ଟିଟୋ ସମ୍ପୃକ୍ତ ଥିବା ୪ଟି ହତ୍ୟା ଘଟଣାର ପୁଣି ତଦନ୍ତ : ଟିଟୋର ତିନି ଭାଇଙ୍କୁ ହାଜିରା ନୋଟିସ୍‌

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ତିନି ଭାଇଙ୍କୁ ନୋଟିସ୍‌ ଜାରି କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌। ଟିଟୋର ବିଭିନ୍ନ କାରବାର ସମ୍ଭାଳୁଥିବା ଟିଟୋର ଭାଇ ଚିତ୍ତୋ, ଜି ବାବୁ ଓ ସପ୍ପୋକୁ ଏସଟିଏଫ୍‌ ନୋଟିସ ଜାରି କରିଛି। ଟିଟୋ ଗିରଫ ହେବା ପରଠାରୁ ସେମାନଙ୍କର ପତ୍ତା ମିଳୁ ନଥିବାରୁ ଏବେ ସେମାନଙ୍କୁ ନୋଟିସ ତଲବ କରି ଜେରା କରିବାକୁ ପଦକ୍ଷେପ ନେଇଛି ଏସଟିଏଫ୍‌। ଟିଟୋର ବିଭିନ୍ନ ଅପରାଧିକ ଏବଂ ବ୍ୟବସାୟିକ କାରବାରକୁ ଏହି ତିନି ଭାଇ ସମ୍ଭାଳୁଥିବା କୁହାଯାଉଛି। ଗତକାଲି ଟିଟୋର ପତ୍ନୀ ବେନଜିର ବିବିଙ୍କୁ ଏସଟିଏଫ୍‌ ପକ୍ଷରୁ ଜେରା କରାଯାଇଥିଲା। ଟିଟୋ ଏବେ ତୃତୀୟ ପର୍ଯ୍ୟାୟରେ ଏସଟିଏଫ୍‌ର ତିନି ଦିନିଆ ରିମାଣ୍ଡରେ ଥିବା ବେଳେ ତାକୁ ମଧ୍ୟ ମାରାଥନ ଜେରା କରାଯାଉଛି। ଟିଟୋର ସଂପୃକ୍ତି ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ଥାନାରେ ୪ଟି ହତ୍ୟା ମାମଲାର ପୁନଃ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି।

କେନ୍ଦ୍ରାପଡ଼ା ସହରର ଚକଡ଼ାଠାରେ ଜିପିଆଇଏଲ କମ୍ପାନୀର ସିପିଆଇଓ ଦେବବ୍ରତ ନାୟକଙ୍କୁ ଶିଳ୍ପତରୁ ସ୍ୱାଇଁ ଓରଫ କଟାଦୀପୁ ୧୦ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା । ସେ ବଟି ନ ଦେବାରୁ ଟିଟୋ ନିର୍ଦ୍ଦେଶରେ କଟାଦୀପୁ ଓ ତାର ସହଯୋଗୀମାନେ ସେହି କମ୍ପାନିର ସାଇଟ ଇଞ୍ଜିନିୟର ଦେବାଶିଷ ସାହୁଙ୍କୁ ଗୁଳିକରି ହତ୍ୟା କରିଥିଲେ। ୨୦୧୭ ଡିସେମ୍ବର ୨୧ ତାରିଖରେ ଏହି ଘଟଣା ଘଟିଥିଲା। ଦଫା ୩୮୭, ୩୦୨, ୧୨୦(ବି) ଏବଂ ୨୫ ଓ ୨୭ ଆର୍ମସ ଆକ୍ଟରେ ମାମଲା(୧୩୯/୧୭) ରୁଜୁ ହୋଇଥିଲା। ସେହିପରି ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗଡ଼ା ନିକଟରେ କେଦାର ସ୍ୱାଇଁଙ୍କୁ ଗୁଳିକରି ହତ୍ୟା କରିବା ଘଟଣାରେ ୨୦୧୬ ଜାନୁଆରି ୨୪ରେ ଦଫା ୩୦୨, ୩୪ ଓ ୨୫ଏବଂ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଟିଟୋ ନିର୍ଦ୍ଦେଶରେ ସାଜନ ବେହେରା, ହରେକୃଷ୍ଣ ବେହେରା, ପ୍ରଶାନ୍ତ ଦାସ ଓରଫ ପାସା, ଅମିତ ପ୍ରଧାନ, ଦେବୀପ୍ରସାଦ ଦାସ, ବିପ୍ଳବ ବେହେରା, ସଞ୍ଜୟ ବେହେରା, ବାପି ସ୍ୱାଇଁ, ବରଦା ପ୍ରସନ୍ନ ଦାସ, ପିଣ୍ଟୁ ମହାପାତ୍ର ଏବଂ ରାକେଶ ବଡ଼ପଣ୍ଡା ମିଶି କେଦାରଙ୍କୁ ଗୁଳିୁକରି ହତ୍ୟା କରିଥିଲେ। ଏଥିସହ ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି ଗ୍ରାମ ପାଖଦେଇ ଯାଇଥିବା ପାଇକା ନଦୀ ବନ୍ଧରେ ଗତ ୨୦୧୫ ଏପ୍ରିଲ୍‌ ୨୪ତାରିଖରେ ରାଜକିଶୋର ବେହେରା ହତ୍ୟାକାଣ୍ଡରେ ମଧ୍ୟ ଟିଟୋର ସମ୍ପୃକ୍ତି ଥିବା ଜଣାପଡିଛି । ଟିଟୋ ନିର୍ଦ୍ଦେଶରେ ବାବୁ ଓରଫ ଭବାନୀଶଙ୍କର ସାହୁ, ବାପିନ ଓରଫ କେଦାରନାଥ ସ୍ୱାଇଁ, ଶରତ ମହାରଣା ଓ ଟୁଲୁ ଓରଫ ତ୍ରିଲୋଚନ ବେହେରା ମିଶି ରାଜକିଶୋରଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏ ନେଇ ମାର୍ଶାଘାଇ ଥାନାରେ ଦଫା ୩୦୨,୧୨୦(ବି), ୫୦୬ ଓ ୨୫ ଏବଂ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ସେହିଭଳି ମାର୍ଶାଘାଇ ଥାନା କୁସୁନପୁର ଗ୍ରାମ ଦେଇ ଯାଇଥିବା ୫ନମ୍ବର(କ) ଜାତୀୟ ରାଜପଥର କଡରେ ଥିବା ବିଚିଆ ନାୟକଙ୍କ ତାରାତାରିଣୀ ହୋଟେଲ ସମ୍ମୁଖରେ ୨୦୧୩ ସେପ୍ଟେମ୍ବର ୨୨ତାରିଖରେ ଲୁଲୁ ଓରଫ ଅଶ୍ୱଜିତ ସାହୁଙ୍କ ହତ୍ୟା ଘଟଣାରେ ଟିଟୋର ସମ୍ପୃକ୍ତି ଥିବା ଜଣାପଡ଼ିଛି। ଟିଟୋ ନିର୍ଦ୍ଦେଶରେ ରଶ୍ମିରଞ୍ଜନ ସେନାପତି, ଡଙ୍ଗା ଓରଫ ବୀରେନ୍ଦ୍ର ସେନାପତି, ବେଲ ଓରଫ ମନୋରଞ୍ଜନ ସେନାପତି, ଚଇତ ଓରଫ ଲକ୍ଷ୍ମୀକାନ୍ତ ବେହେରା, ଚଗଲା ଓରଫ ସତ୍ୟବ୍ରତ ସାମନ୍ତରାୟ, ରାଜା ଓରଫ ରାଜେଶ ମୁଦୁଲି, ବାପି ଓରଫ ସୁନିଲ ପାଇକରାୟ, କୁନା ଓରଫ ମିହିର ସ୍ୱାଇଁ ଏବଂ ଲିଟୁଆ ଓରଫ ଦେବୀପ୍ରସାଦ ଦାସ ମିଶି ଲୁଲୁ ଓରଫ ଅଶ୍ୱଜିତ ସାହୁକୁ ଗୁଳି କରି ହତ୍ୟା କରିଥିଲେ ।

ଏହି ୪ଟି ହତ୍ୟା ଘଟଣାରେ ଟିଟୋ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ଏସଟିିଏଫ ଜେରା ବେଳେ ଜଣା ପଡିବାରୁ ମାମଲାଗୁଡିକର ପୁନଃ ତଦନ୍ତ ଆରମ୍ଭ କରାଯାଇଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ସୂଚନା ଦେଇଛନ୍ତି। ମାମଲାଗୁଡିକରେ ଟିଟୋକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ସେ କହିଛନ୍ତି। ସେହିଭଳି ପାଟକୁରା ଥାନାରେ ଏକ ଟେଣ୍ଡର ଫିକ୍ସିଂ ମାମଲା(୧୪/୧୬)ରେ ମଧ୍ୟ ଟିଟୋକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର