ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୩୦୭ ଛୁଇଁଲା

ସୁସ୍ଥ ହେଲେଣି ୮୯ଜଣ, ୩୬୩ ଜଣ ଟିଏମ୍‌ସି କର୍ମଚାରୀଙ୍କ ରିପୋର୍ଟ ନଗେଟିଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ ଆୟତ୍ତକୁ ଆସିପାରେ ଲାଗିଛି। ଦିନକୁ ଦିନ ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ସଂକ୍ରମିତ ଶୀଘ୍ର ସୁସ୍ଥ ହେଉଛନ୍ତି। ଆଜି ଜିଲ୍ଲାରେ ଆଉ ୪୦ ଜଣ ସୁସ୍ଥ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୮୯ ଜଣ ସୁସ୍ଥ ହେଲେଣି। ତେବେ ଆଜି ଆଉ ନୂଆ ୧୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଜିଲ୍ଲାରେ ପୁଣି ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪ଜଣ ହେଉଛନ୍ତି, ସଙ୍ଗରୋଧ କେନ୍ଦ୍ରରେ ଥିବା ସୁରତ ଫେରନ୍ତା। ତେବେ ପ୍ରଥମ ଥର ଲାଗି ଜଣେ ବେଙ୍ଗାଲୁରୁ ଫେରନ୍ତାଙ୍କ ନମୁନା ପଜିଟିଭ୍‌ ଆସିଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।
ଅନ୍ୟପକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି, ଜିଲ୍ଲାର ଜନସାଧାରଣ ଯେତିକି ଆତ୍ମ ସଚେତନ ହେବେ ଆମେ ସେତିକି କରୋନାର ମୁକାବିଲାରେ ସଫଳ ହେବା। ମାସ୍କ୍‌ ବ୍ୟବହାର, ଭଲ ଭାବେ ହାତ ଧୋଇବା ଓ ସାମାଜିକ ଦୂରତ୍ବ ରକ୍ଷା ଦ୍ବାରା ହିଁ କରୋନା ଠାରୁ ଦୂରେଇ ରହିପାରିବା। ଯାହା ବି ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ସଙ୍ଗରୋଧ କେନ୍ଦ୍ରରୁ। ଏଥିସହ ଜିଲ୍ଲାର କରୋନା ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ ସମସ୍ତ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି।
ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ। ତେଣୁ ଭୟ କରିବାର କିଛି ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଏନ୍‌ଏସି ଅଞ୍ଚଳରେ ହୋଇଥିବା ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ୍‌(ଟିଏମ୍‌ସି)ରେ ୨୪ଘଣ୍ଟିଆ କାମ କରୁଥିବା ୩୬୩ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା କରା ଯାଇଥିଲା। ସବୁ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହା ଟ୍ୱିଟ୍‌ କରି ଗଞ୍ଜାମ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିବା ସହ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିଜକୁ ସୁସ୍ଥ ରଖିବା ସହ ସେମାନଙ୍କ ଜୀବନଚର୍ଯ୍ୟା ଅନ୍ୟମାନଙ୍କ ଲାଗି ପ୍ରେରଣା ବୋଲି ଏଥିରୁ ପ୍ରମାଣିତ ବୋଲି ସୂଚନା ଦେଇଛନ୍ତି। ଅସ୍ଥାୟୀ ‌ମେଡ଼ିକାଲ୍‌ କ୍ୟାମ୍ପ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ସେବା ଯୋଗାଇ ଆସୁଛନ୍ତି ଏହି ୩୬୩ ଆଗଧାଧଡ଼ିର କର୍ମଚାରୀ। ସେମାନଙ୍କ ଠାରୁ ଗତ ରବିବାର ଦିନ ସ୍ୱାବ୍ ସଂଗ୍ରହକରି ପରୀକ୍ଷା କରିବା ପାଇଁ ପଠାଯାଇଥିଲା । ସୋମବାର ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି।

 

ପ୍ରାପ୍ତ ସୂଚନା ଅନୁଯାୟୀ, ସୁରତ ସମେତ ରାଜ୍ୟ ବାହାରୁ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଆସିବା ପରେ ଗତ ୨ତାରିଖରେ ପ୍ରଥମେ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ‌ ହୋଇଥିଲେ। ଏହା ପରଠାରୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ନୂଆ ୧୫ ପଜିଟିଭ୍‌ ଚିହ୍ନଟ ହେବା ପରେ ୧୭ଦିନ ମଧ୍ୟରେ ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ୩୦୭ରେ ପହଞ୍ଚି ଯାଇଛି। ପୂର୍ବରୁ ଜିଲ୍ଲାରେ ୪୯ଜଣ ସୁସ୍ଥ ହୋଇଥିବା ବେଳେ ଆଜି ୪୦ ଜଣଙ୍କୁ ମିଶାଇ ୮୯ ଜଣ ସୁସ୍ଥ ହୋଇଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୧୮ ସକ୍ରିୟ ମାମଲା ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୨୧ଦିନିଆ ସଙ୍ଗରୋଧ ଶେଷ କରି ପ୍ରଥମ ପର୍ଯ୍ୟାୟ ପ୍ରବାସୀ ଓଡ଼ିଆ ଆସନ୍ତା ୨୨ତାରିଖରେ ଘରକୁ ଫେରିବେ। ଅନ୍ୟପକ୍ଷରେ ଗତ ୧୫ ତାରିଖ ସୁଦ୍ଧା ଜିଲ୍ଲାର ୫୬୮୬ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା।

ସମ୍ବନ୍ଧିତ ଖବର