ତେଲ ନଦୀରେ ୨୦ କିମି ଭାସିବା ପରେ ଉଦ୍ଧାର

ତରଭା : ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ତେଲ ନଦୀରେ ଭାସି ଆସୁଥିବା ଜଣେ ୧୩ ବର୍ଷୀୟା ବାଳିକାକୁ ତରଭା ବ୍ଲକ ଅଧୀନସ୍ଥ ବୁଦେଲମୁଣ୍ଡା ଗ୍ରାମର ମହିଳାମାନେ ଉଦ୍ଧାର କରିଛନ୍ତି। ତେବେ ୨୦ କିମି ପାଣିରେ ଭାସିବା ପରେ ବି ଝିଅଟି ଚେତା ନ ହରାଇ ସାହସର ସହ ମୁକାବିଲା କରିଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଟପଦାର ପହଲୁ ବାଘ ଓ ସୂର୍ଯ୍ୟକାନ୍ତି ବାଘଙ୍କ ଝିଅ ଯଶୋବନ୍ତୀ ବାଘ ନିଜ ବଡ଼ ଭଉଣୀ ସହ ତେଲ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ। ପ୍ରାୟ ୨୦ କିମି ନଦୀରେ ଭାସି ଆସିବା ପରେ ବୁଦେଲମୁଣ୍ଡା ନିକଟରେ ନଦୀ ଖଣ୍ଡିରେ ଥିବା ଗାଁର କିଛି ମହିଳା ଦେଖିବାକୁ ପାଇଥିଲେ। ମହିଳାଙ୍କଠାରୁ ଖବର ପାଇ ତରଭା ପୁଲିସ ପହଞ୍ଚି ଝିଅକୁ ତରଭା ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସା ପରେ ପୁଲିସ ଯଶୋବନ୍ତୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର