ନିଆଳି : ଜାଲରେ ପଡ଼ିଲା ୩ କ୍ୱିଣ୍ଟାଲ୍‌ର ଶାଙ୍କୁଚ

ନିଆଳି : ନିଆଳି ବ୍ଲକ୍ ବିଳାସୁଣୀ ନିକଟ କନ୍ଦଳ ନଦୀର କୁଣ୍ଡିମୁହଁ ବ୍ରିଜ୍ ନିକଟରେ ବିରଳ ପ୍ରଜାତିର ଏକ ଶାଙ୍କୁଚ ଜାଲରେ ପଡ଼ିଛି। ମତ୍ସ୍ୟଜୀବୀମାନେ ମାଛ ଧରୁଥିବା ବେଳେ ପ୍ରାୟ ୩ କ୍ବିଣ୍ଟାଲ୍‌ ଓଜନର ଏହି ଶାଙ୍କୁଚ ଜାଲରେ ପଡ଼ିଥିବା ଜଣାଯାଇଛି।

ସୂଚନା ମୁତାବକ, ଗତକାଲି ରାତିରେ ଏହି ଅଞ୍ଚଳର ରବି ସ୍ବାଇଁ କନ୍ଦଳ ନଦୀରେ ବାଉଁଶରେ ବାଡ଼ କରି ଜାଲ ବସାଇ ମାଛ ଧରୁଥିଲେ। ଏହି ସମୟରେ ବିରଳ ପ୍ରଜାତିର ଶାଙ୍କୁଚଟି ଜାଲରେ ଲାଗି ଯାଇଥିଲା। ଶ୍ରୀ ସ୍ବାଇଁ ଜାଲ ଓଟାରି ନ ପାରିବାରୁ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ପହଞ୍ଚି ଶାଙ୍କୁଚଟିକୁ ଉପରକୁ ଆଣିଥିଲେ। ପ୍ରାୟ ୩ କ୍ବିଣ୍ଟାଲ୍‌ ଓଜନର ଏହି ଶାଙ୍କୁଚର ଲମ୍ବ ୧୩ ଫୁଟ ଓ ଚଉଡ଼ା ୭ ଫୁଟ ଜଣାପଡ଼ିଛି। ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଶାଙ୍କୁଚକୁ ଦେଖିବା ଲାଗି ଲୋକଙ୍କ ସୁଅ ଛୁଟିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଶାଙ୍କୁଚକୁ ଉଦ୍ଧାର କରିଥିଲେ। ପ୍ରାଣୀ ଚିକିତ୍ସାଧିକାରୀ ପରୀକ୍ଷା କରିବା ପରେ ଶାଙ୍କୁଚର ସ୍ବାସ୍ଥ୍ୟ ଭଲ ଥିବା ଜଣାପଡ଼ିଥିଲା। ପରେ ଶାଙ୍କୁଚକୁ କନ୍ଦଳ ନଦୀର ଗଭୀର ଜଳରେ ଛାଡ଼ି ଦିଆଯାଇଥିବା ବନବିଭାଗ ସୂଚନା ଦେଇଛି। ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ଉଭୟ ମଧୁର ଓ ଲୁଣି ଜଳରେ ଶାଙ୍କୁଚ ରହୁଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର