କଟକ ତଅଁଳା ସାହିରେ ଜଳିଲା ଗ୍ୟାସ୍‌ ସିଲିଣ୍ଡର : ଜୀବନକୁ ପାଣି ଛଡ଼ାଇ ରକ୍ଷା କଲେ ରିଆଜ୍ ଅଲ୍ଲୀ, ଟଳିଗଲା ବଡ଼ ଧରଣର ଅଘଟଣ

କଟକ : ଆଜି ଦିନ ପ୍ରାୟ ଗୋଟାଏ ପାଖାପାଖି ସମୟରେ ତୁଳସୀପୁର ଡିଅର ପାର୍କ ତଅଁଳା ସାହିରେ ଘଟିଥିଲା ଅଘଟଣ। ବାସିନ୍ଦା ନିରଂଜନ ନାୟକଙ୍କ ଘରେ ତାଙ୍କ ବୋହୂ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ନିଆଁ ଜଳିବା ଦେଖି ସବୁ ଲୋକ ଘରୁ ବାହାରି ଆସି ଚିତ୍କାର କରି କାନ୍ଦବୋବାଳି ପକାଇବା ସହ ସହାୟତା ପାଇଁ ଲୋକଙ୍କୁ ଡାକିଥିଲେ। କିନ୍ତୁ ସବୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ବି କେହି ସାହସ କରି ଆଗକୁ ବଢି ନଥିଲେ। ଅଗ୍ନିଶମ ବିଭାଗକୁ ଖବର ଯାଇଥିଲା। କିନ୍ତୁ ସେହି ସମୟରେ ସେହି ବାଟ ଦେଇ ଯାଉଥିବା ଭୁବନେଶ୍ବର ପ୍ରଶାନ୍ତି ବିହାର ବସ୍ତିର ରିଆଜ ଅଲ୍ଲୀ ସହାୟତା ଦେବାକୁ ଅଟକି ଯାଇଥିଲେ। ଘର ଭିତରକୁ ପଶି ଗ୍ୟାସ ସିଲିଣ୍ଡରକୁ ଉଠାଇ ଆଣି ନିକଟରେ ଥିବା ନାଳ ଭିତରେ ପକାଇ ଦେଇଥିଲେ। କିଛି ସମୟ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଥିଲେ। କିନ୍ତୁ ରିଆଜଙ୍କ ସାହସିକତାରୁ ବଡ଼ଧରଣର ଅଘଟଣ ଟଳି ଥିବାରୁ ସେମାନେ ବି ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେଠାରେ ଉପସ୍ଥିତ ଲୋକ ରିଆଜଙ୍କୁ କୃତଜ୍ଞତା ଜଣାଇଥିଲେ।

ସୂଚନା ଅନୁଯାୟୀ ୨୮ ବର୍ଷ ବୟସ୍କ ରିଆଜ ହେଉଛନ୍ତି ଜଣେ ରଙ୍ଗମିସ୍ତ୍ରି। ସେ ବାଲିଯାତ୍ରା ବୁଲିବାକୁ ଆସି ଭୁବନେଶ୍ବର ଫେରୁଥିଲେ। ବାଲିଯାତ୍ରାକୁ ସେ ମାଛ ଜାଲ କିଣିବାକୁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି। ରିଆଜ କହିବା ଅନୁଯାୟୀ ସେ ଘଟଣା ଜାଣିବା ପରେ କାଳେ ଡେରି ହେଲେ ବଡ଼ଧରଣର ଅଘଟଣ ଘଟିବ ଭା‌ବି ଏଭଳି ପଦକ୍ଷେପ ନେଇଥିଲେ। ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ଜ୍ୟୋତିରଂଜନ ସାମଲ ଓ ଅନ୍ୟ ଯୁବକମାନେ ରିଆଜଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର