ଗାଁ ସାଥୀଙ୍କ ଅନଶନ, ସମ୍ପାଦକଙ୍କ ସମେତ ୨ ଗୁରୁତର

ଭୁବନେଶ୍ୱର : ରାଜରାସ୍ତାକୁ ଓହ୍ଲାଇଛି ଗାଁ ସାଥୀ ସଂଘ। ଆଜିଠାରୁ ଶତାଧିକ ଗାଁ ସାଥୀ ଲୋୟର ପିଏମ୍‌ଜିରେ ଅନଶନ ଆରମ୍ଭ କରିଛନ୍ତି। ଦୀର୍ଘ ସମୟ ଧରି ଅନାହାରରେ ବସି ରହିବା ଫଳରେ ସଂଘର ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ ଓ ଗାଁ ସାଥୀ କନକଲତା ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇଜଣ ମଧ୍ୟ ଅସୁସ୍ଥ ଥିବା ସଂଘର ସଭାପତି ସୌଭାଗ୍ୟ ମିଶ୍ର ସୂଚନା ଦେଇଛନ୍ତି। ମାସିକ ୬ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପ୍ରୋତ୍ସାହନ ରାଶି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ, ୫ ବର୍ଷିଆ ଆର୍ଥିକ ସହାୟତା ରାଶିର ପ୍ୟାକେଜ୍‌ ଓ ପ୍ରତିମାସ ୧୫ଦିନରୁ କମ୍ କାର୍ଯ୍ୟ ପାଉଥିବା ସମସ୍ତ ଗାଁସାଥୀ (ମେଟ୍)ମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର କର୍ପସ ଫଣ୍ଡ ଗଠନ ଦାବି ନେଇ ଏହି ଅନଶନ ଆରମ୍ଭ ହୋଇଛି। ପଞ୍ଚାୟତିରାଜ ବିଭାଗରେ ୧୧ବର୍ଷ ଧରି କାର୍ଯ୍ୟରତ ଗାଁସାଥୀ (ମେଟ୍)ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି। ପୂର୍ବରୁ ପଞ୍ଚାୟତିରାଜ ମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାବତ୍ ଉଚିତ ପଦକ୍ଷେପ ନିଆଯାଇ ନାହିଁ। ସଭାପତି ସୌଭାଗ୍ୟ ଓ ସମ୍ପାଦକ ଲକ୍ଷ୍ମୀଧରଙ୍କ ନେତୃତ୍ବରେ କୋଷାଧ୍ୟକ୍ଷ ପ୍ରତାପ ମଲ୍ଲିକ, ଚଞ୍ଚଳା ବେହେରା, ସବିତା ସାହୁ, ସୁଶିଳା ନାୟକ, କୁମୁଦିନୀ ପତି, ଲଳିତା ଦାସ, ନିରୁପମା ମିଶ୍ର, ଗଗନଧର ସାହୁ, ବିଦ୍ୟାଧର ଭୋଇ, ସନାତନ ମଲ୍ଲିକ, ଶଶଧର ସେଠୀ, ହେମନ୍ତ ନାହାକ, ସୁଧାଂଶୁ ଶତପଥୀ, ପବିତ୍ର ସୁନ୍ଦରାୟ, କୁଳମଣି ମେଣ୍ଟା, ରମେଶ ରଣା ଓ ସାରା ଓଡ଼ିଶାରୁ ଆସିଥିବା ଶହ ଶହ ଗାଁସାଥୀ ଅନଶନରେ ସାମିଲ ହୋଇଛନ୍ତି। ସଂଘର ଦାବି ପୂରଣର ବ୍ୟବସ୍ଥା କରା ନଗଲେ ଅନଶନ ଅନିର୍ଦ୍ଦିଷ୍ଟ କାଳ ଯାଏ ଚାଲିବା ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର