ଭୋଟ ହାର ବୃଦ୍ଧି ସତ୍ତ୍ବେ ବିଜେପି ନିରାଶ, ଗଞ୍ଜାମ ଜିଲ୍ଲାରେ ବିଜେଡି ରାଜ୍‌

୭ମ ଥର ଲାଗି ସୂର୍ଯ୍ୟ, ୬ଷ୍ଠ ଥର ଲାଗି ବିକ୍ରମ ଓ ଉଷାଦେବୀ ଯିବେ ବିଧାନସଭା

ବ୍ରହ୍ମପୁର : ଶେଷ ହୋଇଛି ସାଧାରଣ ନିର୍ବାଚନ। ଫଳାଫଳ ବି ଘୋଷଣା ସରିଛି। ଆଉ ଗଞ୍ଜାମ ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। ଜିଲ୍ଲା ୨ଟି ଲୋକସଭା ଏବ˚ ୧୨ ବିଧାନସଭା ଆସନରେ ବିଜେଡି ବାଜିମାତ କରିଛି।

ସାନଖେମୁଣ୍ତି ବିଧାନସଭା ଆସନକୁ ବାଦ ଦେଲେ ଜିଲ୍ଲାର ସବୁ ଆସନରେ ବିଜେଡି-ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଛି। ଗତ ନିର୍ବାଚନ ତୁଳନାରେ ଭୋଟ ହାର ଯଥେଷ୍ଟ ମାତ୍ର ବୃଦ୍ଧି ପାଇଥିଲେ ହେଁ ଜିଲ୍ଲାରେ ଖାତା ଖୋଲି ପାରିନାହିଁ ବିଜେପି। ଗଞ୍ଜାମରେ ମୋଦୀ ମ୍ୟାଜିକ କି ପରିବର୍ତ୍ତନର ହାଵା କାମ କରିନାହିଁ। କ˚ଗ୍ରେସ ତୃତୀୟ ସ୍ଥାନକୁ ଚାଲି ଯାଇଛି। କିନ୍ତୁ ୫ବର୍ଷ ବ୍ୟବଧାନ ପରେ ସାନଖେମୁଣ୍ତି ଆସନକୁ ପୁଣି ଦଖଲ କରିଛି କ˚ଗ୍ରେସ। ସାନଖେମୁଣ୍ତି ଓ ଦିଗପହଣ୍ତି ଆସନର ପ୍ରାର୍ଥୀଙ୍କୁ ବାଦ ଦେଲେ ବାକି ୧୧ଟି ବିଧାନସଭା ଆସନର କ˚ଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଭୋଟ ପେଡ଼ିରେ ପଡ଼ିଥିବା ସମୁଦାୟ ଭୋଟ୍‌ର ୧୬.୬୭ ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇନାହାନ୍ତି। ଜିଲ୍ଲା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ୬୦ହଜାର ୧୬୦ଖଣ୍ତ ଭୋଟରେ ନିର୍ବାଚିତ ହୋଇଥିବା ବେଳେ ଗୋପଳପୁର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କଡା ଟକ୍କରର ସମ୍ମୁଖୀନ ହୋଇ ସର୍ବନିମ୍ନ ୨୬୭୩ଖଣ୍ତ ଭୋଟରେ ବିଜୟୀ ହୋଇଛନ୍ତି।

୨୦୦୯ ସାଧାରଣ ନିର୍ବାଚନରେ ସାନଖେମୁଣ୍ତି ବିଧାନସଭା ଆସନ କ˚ଗ୍ରେସ ହାତକୁ ଯାଇଥିଲା। ଜିଲ୍ଲାର ବାକି ୧୨ଟି ବିଧାନସଭା ଏବ˚ ୨ଟି ଲୋକସଭା ଆସନରେ ବିଜେଡି ବିଜୟୀ ହୋଇଥିଲା। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ୨ ଲୋକସଭା ଏବ˚ ୧୩ ବିଧାନସଭା ଆସନକୁ ଦଖଲ କରିଥିଲା। ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ କିଛି ଆସନରେ ପ୍ରାର୍ଥୀ ବଦଳି ଥିଲେ ହେଁ ୨୦୦୯ ସ୍ଥିତିର ପୁନାରବୃତ୍ତି କିରିଛିି ବିଜେଡି। ଆସିକା ଲୋକସଭା ଆସନରେ ବିଜେଡି ଆସିକା ନିକଟସ୍ଥ ଚେରାମାରିଆର ସ୍ବୟ˚ ସହାୟିକା ଗୋଷ୍ଠୀର ସଦସ୍ୟା ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିଥିଲା। ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ଧୂରିଣ ନ ଥିବା ଜଣେ ମହିଳାଙ୍କ ସ˚ସଦରେ ପହଞ୍ଚାଇବା ଉଦ୍ୟମ କରି ଚର୍ଚ୍ଚାକୁ ଆସିଥିଲା ବିଜେଡି। ପ୍ରାର୍ଥୀ ହେବା ପରଠାରୁ ରାଜ୍ୟବ୍ୟାପୀ ପ୍ରମିଳାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ପୂବର୍ତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ତଥା ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ୨ଲକ୍ଷ ୪ହଜାର ୪୦୭ଖଣ୍ତ ଭୋଟ ବ୍ୟବଧାନରେ ହରାଇ ପ୍ରମିଳା ବିଜୟୀ ହୋଇଛନ୍ତି। ପ୍ରମିଳା ଏତେ ଭୋଟ ବ୍ୟବଧାନରେ ବିଜୟୀ ହେବେ ଏହା କେହି ବି କଳ୍ପନା କରି ନ ଥିଲେ। ପ୍ରମିଳାଙ୍କ ବିଜୟ ବିଜେଡି ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି।

ଜିଲ୍ଲାର ୧୩ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ଆସିକା, କବିସୂର୍ଯ୍ୟନଗର, ଛତ୍ରପୁର, ବ୍ରହ୍ମପୁର ଓ ଖଲ୍ଲିକୋଟ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରି ନୂତନ ପ୍ରାର୍ଥୀ ଦେଇଥିଲା। କ˚ଗ୍ରେସ ସାନଖେମୁଣ୍ତିକୁ ବାଦ ପ୍ରାୟତଃ ସବୁ ଆସନରେ ନୂଆ ପ୍ରାର୍ଥୀ ଦେଇଥିଲା। ସେହିପରି ବିଜେପି ଗୋପାଳପୁରକୁ ବାଦ ପ୍ରାୟତଃ ସବୁ ଆସନରେ ନୂଆ ପ୍ରାର୍ଥୀ ଦେଇଥିଲା। ଚଳିତ ନିର୍ବାଚନରେ ସାନଖେମୁଣ୍ତିକୁ ବାଦ୍‌ ଦେଲେ ସବୁ ଆସନରେ ବିଜେପି-ବିଜେଡି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଛି। ଜିଲ୍ଲାର ୧୨ଟି ବିଧାନସଭା ଆସନ ବିଜେଡି ଦଖଲ କରିଛି। ପୋଲସରା ବିଧାସଭା କ୍ଷେତ୍ରରେ ଶ୍ରୀକାନ୍ତ ସାହୁ ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ୧୩୦୩୯ଖଣ୍ତ ଭୋଟରେ ହରାଇ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ସେହିପରି କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀରେ ବିଜେପି ପ୍ରାର୍ଥୀ ରଞ୍ଜନ ପଲେଇଙ୍କୁ ୪୧ହଜାର ୬୩୮ଖଣ୍ତ ଭୋଟ ବ୍ୟବଧାନରେ ହରାଇ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ତଥା ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନ ବିଜୟୀ ହୋଇଛନ୍ତି। ଏହି ଆସନରେ ହର ସାହୁଙ୍କ ନିରବତା ଓ ନିର୍ବାଚନ ନ ଲଢିବା ଏବ˚ ଖଲ୍ଲିକୋଟ ରାଣୀଙ୍କ ସହଯୋଗ ବିଜେଡିକୁ ବିଜୟରେ ସହାୟକ ହୋଇଥିବା କୁହାଯାଉଛି। ଛତ୍ରପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ କରଙ୍କୁ ୨୧ହଜାର ୦୫୧ଖଣ୍ତ ଭୋଟ ବ୍ୟବଧାନରେ ହରାଇ ବିଜେଡି ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ବିଜୟୀ ହୋଇଛନ୍ତି। ଛତ୍ରପୁର ସିପିଆଇର ଗଡ ହୋଇଥିବା ବେଳେ ଏଥର ସିପିଆଇ ପ୍ରାର୍ଥୀ ତୃତୀୟ ସ୍ଥାନକୁ ଚାଲିଯିବା ସହ ଅମାନତ ମଧ୍ୟ ହରାଇଛନ୍ତି। ଆସିକା ବିଧାନସଭା ଆସନ ବିଜେଡି ପ୍ରାର୍ଥୀନ ମଞ୍ଜୁଳା ସ୍ବାଇଁ ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କୁ ୨୭ହଜାର ୨୩୩ଖଣ୍ତ ଭୋଟରେ ପରାଜିତ କରିଛନ୍ତି। ଦେବରାଜ ବିଜେଡିର ଆସିକା ବିଧାୟକ ଥିଲେ। ଦଳ ଟିକେଟ ନ ଦେବାରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ଦଳ ବଦଳ ତାଙ୍କୁ ଏବେ ମହଙ୍ଗା ପଡିଛି। ସୋରଡାରେ ପୁଣି ବିଜେଡି ବାଜିମାତ କରିଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ତୃତୀୟ ଥର ଲାଗି ବିଧାୟକ ହୋଇଛନ୍ତି। କିନ୍ତୁ ତାଙ୍କ ବିଜୟ ଭୋଟ ବ୍ୟବଧାନ ଯଥେଷ୍ଟ ହ୍ରାସ ପାଇଛି। ସେହିପରି ହିଞ୍ଜିଳି ନିର୍ବାଚନମଣ୍ତଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ଲାଗି ବିଜୟୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ୬୦ହଜାର ୧୬୦ଖଣ୍ତ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ସେହିପରି ବ୍ରହ୍ମପୁର ବିଧାନସଭା ଆସନରେ କ˚ଗ୍ରେସରୁ ଲଢି ୪ଥର ହାରିଥିବା ବିକ୍ରମ ପଣ୍ତା ଏଥର ବିଜେଡିରୁ ଲଢି ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ କାହ୍ନୁ ପତିଙ୍କୁ ସେ ୩୫ ହଜାର ୪୮୪ଖଣ୍ତ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଭଞ୍ଜନଗର ଆସନରେ ଏଥର ମନ୍ତ୍ରୀ ବିକ୍ରମ ଆରୁଖ କଡ଼ା ମୁକାବିଲର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ବିଜୟ ଭୋଟ ବ୍ୟବଧାନ ବହୁମାତ୍ରାରେ କମିଛି। କିନ୍ତୁ ଷଷ୍ଠଥର ପାଇଁ ସେ ବିଜୟୀ ହୋଇଛିନ୍ତି। ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କୁ ସେ ୯୧୦୩ଖଣ୍ତ ଭୋଟରେ ପରାଜିତ କରିଛନ୍ତି। ଚିକିଟି ବିଧାନସଭା ଆସନରୁ ଉଷାଦେବୀ ଷଷ୍ଠ ଥର ଲାଗି ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ମନୋରଞନ ଦ୍ୟାନସମାନ୍ତରାଙ୍କୁ ୨୦ହଜାର ୬୩୫ଖଣ୍ତ ଭୋଟରେ ପରାଜିତ କରିଛନ୍ତି। ସେହିପରି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସପ୍ତମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଦିଗପହଣ୍ତି ଆସନର ଲଗାତର ତୃତୀୟ ଥର ପାଇଁ ନିର୍ବାଚତ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କୁ ୪୦ହଜାର ୪୫୨ଖଣ୍ତ ଭୋଟରେ ପରାଜିତ କରିଛନ୍ତି। କିନ୍ତୁ ସାନଖେମୁଣ୍ତି ଆସନରେ ବିପର୍ଯ୍ୟୟର ସମ୍ନା କରିଛି ବିଜେଡି। ଏହି ଆସନରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ବିଜେଡି ପ୍ରାର୍ଥୀନୀ ନନ୍ଦିନୀ ଦେବୀଙ୍କୁ ୨୩ହଜାର ୭୨୭ଖଣ୍ତ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ୫ବର୍ଷର ବ୍ୟବଧାନ ପରେ ପୁଣି ବିଧାନସଭା ଯିବେ ରମେଶ। କିନ୍ତୁ ଗୋପାଳପୁର ବିଧାନସଭା ଆସନରେ ଏଥର ରୋଚକ ସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏଠାରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଛନ୍ତି। ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହୋଇଛି। ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କୁ ମାତ୍ର ୨୬୭୩ ଖଣ୍ତ ଭୋଟରେ ପରାଜିତ କରି ପ୍ରଦୀପ ତୃତୀୟ ଥର ଲାଗି ଗୋପାଳପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର