ଘଙ୍ଗାପାଟଣା ଜମି ଦୁର୍ନୀତି : କ୍ରାଇମବ୍ରାଞ୍ଚକୁ ଲୋକାୟୁକ୍ତଙ୍କ ନୋଟିସ୍, ଆସନ୍ତାମାସ ୧୭ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦେଶ

ଭୁବନେଶ୍ବର : ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣାରେ ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ଲୋକାୟୁକ୍ତ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ମାସ ୧୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାର ପରବର୍ତୀ ଶୁଣାଣି ଆସନ୍ତା ମାସ ୨୧ ତାରିଖରେ ହେବ ବୋଲି ଜଣାପଡ଼ିଛି।

୨୦୧୪ ମସିହାରେ ଘଙ୍ଗାପାଟଣା ଅଞ୍ଚଳରେ ବ୍ୟାପକ ଜମି ଦୁର୍ନୀତି ହୋଇଥିବା ନଜରକୁ ଆସିଥିଲା। ଏଥିରେ ଅନେକ ରାଜନେତା ବେଆଇନ ଭାବେ ଜମି ହାତେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଅନେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ମସିହା ଅଗଷ୍ଟ ମାସରେ କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନିର୍ଦେଶ ଦେବା ସହ ୨ମାସ ଭିତରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରିବା ସହିତ ବେଆଇନ ଭାବେ ବିକ୍ରି ହୋଇଥିବା ୭୬ ଏକର ଜମିକୁ ଫେରାଇ ଆଣାଯାଇଥିବା ଦାବି କରିଥିଲା। ତେବେ ଫେରି ଆସିଥିବା ଜମି ସଂପର୍କରେ ରାଜସ୍ବ ବିଭାଗ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲା।

ଏହାର ପ୍ରତିବାଦରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ସୂଚନା ଆଇନ ବଳରେ ତଥ୍ୟ ମାଗିଥିଲେ। ମାତ୍ର ଏ ନେଇ ଅଧାପନ୍ତରିଆ ସୂଚନା ମିଳିଥିଲା। ଏହି ଘଟଣାରେ ବିଶେଷ ଅଗ୍ରଗତି ନ ହେବାରୁ ଶ୍ରୀ ପ୍ରଧାନ ଗତ ଅଗଷ୍ଟ ୨୯ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଅଭିଯୋଗର ଶୁଣାଣି କରି କ୍ରାଇମବ୍ରାଞ୍ଚକୁ ଅକ୍ଟୋବର ୧୭ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର