ସରକାରଙ୍କର ପ୍ଲାଷ୍ଟିକ୍‌ ବିରୋଧୀ ଅଭିଯାନ : ପ୍ଲାଷ୍ଟିକ୍‌ ଫେରାଇଲେ ମିଳିବ ଟଙ୍କା

ସେପ୍ଟେମ୍ବର ୧୫ରେ ଜାରି ହେବ ବିଜ୍ଞପ୍ତି, ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର, ପୁରୀ

ଭୁବନେଶ୍ୱର : ପ୍ଲାଷ୍ଟିକ୍‌ ଫେରାଇଲେ ମିଳିବ ଟଙ୍କା। ଥରେ ବ୍ୟବହାର କରି ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ, ପଲିଥିନ୍‌, ବୋତଲ ଆଦି ସଂଗ୍ରହ କରାଯିବ। ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନିଙ୍କ ଏଜେଣ୍ଟ ଲୋକଙ୍କଠାରୁ ସେଗୁଡ଼ିକ ସଂଗ୍ରହ କରିବେ। ତା’ ବଦଳରେ ଲୋକଙ୍କୁ ମିଳିବ ଟଙ୍କା। ପ୍ଲାଷ୍ଟିକ ତିଆରି ପାଣି ପାଉଚ୍‌, କପ୍‌, ଓମ୍‌ଫେଡ୍‌ ଜରି ଆଦି ପ୍ଲାଷ୍ଟିକ ନିଷିଦ୍ଧ ତାଲିକାରେ ରଖାଯିବ। ସେ ନେଇ ପ୍ଲାଷ୍ଟିକ ନିଷେଧ ଚୂଡ଼ାନ୍ତ ବିଜ୍ଞପ୍ତିରେ ଘୋଷଣା କରାଯିବ। ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ନିମନ୍ତେ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତିି ରାଜ୍ୟ ସରକାର।

ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିବସରେ ରାଜ୍ୟରେ ପ୍ଲାଷ୍ଟିକ ନିଷେଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତିି। ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ଦିଗରେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଗ୍ରହଣ କରାଯାଇଛି। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଲେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ମହାନଗର ନିଗମ ଯଥା: ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଏବଂ ପୁରୀ ସହରାଞ୍ଚଳରେ ପ୍ଲାଷ୍ଟିକ ନିଷେଧ କରାଯିବ। ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନକୁ ପ୍ଲାଷ୍ଟିକମୁକ୍ତ କରାଯିବ। ଏସବୁ ସହରାଞ୍ଚଳରେ ପ୍ଲାଷ୍ଟିକ, ପଲିଥିନ୍‌ ଆଦି ସଂଗ୍ରହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ।

ଏଥିପାଇଁ ଚଳିତ ମାସ ଶେଷ ସପ୍ତାହରେ ପ୍ଲାଷ୍ଟିକ ନିଷେଧାଦେଶ ବିଜ୍ଞପ୍ତି ଚିଠା ପ୍ରକାଶ ପାଇବ। ଏହି ଚିଠା ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗ ବିଶେଷ କରି ଆଇନ ବିଭାଗର ଅନୁମୋଦନ ଲୋଡ଼ାଯାଇଛି। ସେହିପରି ବିଜ୍ଞପ୍ତି ପ୍ରକାଶନ ପୂର୍ବରୁ ସର୍ବସାଧାରଣଙ୍କଠାରୁ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ଆହ୍ଵାନ କରାଯିବ। ସେଥିପାଇଁ ୧୫ ଦିନ ସମୟ ରଖାଯିବ। ସେପ୍ଟେମ୍ବର ୧୫ରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ସାଙ୍ଗକୁ ମାର୍ଗଦର୍ଶିକା ବି ପ୍ରକାଶ ପାଇବ। କେଉଁ ପ୍ଲାଷ୍ଟିକ ସାମଗ୍ରୀ ବନ୍ଦ କରାଯିବ ସେ ନେଇ ବିଜ୍ଞପ୍ତିରେ ବିସ୍ତତ ତାଲିକା ଉଲ୍ଲେଖ ରହିବ। ବିଶେଷ କରି ଥରେ ବ୍ୟବହାର ପରେ ଫିଙ୍ଗା ଯାଉଥିବା ସବୁ ପ୍ରକାର ପ୍ଲାଷ୍ଟିକ, ପଲିଥିନ୍‌, ବୋତଲ, ଫୋମ୍‌ ଆଦିର ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରାଯିବ। ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ବି ରହିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଏ ନେଇ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ପ୍ରଣୟନ ହୋଇଥିବା ଆଇନ, ନିୟମାବଳୀଗୁଡ଼ିକୁ ତର୍ଜମା କରି ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଥିଲେ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ଲୋକେ ବ୍ୟବହାର କରୁଥିବା କିଛି ନିର୍ଦିଷ୍ଟ ପ୍ଲାଷ୍ଟିକ ସାମଗ୍ରୀ, ବୋତଲ, ଜରି ସଂପୃକ୍ତ ପ୍ଲାଷ୍ଟିକ ଉତ୍ପାଦନକାରୀ କମ୍ପାନିଙ୍କ ଏଜେଣ୍ଟଙ୍କୁ ଦେଇପାରିବେ। ଏଭଳି ବାଏ-ବ୍ୟାକ୍‌ ନୀତି ମହାରାଷ୍ଟ୍ରରେ ପ୍ରଚଳିତ। ସେଥିପାଇଁ ସମ୍ପ୍ରସାରିତ ପ୍ରଦୂଷଣର ଉତ୍ତରଦାୟିତ୍ୱ ଦୃଷ୍ଟିରୁ କମ୍ପାନିମାନେ ନିଜ ନିଜ ଏଜେଣ୍ଟମାନଙ୍କ ଜରିଆରେ ସଂଗ୍ରହ କରି ତା’ ବଦଳରେ ଲୋକଙ୍କୁ କିଛି ଟଙ୍କା ଫେରାଇବେ। କେଉଁ କେଉଁ ସାମଗ୍ରୀ ତାଲିକାଭୁକ୍ତ ହେବ ତାହା ବିଜ୍ଞପ୍ତିରେ ସ୍ଥାନ ପାଇବ। ତେବେ ଥରେ ବ୍ୟବହାର ପରେ ଫିଙ୍ଗା ଯାଉଥିବା ପାଣି ପାଉଚ୍‌, କପ୍‌, ଓମ୍‌ଫେଡ୍‌ ଜରି, ଗାଈଗୋରୁଙ୍କ ଖାଦ୍ୟରେ ଘାତକ ସାଜିଥିବା ପ୍ଲାଷ୍ଟିକ, ବିପଦ ସୃଷ୍ଟିକାରୀ, ଆବର୍ଜନା ସୃଷ୍ଟି କରୁଥିବା ପ୍ଲାଷ୍ଟିକ ସମ୍ଭାବ୍ୟ ତାଲିକାରେ ରହିବ।

ସମ୍ବନ୍ଧିତ ଖବର