୋ ମାମଲାରେ ରାଜ୍ୟ ସରକାର ଏସ୍‌ଟିଏଫ୍‌କୁ ଖୋଲା ହାତ ଛାଡିଥିଲେ। ଟେଣ୍ଡର ଫିକ୍ସିଂ ମାମଲା ଆଦିରେ ସରକାରୀ ଅଧିକାରୀଙ୍କ ସଂପୃକ୍ତି ପ୍ରସଙ୍ଗକୁ ଟାଣିବା ଲାଗି ଭିଜିଲାନ୍‌ସକୁ ବି ତଦନ୍ତରେ ନିୟୋଜିତ କରାଯାଇଥିଲା। ଖାସ୍‌ ଏଇଥିପାଇଁ ଯେ ଟିଟୋର ଅପରାଧ ଓ ଆର୍ଥିକ ସାମ୍ରାଜ୍ୟ ବୃଦ୍ଧି କରିବାରେ ସହଯୋଗ କରିଥିବା ସରକାରୀ ବାବୁମାନଙ୍କ ମୁଖା ଖୋଲିବ। କେଉଁ ସରକାରୀବାବୁ କେତେ ପଣି ନେଇ ଟିଟୋକୁ ଅପରାଧ ଜଗତର ବାଦଶାହା ବନାଇଥିଲେ ତାର ପର୍ଦାଫାସ କରିବ ଭିଜିଲାନ୍‌ସ।

ତେବେ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି, କାହିଁକି ତଦନ୍ତ ଶିଥିଳ ପଡିଲା?

ସୂଚନାଯୋଗ୍ୟ, ଏହି ମାମଲାରେ ସଂପୃକ୍ତ ସରକାରୀ ବାବୁଙ୍କ ମଧ୍ୟରୁ ଜଣକୁ ବି ଏଯାଏ ଛୁଇଁନାହାନ୍ତି ତଦନ୍ତକାରୀ ଅଧିକାରୀ। କେତେଜଣଙ୍କୁ କେବଳ ପଚରା ଉଚରା କରାଯାଇଛି, ରେକର୍ଡ ସଂଗ୍ରହ ହୋଇଛି। ସେତିକିରେ ଏହି ତଦନ୍ତ ଅଟକିଯାଇଛି।

ଟିଟୋ ମାମଲାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଧାର ବହୁ ବଡ଼ ବଡିଆ ଓ ତଳିଆ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ ରହିଥିବା ଅଭିଯୋଗ ଉଠିଥିଲା। ପୁଲିସ ବିଭାଗଠାରୁ ଆରମ୍ଭ କରି ଜଳ ସମ୍ପଦ, କୃଷି, ପୂର୍ତ ବିଭାଗ, ତହସିଲ, ବ୍ଲକ୍‌ ଓ ରାଜସ୍ୱ ଭଳି ୧୧ଟି ବିଭାଗରେ ଟିଟୋର ଦବ୍‌ଦବା ଥିବା ସୂଚନା ମିଳିଥିଲା। ଏହି ବିଭାଗର ସରକାରୀ ବାବୁମାନେ ଟିଟୋକୁ ତାର ଅପରାଧ ସାମ୍ରାଜ୍ୟ ବିସ୍ତାର କରିବାରେ ସହଯୋଗ କରିଥିଲେ, ଏକଥା ଦାଣ୍ଡରେ ପଡି ହାଟରେ ଗଡୁଛି। ଏମାନଙ୍କ ସହଯୋଗରେ ଟିଟୋ କୋଟିପତି ବନି ଯାଇଥିଲା। କେନ୍ଦ୍ରାପଡା ସହର ଉପରେ ମଠ କରି ଶାସନ ଚଳାଇଥିଲା।

ଟିଟୋ ସାମ୍ରାଜ୍ୟର ତାଲିକା କିଛି କମ୍‌ ଲମ୍ବା ନୁହେଁ। ଟେଣ୍ଡରଫିକ୍ସିଂ ଠାରୁ ଆରମ୍ଭ କରି ବାଲିଘାଟ ନିଲାମ, ମୋରମ ଚାଲାଣ, ଠିକାଦାରୀ, ଜମିଜମା କାରବାର, ଗୋ-ଚାଲାଣ କାରବାର ବେଧଡକ ଭାବେ ସେ ଚଳାଇଥିଲା ବୋଲି ପୁଲିସ ନିଜେ ପୂର୍ବରୁ ସ୍ୱୀକାର କରିଛି। ଦାଦାବଟି, ରିଅଲ-ଇଷ୍ଟେଟ, ପେଟ୍ରୋଲ ପମ୍ପ, ଷ୍ଟିଭେଡରିଂ, ହୋଟେଲ ବ୍ୟବସାୟ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ମନୋରଂଜନ ଜଗତରେ ଟିଟୋର ଅର୍ଥ ନିବେଶ ନେଇ ତଦନ୍ତ ଚାଲିଛି ବୋଲି ବି କହିଛି।

ଟିଟୋ ମାମଲାରେ କେନ୍ଦ୍ରୀୟ ସଂସ୍ଥାର ଭୂମିକା ମଧ୍ୟ ଥିଲା। ପାରାଦୀପରେ ଟିଟୋକୁ କିଭଳି ପେଟ୍ରୋଲ ପମ୍ପ ମିଳିଲା, ସେ ଘଟଣା ଅତ୍ୟନ୍ତ ରୋଚକ ଥିଲା। ଏହି ଘଟଣାରେ ମନ୍ତ୍ରାଳୟ ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ସେ ଦିଗରୁ ମଧ୍ୟ ତଦନ୍ତ ଆଗଉନାହିଁ। ଟିଟୋ କିଭଳି ଷ୍ଟିଭେଡରିଂ ଲାଇସେନ୍‌ସ ପାଇଲା, ତାହା ସମସ୍ତଙ୍କୁ ଚକିତ କରିଥିଲା। ସେ କ୍ଷେତ୍ରରେ ବି ତଦନ୍ତ ବାଟବଣା ଧରିଲାଣି।

ତେବେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ଶର୍ମା କିନ୍ତୁ ତଦନ୍ତ ଶିଥିଳତା ଖବରକୁ ମାନିନାହାନ୍ତି। କହିଛନ୍ତି, ଟିଟୋ ମାମଲାରେ ତଦନ୍ତ ଚାଲିଛି। ଗଣମାଧ୍ୟମକୁ ଖବର ଦିଆଯାଉନି, ତେଣୁ ଜଣାପଡୁନାହିଁ। ଗତକାଲି ମଧ୍ୟ ଜଣକୁ ଡାକି ଏସ୍‌ଟିଏଫ୍‌ ପଚରା ଉଚରା କରିଥିବା ତାଙ୍କୁ ସୂଚନା ଦିଆଯାଇଛି।

ତେବେ କାହିଁକି ଗଣମାଧ୍ୟମକୁ ଦୂରେଇ ରଖାଯାଉଛି?
ଗ୍ୟାଙ୍ଗଷ୍ଟର ଟିଟୋ ଅପରାଧ ସାମ୍ରାଜ୍ୟର ଚାରି ପ୍ରମୁଖ କାର୍ପଟଦାର ତଥା ଦୁର୍ଦାନ୍ତ ଅପରାଧୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଥିଲା। ସେମାନେ ହେଲେ କଟକ ମଙ୍ଗଳାବାଗ ଅଞ୍ଚଳର ସେକ୍‌ ଅବଦୁଲା ଓରଫ୍‌ ରାଜେଶ୍‌, ଜାହାଙ୍ଗିର ଖାନ୍‌, ଇମ୍‌ତିଆଜ୍‌ ଖାଁ ଓରଫ୍‌ ବାବୁ ଓରଫ୍‌ କାଲୁ, ଲାଲବାଗ ଥାନା ଅଂଚଳର ଗୋଲ୍‌ଡେନ୍‌ ପପୁ ଓରଫ୍‌ ମହମ୍ମଦ ଅବଦୁଲା ଆସିଫ୍‌। ଅବିଭକ୍ତ କଟକ ଜିଲ୍ଲାରେ ଦାଦାବଟିଠାରୁ ଆରମ୍ଭ କରି ଟେଣ୍ଡରଫିକ୍ସିଂ, ଗୁଳିମାଡ଼, ବୋମାମାଡ଼, ବନ୍ଧୁକ ମୁନରେ ଭୟଭୀତ କରି ଏମାନେ ଆତଙ୍କ ସୃଷ୍ଟି କରି ଚାଲିଥିଲେ ବୋଲି ପୁଲିସ କହିଥିଲା।

ଟିଟୋର ଦୁଇ ପ୍ରମୁଖ ସହଯୋଗୀ ବାବୁଲା ପତ୍ରି ଓ ସେକ୍‌ ସୟଦଙ୍କୁ ବି ଗିରଫ କରିଥିଲା ଏସ୍‌ଟିଏଫ୍‌। ଦୁହେଁ ଟିଟୋ ପାଇଁ ସାର୍ପସୁଟର୍‌ ଭାବେ କାମ କରୁଥିଲେ। ଟିଟୋର ସାନ ଭାଇ ସପୋ ସହିତ ସେମାନଙ୍କର ନିବିଡ଼ତା ଥିଲା ଓ ତା ଇସାରାରେ ହିଁ ସେମାନେ ଅପରାଧ ଘଟାଉଥିଲେ। ଉଭୟଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଭଳି ପାଖାପାଖି ୩୦ଟି ସଂଗିନ୍‌ ମାମଲା ରହିଛି। ସେହିପରି ଜଗତସିଂହପୁରର ବାପୁ ପରିଡା, ଆଲୋକ ପରିଡା, ଦୀପକ ସ୍ୱାଇଁ, ସାକିର୍‌ ଅଲ୍ଲୀଙ୍କୁ ଗିରଫ କରିଛି।

ହେଲେ ଟିଟୋର ପ୍ରମୁଖ ସହଯୋଗୀ ତାର ଭାଇ ସପୋ ସମେତ ଆହୁରି କେଇ ଡଜନ ଅପରାଧୀ ଲୁଚିବାରେ ସକ୍ଷମ ହୋଇଛନ୍ତି। ଟିଟୋ ପାଇଁ କାମ କରୁଥିବା ଠିକାଦାର, ରାଜନେତାଙ୍କୁ ବି ଛୁଇଁପାରିନାହାନ୍ତି ତଦନ୍ତକାରୀ ଅଧିକାରୀ।

ସମ୍ବନ୍ଧିତ ଖବର