ମୁନିଗୁଡ଼ା ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପ୍ରଶାସନ ନିରବ

ମୁନିଗୁଡା : ମୁନିଗୁଡ଼ା ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ବିଭିନ୍ନ ସାହିରେ ଥିବା ନାଳ ଭିତରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଆବର୍ଜନା ଜମି ରହିଥିବାରୁ ନାଳ ଦେଇ ପାଣି ନିଷ୍କାସିତ ହୋଇନପାରି ଆବର୍ଜନା ପାଣି ସବୁ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯାତାୟାତ ସମୟରେ ଲୋକେ ହଇରାଣ ହେଉଛନ୍ତି। ଦୀର୍ଘ ଦିନ ହେଲା ନାଳ ଗୁଡିକ ସଫେଇ କରାଯାଇନଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଲେବୁଲ୍‌ କ୍ରସିଂ ଗେଟ୍‌ର ଉଭୟ ପାର୍ଶ୍ବରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଥିଲେ ହେଁ ଏହାକୁ ସଫେଇ କରିବାକୁ କାହାର ନଜର ପଡିପାରୁନି। ଦୋକାନିଙ୍କ ସମେତ ଜଳଖିଆ ଦୋକାନି ଓ ଜନସାଧାରଣ ରାସ୍ତାର ଉଭୟ ପାର୍ଶ୍ବରେ ରାତିରେ ଆବର୍ଜନା ଫୋପାଡୁ ଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।

ଏହି ରାସ୍ତା ଦେଇ ଦୈନିକ ଶହ ଶହ ଟ୍ରକ୍‌, ବସ୍‌ ଯିବା ଆସିବା କରୁଥିବା ବେଳେ ପ୍ରଶାସନିକ ଅଧିକାରୀ, ରାଜନେତା, ମନ୍ତ୍ରୀଙ୍କ ଗାଡ଼ି ମଧ୍ୟ ଯିବା ଆସିବା କରେ। କିନ୍ତୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଗୁରୁତ୍ବ ଦେଉନାହାନ୍ତି। ସେହିପରି ନିକଟରେ ବସଷ୍ଟାଣ୍ଡ ଥିବା ବେଳେ ପୂ୍ତିଗନ୍ଧମୟ ପରିବେଶ ଯୋଗୁଁ ଯାତ୍ରୀ ମାନେ ନାକରେ ରୁମାଲ ଦେଇ ବସ୍‌କୁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। କିଛି ଦିନ ତଳେ ମୁନିଗୁଡାର ସମାଜସେବୀ ଜି. ମହେଶ ନିଜସ୍ବ ଖର୍ଚ୍ଚରେ ସମସ୍ତ ଆବର୍ଜନାକୁ ସଫେଇ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜନସାଧାରଣ ପୁଣି ଅଳିଆ ଆବର୍ଜନା ପକାଉଥିବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଅନ୍ୟପଟେ ପ୍ରଶାସନ ସବୁ ଜାଣୁଥିଲେ ହେଁ ସଫେଇ ଦିଗରେ ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ରାସ୍ତା ପାର୍ଶ୍ବ ତଥା ଡ୍ରେନ୍‌ରେ ଆବର୍ଜନା ଫୋପାଡୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ମୁନିଗୁଡା ଅଞ୍ଚଳରେ କାର୍ଯ୍ୟ କରୁଥିବା ୩୦ରୁ ଅଧିକ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ଘର ଘର ବୁଲି ସ୍ବଚ୍ଛ ଭାରତ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି। ସେହିପରି ଶୀଘ୍ର ଆବର୍ଜନା ସଫେଇ କରିବାକୁ ସ୍ଥାନୀୟ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର