ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି : ନିୟୋଜିତ ହେବେ ୬୦୦ ଡାକ୍ତର; ଖୋଲା ନାଳରେ ପଡ଼ିବ ସ୍ଲାବ୍‌

ପୁରୀ :‌ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରାଥମିକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ପେସାଲ୍ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥ ନିର୍ମାଣ ଓ ଆବଶ୍ୟକ କାଠ ସଂଗ୍ରହର ସମୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଚଳିତ ବର୍ଷ ରଥଯାତ୍ରାରେ ୬୦୦ ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନିୟୋଜନ କରାଯିବା ସହିତ ଆଶୁ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ସହରର ପରିଛନ୍ନତା ଉପରେ ବି ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ବଡ଼ଦାଣ୍ଡ ଓ ସହରର ଗଳିକନ୍ଦିରେ ଥିବା ଖୋଲା ନାଳରେ ସ୍ଲାବ ପକାଇବାକୁ ପୌରସଂସ୍ଥା ଓ ଡ୍ରେନେଜ୍ ବିଭାଗକୁ ନିର୍ଦେଶ ଦିଆଯାଇଛି। ଯଥେଷ୍ଟ ପରିମାଣର ପାନୀୟ ଜଳ ସୁବିଧା ସହ ଅଚଳ ଟ୍ୟୁବୱେଲ, ହ୍ୟାଣ୍ଡପମ୍ପ, ଷ୍ଟାଣ୍ଡପୋଷ୍ଟଗୁଡ଼ିକୁ ଜରୁରୀକାଳୀନ ଭିତ୍ତିରେ ମରାମତି କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ଆଲୋକୀକରଣ ପାଇଁ ସେସୁକୁ ନିର୍ଦେଶ ଦିଆଯାଇଥିବାବେଳେ ଯାତ୍ରୀ ପରିବହନ ଓ ଆବଶ୍ୟକ ବସ ଚଳାଚଳ ପାଇଁ ସୁବିଧା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଟ୍ରେନ ଯାତ୍ରୀଙ୍କ ପାଇଁ ଅତିରିକ୍ତ ଟିକେଟ୍ କାଉଣ୍ଟର ଖୋଲିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଖାଲଖମା ରାସ୍ତାର ଆବଶ୍ୟକ ମରାମତି ପାଇଁ ନିଷ୍ପତ୍ତି ହୋଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୧୧ଟି ସୂଚନାକେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ନୃସିଂହ ଚରଣ ସ୍ବାଇଁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ହରିଶ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ରାମଚନ୍ଦ୍ର ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର