ରାୟଗଡା ଷ୍ଟେସନରୁ ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡା: ରାୟଗଡା ଷ୍ଟେସନରୁ ରେଳ ପୁଲିସ୍‌ ବଳ (ଆରପିଏଫ୍‌) ଦୁଇ ଗଞ୍ଜେଇ ମାଫିଆ ଧୀରେନ୍ଦ୍ର ଅହିରୱାଲ୍‌, ଶିବରାମ ପ୍ରଧାନଙ୍କୁ ଗିରଫ କରିଛି। ଉଭୟଙ୍କ ନିକଟରୁ ପୁଲିସ୍‌ ୨୧ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଆରପିଏଫ୍‌ ଇନସପେକ୍ଟର୍‌ ଡି. ଏନ୍‌. ତ୍ରିଲୋକ୍‌ ସୂଚନା ଦେଇଛନ୍ତି । ଗିରଫ ଧୀରେନ୍ଦ୍ରର ଘର ମଧ୍ୟପ୍ରଦେଶ ଓ ଶିବରାମର ଘର ଗଂଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଧୀରେନ୍ଦ୍ର ଓ ଶିବରାମ ଏକ ବ୍ୟାଗରେ ୨୧ କେଜି ଗଞ୍ଜେଇ ଧରି ରାୟଗଡା ଷ୍ଟେସନରେ ପହଞ୍ଚିଥିଲେ। ରାଉରକେଲା ଯିବା ପାଇଁ ୧ ନଂ ପ୍ଲାଟଫର୍ମରେ ଉଭୟେ ଅପେକ୍ଷା କରିଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଆରପିଏଫ୍‌ ପୁଲିସ୍‌ ଛାନଭିନ୍‌ ଆରମ୍ଭ କରିଥିଲା।

ଉଭୟଙ୍କୁ ପୁଲିସ୍‌ ଠାବ କରିବା ପରେ ଦୁଇ ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲା। ପଚରା ଉଚରା ସମୟରେ ଉକ୍ତ ଗଞ୍ଜେଇ କୋରାପୁଟ ଜିଲ୍ଲାର ସେମିଳିଗୁଡାରୁ କିଣିଥିବା ଉଭୟେ ପୁଲିସ୍‌ ନିକଟରେ ସ୍ୱୀକାର କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କରାଯିବା ପରେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର