ପ୍ରାକ୍‌-ସ୍ବାଧୀନତା କାଳରେ ପ୍ରଥମ ନିର୍ବାଚନ

ନିର୍ବାଚନ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁଦୃଶ୍ୟ ଓ ସୁଦୃଢ଼ ପରମ୍ପରା। ଆଉ କିଛିଦିନ ପରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଏହି ପରମ୍ପରାର ଏକ ଅଂଶବିଶେଷ। ବ୍ରିଟିସ ସରକାର ଅମଳରେ ବି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ସମ୍ପୂର୍ଣ୍ଣ ଭିନ୍ନ ଥିଲା ମାତ୍ର ସେଇଥିରୁ ହିଁ ନିର୍ବାଚନ ଭଳି ଏକ ପ୍ରକ୍ରିୟାର ଅୟଆରମ୍ଭ ହୋଇଥିଲା।

୧୯୫୦ରେ ଭାରତ ଏକ ସାଧାରଣତନ୍ତ୍ର ହେବା ଓ ୧୯୫୧-୫୨ରେ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ କରାଯିବା ଦ୍ବାରା ସ୍ବାଧୀନ ଭାରତକୁ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରର ଆନୁଷ୍ଠାନିକ ମର୍ଯ୍ୟାଦା ମିଳିଲା। ତେବେ ବ୍ରିଟିସ ଶାସନାଧୀନ ଭାରତରେ ମଧ୍ୟ କିଛି ବର୍ଗକୁ ନେଇ ସାମ୍ରାଜ୍ୟବାଦୀ ସରକାର ନିର୍ବାଚନ କରାଇଥିଲେ।

୧୯୨୦ରେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଦେଶରେ ଅସହଯୋଗ ଆନ୍ଦୋଳନ ଚାଲୁଥାଏ ସେହିବର୍ଷ ବ୍ରିଟିସ ସରକାର ଦେଶରେ ପ୍ରଥମଥର ପାଇଁ ନିର୍ବାଚନ କରାଇଲେ। ସେଥର ଉଭୟ କେନ୍ଦ୍ରୀୟ ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭା ପାଇଁ ଏକସଙ୍ଗେ ନିର୍ବାଚନ କରାଗଲା। କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାକୁ ଇମ୍ପେରିୟଲ ଲେଜିସ୍‌ଲେଟିଭ୍ କାଉନ୍‌ସିଲ ବା ସାମ୍ରାଜ୍ୟବାଦୀ ବିଧାନ ପରିଷଦ କୁହାଯାଉଥିବା ବେଳେ ରାଜ୍ୟଗୁଡ଼ିକର ବିଧାନସଭାକୁ ପ୍ରଭିନ୍‌ସିଆଲ କାଉନ୍‌ସିଲ ବା ପ୍ରାଦେଶିକ ପରିଷଦ କୁହାଯାଉଥିଲା।

ଏବର ପାର୍ଲାମେଣ୍ଟ ବା ସଂସଦ ଭଳି ଇମ୍ପେରିୟଲ ଲେଜିସ୍‌ଲେଟିଭ୍ କାଉନ୍‌ସିଲ ମଧ୍ୟ ଦୁଇଟି ଗୃହକୁ ନେଇ ଗଠିତ ଥିଲା। ନିମ୍ନସଦନ ସେଣ୍ଟ୍ରାଲ ଲେଜିସ୍‌ଲେଟିଭ୍ ଆସେମ୍ବ୍ଲି (କେନ୍ଦ୍ରୀୟ ବିଧାନସଭା)ରେ ମୋଟ ୧୦୪ ଜଣ ସଦସ୍ୟ ଥିଲେ। ସେଥିରୁ ୬୬ ଜଣ ନିର୍ବାଚିତ ହେଉଥିଲେ। ବିଭିନ୍ନ ବଣିକ ସଂଘରୁ ୮ ଜଣ ୟୁରୋପୀୟ ସଦସ୍ୟ ମନୋନୀତ ହୋଇଆସୁଥିଲେ। ଅନ୍ୟପକ୍ଷରେ ମୋଟ ୩୪ ଜଣଙ୍କୁ ନେଇ ଗଠିତ ଉଚ୍ଚ ସଦନ ପ୍ରାଦେଶିକ ପରିଷଦକୁ ୨୪ ଜଣ ନିର୍ବାଚିତ ହେଉଥିବାବେଳେ ମୁସଲିମ୍ ଓ ଗୋରାସାହେବଙ୍କ ପାଇଁ ଯଥାକ୍ରମେ ୫ ଓ ୩ଟି ଆସନ ସଂରକ୍ଷିତ ରହୁଥିଲା। ଅବଶିଷ୍ଟ ଦୁଇଟି ଆସନରେ ଜଣେ ଶିଖ ଓ ପ୍ରାଦେଶିକ ପରିଷଦର ପ୍ରତିନିଧି ରହୁଥିଲେ। ସେହିପରି ପ୍ରାଦେଶିକ ବିଧାନସଭା ଗୁଡ଼ିକରେ ୩୮ଟି ଆସନ ଗୋରାସାହେବଙ୍କ ପାଇଁ ସଂରକ୍ଷିତ ରହିଥିଲା। ବିଭିନ୍ନ ପ୍ରାଦେଶିକ ବିଧାନସଭାରେ ମୋଟ ୬୬୭ ଆସନରୁ ୪୪୦ ଆସନରେ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ବେଳେ ୧୮୮ ଆସନରେ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ନିର୍ବାଚନ ବର୍ଜନ କରିବାକୁ ମହାତ୍ମା ଗାନ୍ଧିଙ୍କ ଡାକରା ସତ୍ତ୍ବେ ମାତ୍ର ୬ଟି ଆସନରେ କେହି ପ୍ରାର୍ଥୀ ହୋଇନଥିଲେ।

କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଶିକ୍ଷାବିତ, ସମାଜ ସଂସ୍କାରକ ହରି ସିଂହ ଗୋୖରଙ୍କ ଡେ‌ମକ୍ରାଟିକ୍ ପାର୍ଟି ମୋଟ ୪୮ ଆସନ ହାସଲ କରି ଏକକ ସଂଖ୍ୟାଗରିଷ୍ଠ ହୋଇଥିଲେ। ଗଭର୍ଣ୍ଣର ଜେନେରାଲଙ୍କ ନେତୃତ୍ବରେ ଗଠିତ ୨୫ ଜଣିଆ ମନ୍ତ୍ରୀ ପରିଷଦରେ ଭାରତୀୟଙ୍କ ମଧ୍ୟରୁ ତେଜ ବାହାଦୁର ସାପ୍ରୁ (ଆଇନ ସଦସ୍ୟ), ବିଏନ୍‌ ଶର୍ମ୍ମା (ରାଜସ୍ବ ଓ କୃଷି ସଦସ୍ୟ), ଅତୁଲ ଚନ୍ଦ୍ର ଚାଟାର୍ଜୀ (ଶିଳ୍ପ ସଚିବ) ଓ ଅବ୍‌ଦୁଲ ରହିମ ଖାଁ ସ୍ଥାନ ପାଇଥିବା ବେଳେ ଅନ୍ୟ ସମସ୍ତେ ଗୋରାସାହେବ ଥିଲେ।

ବିଭିନ୍ନ ପ୍ରଦେଶରୁ ନର୍ବାଚିତ ଅଣଅଧିକାରୀଙ୍କ ତାଲିକାରେ ବିହାର-ଓଡ଼ିଶା ପ୍ରାଦେଶିକ ବ୍ୟବସ୍ଥାପକ ସଭାରୁ ୩ ଜଣ ଓଡ଼ିଆ ସ୍ଥାନ ପାଇଥିଲେ। ସାଧାରଣ ବର୍ଗରୁ ବାବୁ ବିଏନ୍ ମିଶ୍ର ଓ ବାବୁ ବ୍ରଜସୁନ୍ଦର ଦାସ ସ୍ଥାନ ପାଇଥିବା ବେଳେ ଜମିଦାର ବର୍ଗରୁ ରାଜା ଆର୍‌ଏନ୍ ଭଂଜଦେଓଙ୍କୁ ସ୍ଥାନ ମିଳିଥିଲା।

୧୯୨୦ ସାଧାରଣ ନିର୍ବାଚନ
ଦଳ                     ପ୍ରାପ୍ତ ଆସନ         ନେତା
ଡେମକ୍ରାଟିକ୍ ପାର୍ଟି           ୪୮         ହରିସିଂହ ଗୋୖର
ଅନ୍ୟାନ୍ୟ ଦଳ ଓ ସ୍ବାଧୀନ   ୪୭
ୟୁରୋପୀୟ                   ୯

ସମ୍ବନ୍ଧିତ ଖବର