ଗ୍ୟାସ ଟାଙ୍କି ଫାଟିବା ଫଳରେ ପୋଡ଼ି ହୋଇଗଲେ ସ୍ୱାମୀ ଓ ସ୍ତ୍ରୀ ,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ହରିପୁର ଗାଁରେ ରୋଷେଇ ଗ୍ୟାସ ଟାଙ୍କି ଫାଟି ସ୍ୱାମୀ ଓ ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଥିବାର ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତର ହରିପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ଗୀତାଞ୍ଜଳି ପ୍ରଧାନ ନାମକ ଜଣେ ମହିଳା ପାଣି ଗରମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଏହା ଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ତ୍ରୀ ଗୀତାଞ୍ଜଳି ଜଳି ଯାଉଥିବା ଦେଖି ସ୍ୱାମୀ ତପନ ପ୍ରଧାନ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । କିନ୍ତୁ ଓଲଟା ନିଆଁ ତାଙ୍କ ଦେହରେ ବି ଲାଗିଗଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଫଳରେ ଉଭୟ ସ୍ୱାମୀ –ସ୍ତ୍ରୀ ନିଆଁରେ ପୋଡ଼ି ହୋଇଯାଇଥିଲେ। ଏହାପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି।