ପୋଖରୀରେ ବୁଡ଼ି ବାଳିକା ମୃତ, ୪ ବର୍ତିଗଲେ

ଔପଦା : କାଳ ସାଜିଲା ପାଣି। ଆଜି ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କ ଜୀବନ ଯାଇଥିବା ବେଳେ ଆଉ ୪ ଜଣ ଅଳ୍ପକେ ବର୍ତିଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ଅଘିରାପଦା ଗ୍ରାମ ଦେଉରିସାହିରେ। ସାହିର ୫ ଜଣ ଆଦିବାସୀ ବାଳକ ଓ ବାଳିକା ନିକଟସ୍ଥ ପୋଖରୀରେ ସବୁଦିନ ପରି ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ସେମାନେ ଗାଧୋଇବା ବେଳେ ହଠାତ୍‌ ଜୟକୃଷ୍ଣ ଦନାକଙ୍କ ଝିଅ ରୁପାଲି ଦନାକ (୬) ପୋଖରୀର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଫଳରେ ସେ ବୁଡ଼ିବା ଆରମ୍ଭ କରିଥିଲେ।

ଏତିକିବେଳେ ସାଙ୍ଗ ରୁପାଲିକୁ ରକ୍ଷା କରିବା ପାଇଁ ବର୍ଷା ରାଉତ (୯), ସତୁରା ରାଉତ (୮), କମ୍ପ୍ୟୁଟର ମଲ୍ଲିକ (୭), ତୁଳସୀ ମଲ୍ଲିକ (୭) ଉଦ୍ୟମ କରିଥିିଲେ। ହେଲେ ସେମାନେ ମଧ୍ୟ ପରସ୍ପର ଧରାଧରି ହୋଇଥିବା ବେଳେ ପାଣି ଭିତରୁ ଆସିପାରିନଥିଲେ। ଏତିକିବେଳେ ଗ୍ରାମର ରାନୁ ମଲ୍ଲିକ (୧୬) ସେମାନଙ୍କୁ ବିପଦରେ ଦେଖି ପୋଖରୀକୁ ଡେଇଁପଡ଼ିଥିଲେ। ରାନୁ ଅନ୍ୟ ସମସ୍ତଙ୍କୁ ରାକ୍ଷା କରିଥିବା ବେଳେ ରୁପାଲିକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଫଳରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ଘଟିଥିଲା। ବହୁ ଖୋଜାଖୋଜି ପରେ ପୋଖରୀରୁ ଶବ ମିଳିଥିଲା। ରୁପାଲିଙ୍କ ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର