ଟିଟୋ ସହଯୋଗୀ ବାପୁ ପରିଡ଼ା ଗିରଫ : ବାପୁ ପାଇଁ ଅଣ୍ଟା ଭିଡ଼ିଲେ ଦାମ

ଟିଟୋକୁ ଚିହ୍ନିନି ବାପୁ... ତାକୁ ଫସାଇ ଦିଆଯାଇଛି, କେନ୍ଦ୍ରାପଡ଼ା କୋର୍ଟରେ ହାଜର ହେଲା ଟିଟୋ

ଜଗତସିଂହପୁର/କେନ୍ଦ୍ରାପଡ଼ା : ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ଅନ୍ୟତମ ସହଯୋଗୀ ଯୁବ ବ୍ୟବସାୟୀ ବାପୁ ପରିଡ଼ାଙ୍କୁ ଆଜି ଏସ୍‌ଟିଏଫ୍‌ ଗିରଫ କରିଛି। ପାରାଦୀପର ଏକାଧିକ ବ୍ୟବସାୟୀ, ଠିକାଦାର, ନେତା ଟିଟୋ ସହ ସଂପର୍କରେ ରହିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବାପୁ ପରିଡ଼ା ଗିରଫ ହେବା ଘଟଣା ଅନ୍ୟମାନଙ୍କୁ ଆତଙ୍କିତ କରିଛି। ବାପୁଙ୍କ ପରେ କାହାର ପାଳି ପଡ଼ିବ ତାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବାପୁ ସପକ୍ଷରେ କିନ୍ତୁ ବାହାରିଛନ୍ତି ପାରାଦୀପ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ। ଡାକ୍ତର ରାଉତ କହିଛନ୍ତି ଯେ ଏକ ହତ୍ୟା ମାମଲାରେ ବାପୁ ସାକ୍ଷୀ ଦେବାର ଥିଲା। ଏଣୁ ତାଙ୍କୁ ଚକ୍ରାନ୍ତ କରି ଗିରଫ କରାଯାଇଛି। ଟିଟୋକୁ ବାପୁ ଆଦୌ ଚିହ୍ନି ନାହିଁ। ଟିଟୋ ସହ ସମ୍ପର୍କରେ ଥିବା କିଛି ଲୋକ ବାପୁଙ୍କୁ ଫସାଇ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ରାଉତ କହିଛନ୍ତି।

କିନ୍ତୁ ଏସ୍‌ଟିଏଫ୍‌ର ସୂଚନା ଅନୁଯାୟୀ, ବାପୁଙ୍କ ନାଁରେ ୨୮ରୁ ଅଧିକ ସଙ୍ଗୀନ ମାମଲା ରହିଛି। ସେଥିରେ ରହିଛି ହତ୍ୟା, ହତ୍ୟା ଧମକ, ଦାଦାବଟି ଓ ଅପହରଣ ଭଳି ସଙ୍ଗୀନ ଅପରାଧ। କୁଜଙ୍ଗ ଥାନାରେ ବାପୁ ବିରୋଧରେ ଦୁଇଟି ମାମଲା ରହିଥିବା ବେଳେ କଟକ ଚାଉଳିଆଗଞ୍ଜ ଥାନାରେ ଗୋଟିଏ ମାମଲା ରହିଛି। ଅନ୍ୟ ୨୫ଟି ମାମଲା ପାରାଦୀପ ଥାନାରେ ରହିଛି। ତଥାପି ବାପୁ ଦେହରେ କେହି ହାତ ମାରିବାକୁ ସାହସ କରିପାରୁ ନଥିଲେ। ବାପୁ ପାରାଦୀପରେ ବିଭିନ୍ନ ପ୍ରକାର ଠିକା କାର୍ଯ୍ୟ କରୁଥିବା ବେଳେ ନିରାକାର ଡମ୍ଫର ଆସୋସିଏସନର ସମ୍ପାଦକ ଥିଲେ। ପୂର୍ବରୁ ବହୁ ଚର୍ଚ୍ଚିତ ମୁନା ପତି ହତ୍ୟାକାଣ୍ଡ ମାମଲାରେ ବାପୁ ପାଖାପାଖି ଚାରି ବର୍ଷ ଜେଲ୍‌ ଦଣ୍ଡ ଭୋଗିଛି। କିନ୍ତୁ ବାପୁଙ୍କୁ ସମର୍ଥନ କରି ବିଧାୟକ ଡାକ୍ତର ରାଉତ ଖୋଲାଖୋଲି ଭାବେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଦଳର ସମସ୍ତ ହେଭିୱେଟ୍‌ ନେତାଙ୍କ ସହ ବାପୁଙ୍କୁ ଦେଖିବାକୁ ମିଳେ। ଏଣୁ ବର୍ତ୍ତମାନ ସ୍ଥାନୀୟ ବିଜେଡି ନେତାମାନେ ମଧ୍ୟ ଏହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି। ଏ ସଂକ୍ରାନ୍ତରେ କେହି ମୁହଁ ଖୋଲିବାକୁ ରାଜି ନାହାନ୍ତି।

ସୂଚନା ଅନୁଯାୟୀ ଟିଟୋକୁ ରିମାଣ୍ଡ୍‌ରେ ଆଣି ଏସ୍‌ଟିଏଫ୍‌ ପଚରାଉଚରା କରୁଥିବା ବେଳେ ସେ ବାପୁ ପରିଡ଼ା ନାଁ ନେଇଥିଲା। ପାରାଦୀପରେ ଟିଟୋ ସାମ୍ରାଜ୍ୟର ବାପୁ ହିଁ ମୁଖ୍ୟ କାର୍ପଟଦାର ବୋଲି ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା। ଏହାପରେ ଗତ ୧୩ ତାରିଖରେ ଡାକରା ପାଇ ବାପୁ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପୁଲିସ ତାଙ୍କୁ ଟିଟୋର ପାରାଦୀପରେ କାରବାର ସମ୍ପର୍କରେ ପ୍ରଶ୍ନ କରିଥିଲା। ଏହାପରେ ଏସ୍‌ଟିଏଫ୍‌ ତାଙ୍କୁ ଛାଡ଼ି ଦେଇଥିଲେ ମଧ୍ୟ ବାପୁଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲା। ଏହି ସମୟରେ ଏସ୍‌ଟିଏଫ୍‌ ହାତରେ ବାପୁ ବିରୋଧରେ ଏକ ବଡ଼ ଧରଣର ପ୍ରମାଣ ଲାଗିଥିଲା। ପୁଣି ଥରେ ଡକରା ପାଇ ବାପୁ ଏସ୍‌ଟିଏଫ୍‌ କାର୍ଯ୍ୟାଳୟରେ ଆଜି ପହଞ୍ଚିଥିଲେ। ସେଠାରେ ବାପୁଙ୍କୁ ଅଳ୍ପ କିଛି ସମୟ ଜେରା କରିବା ପରେ ଗିରଫ କରାଯାଇଛି।

ଅନ୍ୟପଟେ ଟିଟୋକୁ ଆଜି କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ଟିଟୋ ବିରୋଧରେ ଆସିଥିବା ଆର୍ଥିକ ଅପରାଧ ଅଭିଯୋଗ ସଂପର୍କିତ ମାମଲାକୁ ମୂଳ କେସ୍‌ ନମ୍ବର ସହ ଯୋଡ଼ିବାକୁ ଅଦାଲତରେ ଅନୁରୋଧ କରାଯାଇଥିବା ବେଳେ ସେଥିପାଇଁ ଆଜି ଟିଟୋକୁ ହାଜର କରାଯାଇଛି। ଏସ୍‌ ଟିଏଫ୍‌ ପକ୍ଷରୁ ଟିଟୋର ସମସ୍ତ ଆର୍ଥିକ ଅପରାଧ ଘଟଣାବଳୀକୁ କେସ୍‌ ନଂ ୮/୧୮କୁ ହସ୍ତାନ୍ତର କରିିବାକୁ ନିବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ଏସ୍‌ଡିଜେଏମ୍‌ ନିହାର ରଂଜନ ସାହୁ ଜବତ ସମ୍ପତ୍ତିର ସମସ୍ତ ପ୍ରମାଣିକ ପ୍ରତିଲିପି ଦେବାକୁ ଅନୁମତି ପ୍ରଦାନ କରିଥିଲେ। ଏସ୍‌ଟିଏଫ୍‌ ପକ୍ଷରୁ ତଦନ୍ତକାରୀ ଅଫିସର୍‌ ଡିଏସ୍‌ପି ରାମଚନ୍ଦ୍ର ଥମ୍ବ ଉପସ୍ଥିତ ରହି ଏସବୁର ପ୍ରମାଣପତ୍ରର ପ୍ରତିଲିପି କୋର୍ଟରୁ ସଂଗ୍ରହ କରିଥିଲେ। ଏହି ସମୟରେ ଦ୍ୱିତୀୟ ମାମଲା (କେସ୍‌ ନଂ ୮/୧୮) ପାଇଁ ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ତପନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପଟେ କେନ୍ଦ୍ରାପଡ଼ା ପୁଲିସ୍‌ ଟିଟୋକୁ ୬ଟି ମାମଲାରେ ରିମାଣ୍ଡରେ ନେବାକୁୁ କୋର୍ଟରେ ନିବେଦନ କରିଛି। ଠିକାଦାର ଶିବ ପ୍ରସାଦ ପରିଡ଼ାଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ଦେବା ଓ ବଟି ଆଦାୟ ଅଭିଯୋଗ ମାମଲା, କେନ୍ଦ୍ରାପଡ଼ାର ଚକଡ଼ା ଠାରେ ଥିବା ଜିପିଆଇଏଲ୍‌ କମ୍ପାନିର ସାଇଟ୍‌ ଇଂଜିନିୟର ଦେବାଶିଷ ସାହୁଙ୍କ ଗୁଳି କରି ହତ୍ୟା ମାମଲା, ଶ୍ୟାମସୁନ୍ଦରପୁର ଗଡ଼ା ନିକଟରେ ସଂଗଠିତ କେଦାର ସ୍ୱାଇଁ ହତ୍ୟା ମାମଲା, ମାର୍ଶାଘାଇ ତିଖିରୀ ପାଇକାନଦୀ ବନ୍ଧରେ ରାଜ କିଶୋର ବେହେରାଙ୍କୁ ହତ୍ୟା, ଜାତୀୟ ରାଜପଥ କଡ଼ ବିଚିଆ ନାୟକଙ୍କ ତାରାତାରେଣୀ ହୋଟେଲ ସମ୍ମୁଖରେ ଅଶ୍ୱଜିତ ସାହୁ ଓରଫ୍‌ ଲୁଲୁ ହତ୍ୟା ଘଟଣାରେ ଟିଟୋକୁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି।

ଯାହା ହେବାର ହେଲାଣି… ଆଉ କାହିଁକି?

ଟିଟୋକୁ ଆଜି କୋର୍ଟରେ ହାଜର କରାଯିବା ବେଳେ ସେ ଅପେକ୍ଷାକୃତ ଚିନ୍ତାମୁକ୍ତ ଜଣା ପଡ଼ୁଥିଲା। କୋର୍ଟ ବାହାରେ ସାମ୍ବାଦିକମାନେ ତାର ଫଟୋ ଉଠାଇବା ସମୟରେ ସେ ହସି ହସି ବାରଣ କରିଥିଲା। ‘ବହୁତ ଫଟୋ ଉଠାଇଲେଣି । ଛାଡ଼ନ୍ତୁ, ଯାହାତ ହେବାର ହେଲାଣି, ଆଉ କାହିଁକି …?’ ଟିଟୋ ସାମ୍ବାଦିକ ମାନଙ୍କୁ ଅନାଇ ଏଭଳି କିଛି କହି କୋର୍ଟ ଭିତରକୁ ଚାଲି ଯାଇଥିଲା।

ସମ୍ବନ୍ଧିତ ଖବର