ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଦୁର୍ନୀତିର ଛିଟା : ୩ ବର୍ଷରେ ଭିଜିଲାନ୍ସ ଜାଲରେ ୧୫ ଡାକ୍ତର ଓ କର୍ମଚାରୀ

୯ ଲାଞ୍ଚୁଆ, ୬ କୁବେରଙ୍କ ଭିତରେ ବଡ଼ ଡାକ୍ତରଖାନାରୁ ୫

ବ୍ରହ୍ମପୁର : ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ୫-ଟି ଏବ˚ ମୋ ସରକାର ଲାଗୁ କରିଛନ୍ତି। ୫-ଟି ସଚିବ ମଧ୍ୟ ବିଭିନ୍ନ ଡାକ୍ତରଖାନାକୁ ଯାଇ ସ୍ଥିତି ପରଖୁଛନ୍ତି। ମୋ ସରକାର କାର୍ଯ୍ୟକ୍ରମ ପରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାରଣ ସୃଷ୍ଟି ହୋଇଛି। କିନ୍ତୁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ‘ମୋ ସରକାର’ ପ୍ରଭାବ ପକାଇ ପାରି ନ ଥିବା ଭଳି ଜଣାପଡ଼ୁଛି। ଗତ ୩ ବର୍ଷ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୧୫ଜଣ ଡାକ୍ତର, ଫାମାସିଷ୍ଟ ଓ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଲାଞ୍ଚ ନେଇ ସିଧାସଳଖ ଭିଜିଲାନ୍ସ ହାତରେ ୯ଜଣ ଧରା ପଡ଼ିଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଜଣଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଅସାଧୁ ଡାକ୍ତର ଓ କର୍ମଚାରୀଙ୍କ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୁର୍ନୀତି କାଦୁଅରେ ଉବୁଟୁବୁ ହେଉଛି। ୫-ଟି ସଚିବ ବିଭିନ୍ନ ଜିଲ୍ଲା ହସ୍‌ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ହେଲେ ଗଞ୍ଜାମ ଜିଲ୍ଲାକୁ ଏ ପର୍ଯ୍ୟନ୍ତ ଆସିନାହାନ୍ତି। ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଥିବା ୫-ଟି ସଚିବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏଭଳି ସ୍ଥିତି ଜାଣି ମଧ୍ୟ କାହିଁକି ଆସୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ‌ସ୍ୱାସ୍ଥ୍ୟ ବିଭାଗରେ ମୋ ସରକାର ଓ ୫-ଟି ଲାଗୁ ପରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ୩ଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୭ରେ ୩ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଭିଜିଲାନ୍ସର ଶିକାର ହୋଇଥିଲେ। ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିନୋଦ ବିହାରୀ ଘଡେ଼ଇଙ୍କ ଘରେ ୨୦୧୬ ମେ ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିଲା। ସେହିପରି ନଭେମ୍ବର ୧୮ତାରିଖରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବି.ଗୋପାଳ ଚନ୍ଦ୍ର କର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ସେହିବର୍ଷ ଡିସେମ୍ବରରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଶିଶୁ ଶଲ୍ୟ ଡାକ୍ତର ଅରୁଣ କୁମାର ଦାସଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିଲା। ସେହିପରି ୨୦୧୮ରେ ସର୍ବାଧିକ ୭ଜଣ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ୨୦୧୮ରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବି.ଗୋପାଳ ଚନ୍ଦ୍ର ରାଓଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା। ସେହିବର୍ଷ ଏପ୍ରିଲରେ ବୋମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶିଶିର କୁମାର ପ୍ରଧାନ ଓ ଫାର୍ମାସିଷ୍ଟ ପି.ରାଘବ ରାଓପାତ୍ର ଏବ˚ ଜୁନ ୪ ତାରିଖରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଆକାଉଟାଣ୍ଟ ଜଗନ୍ନାଥ ପାଣି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଗଷ୍ଟ ୩୧ ତାରିଖରେ ବୋମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ପି.ରାଘବ ରାଓ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ସେହିପରି ନଭେମ୍ବର ୧୬ରେ ଖଣ୍ତଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଲଥ ସୁପରଭାଇଜର ବୁଲୁ କୁମାର ନାୟକ, ଡିସେମ୍ବର ୧୩ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ମହିଳା ଫାର୍ମାସିଷ୍ଟ ମେରି ଖାନ୍‌ ଏବ˚ ୧୪ ତାରିଖରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଏନ୍‌.ନିରଞ୍ଜନ ରେଡ୍ଡି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

ସେହିପରି ୨୦୧୯ରେ ସ୍ୱାସ୍ଥ୍ୟ ବିଭାଗର ୪ଜଣ କର୍ମଚାରୀ ଭିଜିଲାନ୍ସର ଶିକାର ହୋଇଛନ୍ତି। ୨୦୧୯ ଜୁନ୍‌ ୨୦ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ମୁଖ୍ୟ କିରାଣି ନିଳକଣ୍ଠ ସାହୁ ଏବ˚ ଅଗଷ୍ଟ ୨୧ରେ ଭଞ୍ଜନଗର ଉପଖଣ୍ତ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ପୀତାମ୍ବର ଦାସ ଲାଞ୍ଚ ନେଇ ଧରା ପଡ଼ିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନା କନିଷ୍ଠ କିରାଣି ଅଜିତ କୁମାର ସାହୁଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନଭେମ୍ବର ୧୧ତାରିଖରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଡିସେମ୍ବର ୩୧ରେ ଭଞ୍ଜନଗର ଉପଖଣ୍ତ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ପୀତାମ୍ବର ଦାସଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଆଉ ଚଳିତ ବର୍ଷ ବ୍ରହ୍ମପୁର ଭିଜିଲାନ୍ସର ପ୍ରଥମ ଶିକାର ହୋଇଛନ୍ତି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ। ଗତ ୪ତାରିଖରେ ମୃତ୍ୟୁ ପ୍ରମାଣ ପାତ୍ର ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲ କନିଷ୍ଠ କିରାଣି ଶ୍ରୀକାନ୍ତ କୁମାର ଦାସ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନା, ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରତ କିଛି ଡାକ୍ତର, ଫାର୍ମାସିଷ୍ଟ ଓ କର୍ମଚାରୀଙ୍କ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବଦ୍‌ନାମ ମୁଣ୍ଡାଇଛି। ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ହାତଗୁଞ୍ଜା ନ ଦେଲେ ରୋଗୀଙ୍କୁ ସେବା ମିଳୁ ନ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର