ତୃତୀୟ ମହଲାରୁ ତଳକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ଧାରଣାରେ ବସିଲେ ଅଭିଭାବକ

ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନଙ୍କ ଦାବି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କେନ୍ଦ୍ରୀୟ ବିଦ୍ୟାଳୟ- ୩ର ଜଣେ ଛାତ୍ରୀ ତୃତୀୟ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଅଯଥାରେ ସମସ୍ତଙ୍କ ସମ୍ମୁଖରେ ପିଇଟି ଶିକ୍ଷୟତ୍ରୀଙ୍କଠାରୁ ମାଡ ଖାଇଥିବା ଏହି ଛାତ୍ରୀ ସ୍କୁଲର ୩ୟ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି । ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ- ୩ ପରିସରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ନାଲକୋ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେ ଏବେ ଉକ୍ତ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ତାଙ୍କ ଦୁଇ ଗୋଡ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଛି । ଏହି ଖବର ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଆଜି ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଉପ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।  ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଏକାଦଶ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ରୀଜଣଙ୍କ ଗତକାଲି ଅପରାହ୍ନରେ ସ୍କୁଲ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ। ଏହି ସମୟରେ ସ୍କୁଲର ପିଇଟି ଶିକ୍ଷୟିତ୍ରୀ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ତେବେ ସର୍ବସମ୍ମୁଖରେ ବିନା କାରଣରେ ଗାଳି ଓ ମାଡ଼ ଖାଇବାରୁ ଛାତ୍ରୀଜଣଙ୍କ ସ୍କୁଲର ତୃତୀୟ ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଛାତ୍ରୀଜଣଙ୍କ ଏକ ସିମେଣ୍ଟ ଚଟାଣରେ ପଡ଼ିବାରୁ ତାଙ୍କ ଦୁଇ ଗୋଡ଼ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଥିଲା। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଛାତ୍ରୀଜଣଙ୍କର ଏପରି ଅବସ୍ଥା ଦେଖି ପିଇଟି ଶିକ୍ଷୟିତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ- ୩ ଛାଡ଼ି ପଳାଇଥିବାରୁ ସେଠାରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର