କଂଗ୍ରେସର ଲକ୍ଷ୍ୟ ସାଧାରଣ ନିର୍ବାଚନ: ନିରଞ୍ଜନ

ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସହଯୋଗ ପାଇଁ ଅନୁରୋଧ

ଭୁବନେଶ୍ୱର: କଂଗ୍ରେସ ଦଳ ପାଇଁ ଲକ୍ଷ୍ୟ ହେଉଛି ଆଗାମୀ ସାଧାରଣ ନିର୍ବାଚନ। ଏଥିପାଇଁ ତଳସ୍ତରରେ ବୁଥ କମିଟି ଓ ଜୋନାଲ କମିଟିମାନ ଗଠନ କରି ସଂଗଠନକୁ ସୁଦୃଢ଼ କରିବାକୁ ହେବ। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଜନହିତକର ଯୋଜନାର ସୁଫଳକୁ ବହୁଳ ଭାବେ ପ୍ରଚାର କରିବା ସହିତ ବର୍ତମାନର ବିଜେପି ଓ ବିଜେଡ଼ି ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ଏକମନ, ପ୍ରାଣରେ ଦଳ ପାଇଁ ସମସ୍ତେ ଶୃଙ୍ଖଳିତ ଭାବରେ ସହଯୋଗର ହାତ ବଢ଼ାଇବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତିି।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଦେଶ କଂଗ୍ରେସ କର୍ମକର୍ତାମାନଙ୍କର ଏକ ବୈଠକ ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀ ପଟ୍ଟନାୟକ କହିଲେ, ବର୍ତମାନ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ୍‌କୁ ସୁପର ସ୍ପେସାଲିଟି ହସପିଟାଲ୍‌ ଏବଂ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରାରେ ମୁକ୍ତିକାନ୍ତ ବିଶ୍ୱାଳ ଯାତ୍ରା କରୁଛନ୍ତିି। ତାଙ୍କୁ କଂଗ୍ରେସ କର୍ମୀମାନେ ଆର୍ଥିକ ସହାୟତା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନ୍‌ଲାଇନ ମାଧ୍ୟମରେ ଅନୁରୋଧ କରିଛନ୍ତି। ତଦନୁଯାୟୀ ସମସ୍ତ ଜିଲା କଂଗ୍ରେସ ସଭାପତି, କାର୍ଯ୍ୟକାରୀ ସଭାପତି ଓ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ପିସିସି ସଭାପତି ଅନୁରୋଧ କରିଥିଲେ।

ବୈଠକରେ ଏଆଇସିସି ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ଯୋଗଦେଇ କହିଲେ, ଦଳ ଯେପରି ରାଜ୍ୟବାସୀଙ୍କର ଆସ୍ଥାଭାଜନ ହୋଇ ଜନସାଧାରଣଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିପାରିବ ସେ ସମ୍ପର୍କରେ ସମସ୍ତଙ୍କର ଅଭିଜ୍ଞତା ଓ ପରାମର୍ଶ ନିତାନ୍ତ ଆବଶ୍ୟକ। ସେଥିପାଇଁ ‘ଉଠିବ କଂଗ୍ରେସ, ହସିବ ଓଡ଼ିଶା’, ‘ଆସନ୍ତୁ ଆମ ଭବିଷ୍ୟତ ଆମେ ଗଢ଼ିବା’ ନାରା ପ୍ରଣିଧାନଯୋଗ୍ୟ। ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ସେଠୀ, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା, ସନ୍ଧ୍ୟା ମହାପାତ୍ର, ନାରାୟଣ ଦାସ, ବିଭୁପ୍ରସାଦ ତରାଇ, ସସ୍ମିତା ବେହେରା, କିଶୋର ଜେନା, ହମିଦ୍‌ ହୁସେନ, ସୁର ନନ୍ଦ, ମନୋରଞ୍ଜନ ରାଉତରାୟ, କୈଳାସ ମୁଖୀ, ଜିଆଉଲ୍‌ ହକ୍‌, ଚିତ୍ରଲେଖା ମହାନ୍ତି, ଗିରିବାଳା ବେହେରା, କଳ୍ପନା ରାଉତରାୟ, ସ୍ୱାଗତିକା ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ଦୁର୍ଗାଶଙ୍କର ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର