ରାଜ୍ୟରେ ବଢ଼ୁଛି ଗଞ୍ଜେଇ ଚାଷ : ଲକ୍ଷାଧିକ ଗଛ ନଷ୍ଟ ସତ୍ତ୍ବେ ଥମୁନି ଚାଷ, କନ୍ଧମାଳରେ ସର୍ବାଧିକ

ଭୁବନେଶ୍ବର : ଅବକାରୀ ବିଭାଗ ପ୍ରତିବର୍ଷ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କରୁଛି। ବ୍ୟାପକ ଧରପଗଡ଼ ମଧ୍ୟ ହେଉଛି। ଏହାସତ୍ତ୍ବେ ଚାଷ କମିବାର ନାଁ ନେଉନାହିଁ। ଗଞ୍ଜେଇ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ବ୍ୟବସାୟୀମାନେ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ରାଜ୍ୟର ୯/୧୦ଟି ଜିଲ୍ଲା ଗଞ୍ଜେଇ ଚାଷର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି। ଏଭଳି ପରିସ୍ଥିତିରେ କିଭଳି ଗଞ୍ଜେଇ ଚାଷକୁ ନିୟନ୍ତ୍ରଣ କରାଯିବ ତାହା ଅବକାରୀ ବିଭାଗ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ଭ‌ାବେ ଉଭା ହୋଇଛି।

ରାଜ୍ୟରେ ୪ବର୍ଷ ଭିତରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟର ତଥ୍ୟ ହସ୍ତଗତ ହୋଇଛି। ରାଜ୍ୟରେ ମୁଖ୍ୟତଃ ଅନୁଗୁଳ, ବୌଦ୍ଧ, ଦେବଗଡ଼, ସମ୍ବଲପୁର, କନ୍ଧମାଳ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ଗଞ୍ଜେଇ ଚାଷର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ପାଲଟିଛି। ୨୦୧୫-୧୬ ମସିହାରେ ରାଜ୍ୟରେ ୪୮ଲକ୍ଷ ୫୪ ହଜାର ୪୨୯ଟି ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ହେଉଛି ୪୮୫ କୋଟି ୪୪ଲକ୍ଷ ୨୯ହଜାର ଟଙ୍କା। ଏହି ବର୍ଷ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୯ଲକ୍ଷ ୭୫ହଜାରରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଏହାର ପଛକୁ ରହିଛି କନ୍ଧମାଳ ଜିଲ୍ଲା। ଏଠାରେ ୧୨ଲକ୍ଷ ୪୭ହଜାରରୁ ଅଧିକ ଗଞ୍ଜେଇ ଗଛକୁ ନଷ୍ଟ କରିଛି ଅବକାରୀ ବିଭାଗ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ରାଜ୍ୟରେ ହେଉଥିବା ଗଞ୍ଜେଇ ଚାଷର ଗମ୍ଭୀରତା ପଦାକୁ ଆଣିଛି। ୨୦୧୬ ମସିହାରୁ ଚଳିତବର୍ଷ ଯାଏ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଥିବା ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି। ୨୦୧୬-୧୭ରେ ରାଜ୍ୟର ୯ଟି ଜିଲ୍ଲାରେ ୪ହଜାରରୁ ଅଧିକ ଏକର ଜମି ଗଞ୍ଜେଇ ଚାଷ ହୋଇଥିବା ବେଳେ ଏଥିରେ ୬୮ଲକ୍ଷ ୩୫ହଜାର ୭୭୦ଟି ଗଛକୁ ନଷ୍ଟ କରାଯାଇଛି। କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୨୩୮୪ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ବେଳେ ତହିଁରେ ୨୩ଲକ୍ଷ ୮୪ହଜାର ଗଛକୁ ନଷ୍ଟ କରି ଦିଆଯାଇଛି। ବୌଦ୍ଧ ଜିଲ୍ଲାରେ ୭୪୨.୩୨ଏକର ଜମିରେ ୨୪ଲକ୍ଷ ୪୫ହଜାର ୮୦୯ ଗଛ, ଗଜପତି ଜିଲ୍ଲାରେ ୪୫୪ ଏକର ଜମିରେ ୯ଲକ୍ଷ ୨୨ହଜାର, ଅନୁଗୁଳର ୧୧୨ ଏକର ଜମିରେ ୪ଲକ୍ଷ ୪୯ହଜାରରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୭-୧୮ ମସିହାରେ ୪୫୮୪.୨ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ବେଳେ ୭୯ଲକ୍ଷ ୩୨ ହଜାରରୁ ଅଧିକ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। କନ୍ଧମାଳ ଜିଲ୍ଲାରେ ୨୪୨୪ ଏକର ଜମିରେ ୨୪ଲକ୍ଷ ୨୪ହଜାର ଗଛ, ବୌଦ୍ଧ ଜିଲ୍ଲାର ୮୧୯ଏକର ଜମିରେ ୩୧ଲକ୍ଷ ୫୬ହଜାର ୪୨୮ଗଛ, ଗଜପତି ଜିଲ୍ଲାର ୭୭୧ଏକର ଜମିରେ ୭ଲକ୍ଷ ୨୪ ହଜାର ଗଛ, ମାଲକାନଗିରିର ୨୪୨ଏକର ଜମିରେ ୯ଲକ୍ଷ ୯୯ ହଜାର ୪୧୮ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ସେହିପରି ୨୦୧୮ ମସିହାରେ ୭୨୫୧ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଛି। ଗତବର୍ଷ ଡିସେମ୍ବର ମାସ ସୁଦ୍ଧା ୧କୋଟି ୨ଲକ୍ଷ ୮୬ହଜାର ୭୭୦ଗଛ ନଷ୍ଟ କରାଯାଇଛି। ଯଦି ଗୋଟିଏ ଗଞ୍ଜେଇ ଗଛର ମୂଲ୍ୟ ୧ହଜାର ଟଙ୍କାର ହୁଏ ତେବେ ନଷ୍ଟ ହୋଇଥିବା ଗଛର ଆନୁମାନିକ ମୂଲ୍ୟ ୧୦୨୮ କୋଟି ୬୭ଲକ୍ଷ ୭୦ ହଜାର ‌ଟଙ୍କା ହେବ ବୋଲି ଅବକାରୀ ବିଭାଗ ଦର୍ଶାଇଛି। କନ୍ଧମାଳ ଜିଲ୍ଲାରେ ୪୨୭୬ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ବେଳେ ତହିଁରେ ୪୨୭ କୋଟିରୁ ଅଧିକ ମୂଲ୍ୟର ୪୨ଲକ୍ଷ ୭୬ହଜାର ଗଛ ନଷ୍ଟ କରାଯାଇଛି। ମାଲକାନଗିରି ଜିଲ୍ଲାରେ ୧୦୭୯ଏକର ଜମିରେ ୧୪୮କୋଟି ୮୮ଲକ୍ଷ ୭୩ହଜାର ଟଙ୍କା ମୂଲ୍ୟର ୧୪ଲକ୍ଷ ୮୮ ହଜାରରୁ ଅଧିକ ଗଛକୁ ନଷ୍ଟ କରି ଦିଆଯାଇଛି। ବୌଦ୍ଧ ଜିଲ୍ଲାରେ ୭୩୭ ଏକର ଜମିରେ ୨୨୧କୋଟି ୧୦ଲକ୍ଷ ଟଙ୍କା ମୂଲ୍ୟର ୨୨ଲକ୍ଷ ୧୧ହଜାର ଗଞ୍ଜେଇ ଗଛ, ଗଜପତି ଜିଲ୍ଲାରେ ୮୧୪ଏକର ଜମିରେ ୧୬୨କୋଟି ୮୫ଲକ୍ଷ ୬୮ହଜାର ଟଙ୍କା ମୂଲ୍ୟର ୧୬ଲକ୍ଷ ୨୮ହଜାର ୫୬୮ ଗଛକୁ ନଷ୍ଟ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ସନ୍ତୋଷ ସୂର୍ଯ୍ୟବଂଶୀ ନାମକ ବ୍ୟକ୍ତି ଅବକାରୀ ବିଭାଗକୁ ଗତ ୪ବର୍ଷରେ ହୋଇଥିବା ଗଞ୍ଜେଇ ଗଛର ନଷ୍ଟ ସଂପର୍କିତ ସୂଚନା ଅଧିକାର ତଥ୍ୟ ମାଗିଥିଲେ।

ସମ୍ବନ୍ଧିତ ଖବର