ସବୁଜ ଜହରର ଭୂସ୍ୱର୍ଗ ପାଲଟିଛି ବୌଦ୍ଧ ବନଖଣ୍ଡ : ଜଙ୍ଗଲ ଜମିରେ ବୃଦ୍ଧି ପାଉଛି ଗଞ୍ଜେଇ ଚାଷ, ବଳିପଡୁଛି ବହୁ ମୂଲ୍ୟବାନ ଗଛ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳ ଗଞ୍ଜେଇ ଚାଷ ବା ସବୁଜ ଜହରର ଭୂସ୍ୱର୍ଗ ପାଲଟିଛି। ଗତ ୨୦୧୫ରୁ ୨୦୧୮ ୪ ବର୍ଷ ମଧ୍ୟରେ ଜିଲ୍ଲାରେ ଗଞ୍ଜେଇ ଚାଷୀ ଓ ବ୍ୟବସାୟୀଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ୧୦ଗୁଣା ବୃଦ୍ଧି ପାଇଛି। ବିଶେଷ କରି ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଅଞ୍ଚଳର ଜଙ୍ଗଲ ଜମିରେ ହଜାର ହଜାର ଏକର ଗଞ୍ଜେଇ ଚାଷ ହେଉଛି।

୨୦୧୫-୧୬ର ଅବାକାରୀ ରିପୋର୍ଟ ଅନୁସାରେ ଜିଲ୍ଲାରେ ପ୍ରାୟ ୨୦ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଏହି ବର୍ଷ ବୌଦ୍ଧ ଜିଲ୍ଲା ଗଞ୍ଜେଇ ଚାଷ ହେଉଥିବା ରାଜ୍ୟର ଅନ୍ୟ ସବୁ ଜିଲ୍ଲାକୁ ଟପି ଯାଇଥିଲା। ୨୦୧୬-୧୭ରେ ବୌଦ୍ଧ ଜିଲ୍ଲାରେ ମୋଟ ୭୪୨.୩୨ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇ ଥିଲା। ପ୍ରାୟ ୨୫ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ସେହିପରି ୨୦୧୭-୧୮ରେ ଜିଲ୍ଲାରେ ମୋଟ ୮୧୯ ଏକର ଜମିରେ ହୋଇଥିବା‌ ପ୍ରାୟ ୩୨ଲକ୍ଷ ଗଛ ନଷ୍ଟ କରାଯାଇଥିଲା। ଗତ ବର୍ଷ ଅର୍ଥାତ ୨୦୧୮-୧୯ରେ ବୌଦ୍ଧ ଜିଲ୍ଲାରେ ମୋଟ ୭୩୭ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ବୌଦ୍ଧ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ମାତ୍ରାରେ ଗଞ୍ଜେଇ ଗଛ ନଷ୍ଟ କରାଯିବା ପରେ ମଧ୍ୟ ପ୍ରତି ବର୍ଷ ରେକର୍ଡ ସଂଖ୍ୟକ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ବୌଦ୍ଧର ପଡ଼ୋଶୀ ଜିଲ୍ଲା କନ୍ଧମାଳର ସୀମାନ୍ତ ଜଙ୍ଗଲ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ଅଞ୍ଚଳରୁ ଆରମ୍ଭ କରି କଣ୍ଟାମାଳ ଥାନା ଅନ୍ତର୍ଗତ ଘଣ୍ଟାପଡ଼ା ଜଙ୍ଗଲରେ ଗଞ୍ଜେଇ ଚାଷର ପରିମାଣ ବଢ଼ିଯାଇଛି।

The Clarion-Ledger

ଗଞ୍ଜେଇ ଚାଷରେ ଲାଭ ଅଧିକ ଥିବାରୁ ସେଠାରେ ମାଫିଆଙ୍କ ରାଜୁତି ଚାଲିଛି। ସାଲୁଙ୍କି ଓ ବାଘନଦୀ ଏବଂ ପାହାଡ଼ିଆ ସମତଳ ଅଞ୍ଚଳରେ ପ୍ରାୟତଃ ଜିଲ୍ଲାର ହଜାରେରୁ ଅଧିକ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରାଯାଉଥିବା ଦେଖାଯାଉଛି। ମାଫିଆମାନେ ଗଞ୍ଜେଇ ଚାଷ ପାଇଁ ବୌଦ୍ଧ ବନଖଣ୍ଡ ଅଞ୍ଚଳର ଶହ ଶହ ମୂଲ୍ୟବାନ ଗଛ ମଧ୍ୟ କାଟି ଦେଉଛନ୍ତି। ମାତ୍ର ଉକ୍ତ ଅଞ୍ଚଳଟି ମାଓପ୍ରବଣ ଓ କନ୍ଧମାଳ ଜିଲ୍ଳା ସୀମାନ୍ତ ଥିବାରୁ ବୌଦ୍ଧ ବନଖଣ୍ଡ ଅଧିକାରୀ କିମ୍ବା କର୍ମଚାରୀଙ୍କ ପାଦ ମଧ୍ୟ ପଡୁ ନାହିଁ। ଫଳରେ ମାଫିଆମାନେ ଜଙ୍ଗଲ ପାଖ ଅଞ୍ଚଳରେ ବସବାସ କରୁଥିବା ଗରିବ ଚାଷୀଙ୍କୁ ଗଞ୍ଜେଇ ଚାଷ କରିବାକୁ ପ୍ରବର୍ତ୍ତାଉଛନ୍ତି। ଏହି ଅଞ୍ଚଳରେ ଅମଳ ହେଉଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ପ୍ରାୟତଃ ଛତିଶଗଡ଼ର ରାୟପୁରକୁ ଚାଲାଣ ହେଉଥିବା ଜଣାଯାଇଛି। ବୌଦ୍ଧର ଘଣ୍ଟାପଡ଼ା ଦେଇ ପଡ଼ୋଶୀ ବଲାଙ୍ଗୀର ଜିଲ୍ଳାର ଗୁଡ଼ଭେଲା, ତୁଷୁରା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ଟଙ୍କା ଅଗ୍ରୀମ ଦିଆଯାଉ ଥିବା ବେଳେ ଅମଳ ସମୟରେ ସଂଗ୍ରହ କରାଯାଇ ଜିଲ୍ଲା ବାହାରକୁ ଚାଲାଣ ହେଉଛି। ଗତ ବର୍ଷ ବୌଦ୍ଧ ପୁଲିସ ଓ ଅବକାରୀ ବିଭାଗ ପୃଥକ ଭାବେ ଗଞ୍ଜେଇ ଗଛ ନଷ୍ଟ କରିବା ଅଭିଯାନ ଆରମ୍ଭ କରିଥିବା ବେଳେ ମୋଟ ନଷ୍ଟ କରାଯାଇଥିବା ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୨ଶହ କୋଟିରୁ ଅଧିକ ଟଙ୍କା ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର