ତାହିର ଅଲ୍ଲୀ ଗୁଳିକାଣ୍ଡ ଘଟଣାରେ ଟିଟୋକୁ ମାରାଥନ୍‌ ଜେରା

ସହଯୋଗୀ ସଂପୃକ୍ତ ଥିଲେ, ମୁଁ ନୁହେଁ, ୨ଦିନ ରିମାଣ୍ଡରେ ନେଲା ଜଗତ୍‌ପୁର ପୁଲିସ୍‌

କଟକ/ସାଲେପୁର : ତାହିର ଅଲ୍ଲୀ ଗୁଳିକାଣ୍ଡ ଘଟଣାରେ ଆଜି ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀକୁ ମାରାଥନ ଜେରା ଆରମ୍ଭ ହୋଇଛି। ଏସିପି ତ୍ରିନାଥ ମିଶ୍ର, ଜଗତପୁର ଥାନା ଆଇଆଇସି ବିରଂଚି ନାରାୟଣ ପତି ଟିଟୋକୁ କମିସନରେଟ୍‌ ପୁଲିସର ଏକ ଥାନା ହାଜତରେ ରଖି ସଂଧ୍ୟାରୁ ଜେରା କରିବା ଆରମ୍ଭ କରିଛନ୍ତି। ଗୁଳିକାଣ୍ଡରେ ତା’ର ସହଯୋଗୀ ସଂପୃକ୍ତ ଥିଲେ ବି ସେ ଏଥିରେ ସଂପୃକ୍ତ ନ ଥିଲା ବୋଲି ଟିଟୋ ବାରମ୍ବାର କହୁଥିବା ସୂଚନା ମିଳିଛି। ଅନ୍ୟପଟେ ପୁଲିସ ଟିମ୍‌ ଟିଟୋଠାରୁ ସତ ଓଗାଳିବା ଉଦ୍ୟମ ଜାରି ରଖିଛି।

ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ଜଗତ୍‌ପୁର ଥାନା ପୁଲିସ୍‌ ଟିଟୋକୁ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ଅଦାଲତ ୨ ଦିନ ଅନୁମତି ଦେଇଛନ୍ତି। ଟିଟୋକୁ ଆଜି ଦିନ ପ୍ରାୟ ସାଢେ ୧୧ଟାରେ କଡ଼ା ସୁରକ୍ଷା ଭିତରେ ଅଦାଲତରେ ହାଜର କରାଯାଇଥିଲା। ଗଲା ମାର୍ଚ୍ଚ ୨୮ତାରିଖ ସନ୍ଧ୍ୟାରେ ଜଗତ୍‌ପୁର ଥାନା ମଧ୍ୟକଚ୍ଛ ପଞ୍ଚାୟତର ତାହିର୍‌୍‌ ଅଲ୍ଲୀଙ୍କୁ ଟେଣ୍ଡର ଫିକ୍ସିଂ ଘଟଣାରେ ଗୁଳି ମାଡ଼ ଘଟଣାକୁ ନେଇ ଜଗତପୁର ଥାନା ପୁଲିସ ଟିଟୋକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା।

ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ଅବଦୁର୍‌ ରହେମନ୍‌ଙ୍କ ଭାଇ ତାହିର୍‌ ଅଲ୍ଲୀଙ୍କୁ ୬ରୁ ଅଧିକ ଦୁର୍ବୃତ୍ତ ଗୁଳି ମାରିଥିଲେ। ଆହତ ତାହିରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଚିକତ୍ସା ପରେ ସୁସ୍ଥ ହୋଇଥିଲେ। ସେ ଦୁଇଟି ଟେଣ୍ଡର ହାତେଇ ଥିବା ବେଳେ ନିର୍ଦ୍ଦିଷ୍ଟ ପରିମାଣର ଦାଦା ବଟି ଦେବାକୁ ତାଙ୍କୁ ଧମକ ଦିଆଯାଉଥିଲା। ସେଦିନ ସଂଧ୍ୟାରେ ତାହିରଙ୍କୁ ଡାକି ଦୁର୍ବୃତ୍ତମାନେ ଧମକ ଦେବା ସହ ଗୁଳି ମାଡ଼ କରିଥିଲେ। ଏହି ଘଟଣାରେ ଜଗତପୁର ଥାନା ପୁଲିସ ଦୁର୍ଦ୍ଦାନ୍ତ କାଲା ବାବୁ ସମେତ ୬ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଙ୍କୁ ଜେରା ସମୟରେ ସେମାନେ ଟିଟୋର ସହଯୋଗୀ ବୋଲି ଜଣା ପଡିଥିଲା। ଟିଟୋ ନିର୍ଦ୍ଦେଶରେ ସେମାନେ ଏଭଳି କରିଥିବା କହିଥିଲେ। ଫଳରେ ପୁଲିସ ସେହି ମାମଲାରେ ଟିଟୋର ନାମ ଯୋଡି ଥିଲା। କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟିଟୋକୁ ଗିରଫ କରିବା ପରେ ତାକୁ ଜେରା ପାଇଁ ଜଗତପୁର ଥାନା ପୁଲିସ୍‌ ରିମାଣ୍ଡ ପାଇଁ ଆବେଦନ କରିଥିଲା।

ଆଜି ରିମାଣ୍ଡ ଆବେଦନର ଶୁଣାଣିରେ ପ୍ରଥମ ଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌ ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା ସଭିଲ୍‌ ଜଜ୍‌ ଜୁନିୟର୍‌ ଡିଭିଜନ୍‌ ପୃଥ୍ଵୀରାଜ ପଧାନ ଶୁଣାଣି କରି ଟିଟୋକୁ ୨ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଥିଲେ। ରିମାଣ୍ଡ ଶେଷ ପରେ ସୋମବାର ସକାଳେ ଟିଟୋକୁ ସାଲେପୁର କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଆଇନ୍‌ଜୀବୀ ରବୀନ୍ଦ୍ର ପଣ୍ଡା, ଲୋପାମୁଦ୍ରା ବରାଳ ଓ ଅଭିଯୁକ୍ତଙ୍କ ପକ୍ଷରୁ ଆଇନ୍‌ଜୀବୀ ଦୀପକ୍‌ କୁମାର ସାହୁ ମାମଲା ପରିଚାଳନା କରିଥିଲେ। ଏହି ମାମଲାରେ ଟିଟୋ ବିରୋଧରେ (କେସ୍‌ ନଂ. ୨୩୪/୧୮) ଦଫା ୨୯୪, ୩୨୩, ୩୮୭, ୩୦୭, ୫୦୬, ୩୪ ଆଇପିସି, ୨୫/୨୭ (ଆର୍ମସ୍‌ ଆକ୍ଟ) ରେ ମାମଲା ରହିଛି।

ସମ୍ବନ୍ଧିତ ଖବର