ବଣ୍ଡାଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗଞ୍ଜେଇ ବୋଝେଇ ଭ୍ୟାନ୍‌

ମାଲକାନଗିରି : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଗୋଟିଏ ପିକ୍‌ଅପ୍‌ ଭ୍ୟାନ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଖବର ପାଇ ମୁଦୁଲିପଡା ପୁଲିସ ପହଞ୍ଚି ଗାଡ଼ି ସହ ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଅଞ୍ଚଳରୁ ଉକ୍ତ ପିକ୍‌ଅପ୍‌ ଭ୍ୟାନ ଗଞ୍ଜେଇ ନେଇ ବାହାରିଥିଲା। ଖଇରପୁଟ ଆସିବା ପରେ ବଣ୍ଡାଘାଟି ଦେଇ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଅନକାଡେଲି ରାସ୍ତାରେ ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ତେବେ ଏଥିରେ କେତେ ଗଂଜେଇ ଅଛି ତାହା ଜଣାପଡିନଥିବା ବେଳେ ଏହି ଖବର ପାଇବା ପରେ ମୁଦୁଲିପଡା ପୋଲିସ ଗାଡି ସହ ଗଂଜେଇକୁ ଜବତ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ବଣ୍ଡାଘାଟି ଲଗାଣ ବର୍ଷାରେ ସଂପୂର୍ଣ୍ଣ ରୂପେ ଖରାପ ହୋଇଯାଇଛି। ଗଂଜେଇ ମାଫିଆ ଏହା ଜାଣିପାରିନଥିବା ବେଳେ ଏହି ରାସ୍ତାରେ ପୁଲିସକୁ ଚକମା ଦେଇ ଖସି ଯିବାକୁ ପ୍ରୟାସ କରିଥିଲେ। ତେବେ ଦଦରା ରାସ୍ତା ଯୋଗୁଁ ନିଜ ଉଦ୍ୟମରେ ସଫଳ ହୋଇପାରି ନାହାନ୍ତି। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ସହ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର